ଟେଷ୍ଟ ମ୍ୟାଚ୍ରେ ଦିନିକିଆ ଓ ଟି-୨୦ର ରୋମାଞ୍ଚ। ଛାତି ଧଡ଼ଧଡ଼ ହେବା ସହ ସମସ୍ତେ ନିଜ ନିଜ ଦଳ ପାଇଁ ଈଶ୍ୱରଙ୍କ ନିକଟରେ କରୁଥିଲେ ପ୍ରାର୍ଥନା। ପ୍ରତିଟି ବଲରେ ବଦଳୁ ଥାଏ ମ୍ୟାଚ୍ର ମୋଡ। କେତେବେଳେ ଇଂଲଣ୍ଡ ତ କେତେବେଳେ ଭାରତ ପାଖକୁ ଆସୁଥାଏ ମ୍ୟାଚ୍। ଏସବୁ ଭିତରେ ଲଣ୍ଡନର ବର୍ଷା ଓଭାଲ ଟେଷ୍ଟକୁ ଆହୁରି ରୋମାଞ୍ଚ କରୁଥାଏ। ୫ ଦିନ ଧରି ଛକାପଞ୍ଝା ପରେ ଆସିଛି ୫ମ ଟେଷ୍ଟର ରେଜଲ୍ଟ।
ଲଣ୍ଡନର ଦ ଓଭାଲରେ ଖେଳା ଯାଇଥିବା ଭାରତ ଓ ଇଂଲଣ୍ଡ ଟେଷ୍ଟର ଅନ୍ତିମ ଦିନରେ ଦେଖିବାକୁ ମିଳିଛି ଭରପୂର ରୋମାଞ୍ଚ। ଇଂଲଣ୍ଡ ମାଟିରେ ସିଂହ ଭଳି ଋଣହୁଙ୍କାର ଦେଇ ଭାରତୀୟ ବୋଲର ଘରୋଇ ଟିମ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଛନ୍ତି। ଶେଷ ଦିନରେ ବିଜୟ ପାଇଁ ଇଂଲଣ୍ଡକୁ ୩୫ ରନ ଦରକାର ଥିବା ବେଳେ ଇଂଲଣ୍ଡ ୩୬୭ ରନରେ ଅଲଆଉଟ ହୋଇଯାଇଛି। ଭାରତ ଶେଷ ଦିନରେ ୪ ୱିକେଟ ଦଖଲ କରି ମାତ୍ର ୬ ରନରେ ମ୍ୟାଚ୍ ଜିତି ଆଣ୍ତରସନ-ତେନ୍ଦୁଲକର ଟେଷ୍ଟ ସିରିଜକୁ ୨-୨ର ଶେଷ କରିଛି। ଶୁବମନ ଗିଲଙ୍କ ନେତୃତ୍ୱରେ ପ୍ରଥମଥର ଟେଷ୍ଟ ସିରିଜ ଖେଳୁଥିବା ଇଂଲଣ୍ତକୁ ତା’ରି ମାଟିରେ ପାଣି ପିଆଇ ଦେଇଛି।