କୋତୱାଲିର ନୟାଗଞ୍ଜ ଅଞ୍ଚଳରେ ରହୁଥିବା ଜଣେ ଛୋଟ କିରାଣା ଦୋକାନୀଙ୍କୁ ଆୟକର ବିଭାଗ ପକ୍ଷରୁ ଏପରି ଏକ ନୋଟିସ ମିଳିଛି, ଯାହା ତାଙ୍କ ହୋସ ଉଡ଼ାଇ ଦେଇଛି।
ଉତ୍ତର ପ୍ରଦେଶର ବୁଲନ୍ଦସହରରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ତାହା ହେଲା କୋଟି କୋଟି ଟଙ୍କାର ଟିକସ ଫାଙ୍କିଥିବା ଅଭିଯୋଗରେ ଏକ ଛୋଟ କିରାଣା ଦୋକାନ ମାଲିକଙ୍କୁ ଆୟକର ବିଭାଗ ନୋଟିସ ପଠାଇଛି। ଯେତିକି ଟଙ୍କାର ନୋଟିସ ପଠାଯାଇଛି, ତାହା ଦେଖି ଶୁଣି ଦୋକାନୀ ଏବଂ ତାଙ୍କ ପରିବାର ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି ।
କୋତୱାଲିର ନୟାଗଞ୍ଜ ଅଞ୍ଚଳରେ ରହୁଥିବା ଜଣେ ଛୋଟ କିରାଣା ଦୋକାନୀଙ୍କୁ ଆୟକର ବିଭାଗ ପକ୍ଷରୁ ଏପରି ଏକ ନୋଟିସ ମିଳିଛି, ଯାହା ତାଙ୍କ ହୋସ ଉଡ଼ାଇ ଦେଇଛି।
ଆୟକର ବିଭାଗ ପକ୍ଷରୁ ଦୋକାନୀଙ୍କୁ ୧ ଅରବ ୪୧ କୋଟି ୨୮ ଲକ୍ଷ ୪୭ ହଜାର ୧୨୬ ଟଙ୍କାର ଟିକସ ଫାଙ୍କିଥିବା ଅଭିଯୋଗରେ ନୋଟିସ ଜାରି କରିଛି । ନୋଟିସ ପାଇବା ମାତ୍ରେ ହିଁ ଦୋକାନୀ ଏବଂ ତାଙ୍କ ପରିବାର ଭାଙ୍ଗି ପଡ଼ିଥିଲେ । ତାଙ୍କ ମୁଣ୍ଡ ଆଉ କାମ କରିନଥିଲା । ପରିବାର ଲୋକଙ୍କ କହିବାନୁଯାୟୀ ସେମାନେ ଏତେ ବଡ଼ କାରବାର ବିଷୟରେ କେବେ ଶୁଣି ନାହାଁନ୍ତି । ତେଣୁ ଏତେ ବଡ଼ ପରିମାଣର କର ଫାଙ୍କିବାର ପ୍ରଶ୍ନ ହିଁ ଉଠୁନାହିଁ। ତଦନ୍ତରୁ ଜଣାପଡିଛି ଯେ ଦୋକାନୀଙ୍କ ଆଧାର କାର୍ଡ ଏବଂ ପାନ କାର୍ଡକୁ ଦିଲ୍ଲୀର ୬ଟି କମ୍ପାନୀ ଠକେଇ ଭାବରେ ବ୍ୟବହାର କରିଛନ୍ତି।
ଏହି କମ୍ପାନୀଗୁଡ଼ିକ ତାଙ୍କ କାଗଜପତ୍ରର ଅପବ୍ୟବହାର କରି କୋଟି କୋଟି ଟଙ୍କାର କାରବାର ଦେଖାଇଥିଲେ ଏବଂ ଟିକସ ଫାଙ୍କିବା ଅପରାଧକୁ ଏହି ଗରିବ ଦୋକାନୀଙ୍କ ଉପରେ ଥୋପି ଦେଇଥିଲେ । ପୀଡିତଙ୍କ ପରିବାର ସ୍ଥାନୀୟ ପୋଲିସ ଷ୍ଟେସନରେ ପୁରା ମାମଲା ବିଷୟରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗ ପରେ, ପୋଲିସ ଏକ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଦୋକାନୀ ସୁଧୀର ଗୁପ୍ତା କହିଛନ୍ତି ଯେ ମୁଁ ଜଣେ ଛୋଟ କିରାଣା ବ୍ୟବସାୟୀ। ମୁଁ କେବେ କୋଟି କୋଟି ଟଙ୍କାର ବ୍ୟବସାୟ କରିନାହିଁ। ଯେତେବେଳେ ହଠାତ୍ ଆୟକର ବିଭାଗରୁ ଏତେ ବଡ଼ ନୋଟିସ ଆସିଲା, ସମଗ୍ର ପରିବାରର ଚେତା ଉଡ଼ିଗଲା । ଏବେ ଆମେ ଆମର ସୁରକ୍ଷାକୁ ନେଇ ମଧ୍ୟ ଚିନ୍ତିତ। ଆମେ ପୋଲିସକୁ ଅନୁରୋଧ କରୁଛୁ ଯେ ଆମକୁ ନ୍ୟାୟ ଦିଆଯାଉ ଏବଂ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।