ସୁନ୍ଦରଗଡ଼: ଅଗଷ୍ଟ ୧ ତାରିଖରୁ ତଳସରା ଥାନା ଅନ୍ତର୍ଗତ ଏକ ଗାଁରୁ ଜଣେ ୧୭ ବର୍ଷର ନାବାଳିକା ନିଖୋଜ ଥିଲେ। ମାମଲାରେ ୨ ଜଣ ଯୁବକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିଲା। ଆଜି ସକାଳୁ ସନ୍ଧାନୀ କୁକୁର ଓ ପୁଲିସ ବଳ ପହଞ୍ଚି ଛତିଶଗଡ଼ ସୀମାନ୍ତ ଜାମବାହାଲ ଜଙ୍ଗଲରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହକୁ ଠାବ କରିଛି। ବେକରେ ଫାଶ ଓଲଟା ରହିଥିବା ଓ ପାଦ ଆଙ୍ଗୁଠିରେ ରକ୍ତଦାଗ ଥିବାରୁ ତାକୁ କେହି ହତ୍ଯା କରି ଗଛରେ ଝୁଲାଇ ଦେଇଥିବା ସନ୍ଦେହ ହୋଇଛି । ସାଇଣ୍ଟିଫିକ ଟିମ୍ ଡକାଇ ମୃତଦେହକୁ ଉଦ୍ଧାର କରିବାକୁ ପୁଲିସ ପ୍ରକ୍ରିୟା ଆରମ୍ଭ କରିଛି।
ଗତକାଲି ନାବାଳିକାଙ୍କୁ ନିଜ ଗାଁର ଜଣେ ଯୁବକ ବାଇକରେ ବସାଇ ଜଙ୍ଗଲ ଆଡ଼କୁ ନେଇ ଯାଇଥିବା ଲୋକେ ଦେଖିଥିଲେ। କିନ୍ତୁ ପରେ ଯୁବକ ଫେରି ଆସିଥିବାବେଳେ ନାବାଳିକାଙ୍କ ଖୋଜଖବର ମିଳିଲା ନାହିଁ। ଏନେଇ ନାବାଳିକାଙ୍କ ବାପା ତଳସରା ଥାନାରେ ନିଖୋଜ ଅଭିଯୋଗ କରିବା ପରେ ପୁଲିସ ତତ୍ପରତା ଦେଖାଇ ତନାଘନା ଚଲାଇଥିଲା।