ସାର ଯୋଗାଣ ବାଧାପ୍ରାପ୍ତ, ହନ୍ତସନ୍ତ ଚାଷୀ
କଳାବଜାରୀ ଅଭିଯୋଗ ଆଣି ସରକାରଙ୍କୁ ଘେରିଲେ ବିରୋଧୀ
ବିଜେଡି ସମୟରୁ ଥିବା ଅସାଧୁ ସାର ଡିଲରଙ୍କ ଉପରେ ବିଜେପି ସରକାର ନେଲେ ଆକ୍ସନ
ସାର ଅଭାବରୁ ଆଗେଇ ପାରୁନି ଚାଷ କାମ । ପୁଣି କେଉଁଠି କଳାବଜାରୀ ଯୋଗୁଁ ଚଢ଼ା ଦରରେ ସାର କିଣିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ଆଉ ପୁଣି କେଉଁଠି ଚାଷୀଙ୍କୁ ଦିଆଯାଉଛି ନକଲି ବା ଭେଜାଲ ସାର । ସାରା ରାଜ୍ୟରୁ ଆସୁଛି ଏଭଳି ମାଳମାଳ ଅଭିଯୋଗ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ବି ଦେଖିବାକୁ ମିଳିଛି ସମାନ ଚିତ୍ର । ସାର ଅଭାବ ଯୋଗୁଁ ଚିନ୍ତାରେ ପଡ଼ିଛନ୍ତି ଚାଷୀ । କିନ୍ତୁ ସାର ବେପାରୀ କଳାବଜାରୀ କରିବାରେ ମାତିଛନ୍ତି । ଅଭିଯୋଗ ପରେ କୁଚିଣ୍ଡା ତହସିଲଦାରଙ୍କ ନେତୃତ୍ଵରେ କୁଚିଣ୍ଡା ଆଇସିଏସ୍ ଗୋଛରାଗ୍ରାମ ପଞ୍ଚାୟତ ଉଲୁଣ୍ଡା ଗାଁର ଏକ ସାର ଗୋଦାମରେ ଚଢ଼ାଉ କରିଥିଲେ । ବେଆଇନ ଭାବେ ଗଚ୍ଛିତ ଥିବା ୟୁରିଆ, ଡିଏପି, ପଟାସ ସାର ଜବତ କରି ଗୋଦାମ ସିଲ୍ କରାଯାଇଛି।
ସେପଟେ ସୁବର୍ଣ୍ଣପୁର ଜିଲ୍ଲାରେ ଚାଷୀଙ୍କୁ ମିଳିଛି ଧୋକା । ନକଲି ସାର କିଣି ଚିନ୍ତାରେ ଚାଷୀ । ଉଲୁଣ୍ଡା ବ୍ଲକ ମାଟୁପାଲି ଗାଁର ଚାଷୀ ବିଶ୍ୱନାଥ କର୍ମୀ । ଦଲାଲ୍ ହାବୁଡ଼ରେ ପଡ଼ି ଜଣେ ଅଣ ଓଡ଼ିଆ ବେପାରୀଙ୍କ ଠାରୁ ୧୫ ପ୍ୟାକେଟ ଗ୍ରୋମର ଓ ଗୋଟିଏ ପ୍ୟାକେଟ୍ ପଟାସ କିଣିଥିଲେ । ବିଲରେ ପକାଇବା ପରେ ସାର ନ ତରଳିବାରୁ ସନ୍ଦେହ ହେଲା। ପଚରା ଉଚରା କରିବାରୁ ସାର ଗୋଦାମ ବନ୍ଦ କରି ବେପାରୀ ଫେରାର ହୋଇଗଲେ।
ସେପଟେ ଜଟଣୀରେ ନାନୋ ୟୁରିଆ ଓ ନାନୋ ଡିଏପି ଯୋଗାଣରେ ହୋଇଛି ବଡ଼ ଅନିୟମିତତା । ୨୦୨୫ ଏପ୍ରିଲ ୧୦ରେ ଜଟଣୀ ବ୍ଲକ ଅଧିକାରୀ ଲେଖିଥିବା ଚିଠିରେ ଜଟଣୀ ଅଞ୍ଚଳରେ ଚାଷୀଙ୍କୁ ଦିଆଯାଉଥିବାର ସାର ନିମ୍ନ ମାନର ବୋଲି ଲେଖାଯାଇଛି । ତାହା ପୁଣି ଉତ୍ତରପ୍ରଦେଶ ଗଜିଆବାଦରେ ଥିବା କେନ୍ଦ୍ର ସରକାରଙ୍କ ନ୍ୟାସନାଲ ଟେଷ୍ଟ ହାଉସ ଦେଇଛି ରିପୋର୍ଟ । କିନ୍ତୁ ରିପୋର୍ଟ ଆସିବା ଆଗରୁ ଜଟଣୀ MARKFED ଗୋଦାମରୁ ଖାଲି ହୋଇଯାଇଛି ଭେଜାଲ ସାର । ଯାହାକୁ ନେଇ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ସାର ବିକ୍ରି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଟଣୀ ବ୍ଲକ କୃଷି ଅଧିକାରୀ । ଆଉ ଏନେଇ ଖୋର୍ଦ୍ଧା ଜିଲ୍ଲା କୃଷି ଅଧିକାରୀଙ୍କୁ ଚିଠି ଲେଖି ଅବଗତ ମଧ୍ୟ କରିଛନ୍ତି ବ୍ଲକ କୃଷି ଅଧିକାରୀ ।
ଅନ୍ୟପଟେ ସାର ଯୋଗାଣକୁ ନେଇ ତେଜିଛି ରାଜ୍ୟ ରାଜନୀତି । ଜୋର ଧରିଛି ଆରୋପ ପ୍ରତ୍ୟାରୋପ। ସାର କଳାବଜାରୀ କିମ୍ବା ନକଲି ସାର ବିକ୍ରି ଉପରେ ରୋକ ଲଗାଇବାକୁ ରାଜ୍ୟ ସାରା ଜାରି ରହିଛି ଚଢ଼ାଉ । ୧୨୦୨ ଖୁଚୁରା ସାର ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି, ୩୦ଟି ଦୋକାନରେ ସାର ବିକ୍ରି ବନ୍ଦ କରିବା ସହ ୬୨ଟି ଡିଲର ଲାଇସେନ୍ସ ବାତିଲ କରିଛନ୍ତି ସରକାର ।
Discover more from Emerging Odisha
Subscribe to get the latest posts sent to your email.