ଏପ୍ରିଲ ୨୨ ପହଲଗାମ ନରସଂହାରରେ ସାମିଲ ୩ ଲସ୍କର ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଅପରେସନ ମହାଦେବ ଜରିଆରେ ଖତମ କରିଛନ୍ତି। ପହଲଗାମ ହମଲାର ବଦଲା ସୁରକ୍ଷାକର୍ମୀ ନେଇଛନ୍ତି ବୋଲି ଆଜି ଲୋକସଭାକୁ ଅବଗତ କରାଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ।
ଅପରେସନ ସିନ୍ଦୂରକୁ ନେଇ ଲୋକସଭାରେ ସୋମବାର ଠାରୁ ବିତର୍କ ଆରମ୍ଭ ହୋଇଛି। ଆଜି ଏହି ପ୍ରସଙ୍ଗରେ ମତ ରଖିବା ବେଳେ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ସୋମବାର ସୁରକ୍ଷାକର୍ମୀ କରିଥିବା ଅପରେସନ ମହାଦେବ ସମ୍ପର୍କରେ ଶ୍ରୀ ଶାହ ସୂଚନା ଦେଇଛନ୍ତି। ଅପରେସନ ମହାଦେବ ସଫଳ ହୋଇଛି ଓ ପହଲଗାମ ହମଲାରେ ସାମିଲ ଥିବା ୩ ଆତଙ୍କୀଙ୍କୁ ନିପାତ କରାଯାଇଥିବା ସେ କହିଛନ୍ତି।
ଲୋକସଭାରେ ଶ୍ରୀ ଶାହ କହିଛନ୍ତି ଯେ ଭୋଟର ଆଇଡି ଓ କିଛି ଚକୋଲେଟ ନିହତ ଆତଙ୍କବାଦୀଙ୍କ ଠାରୁ ମିଳିଛି। ଏଥିରୁ ସେମାନଙ୍କ ଲିଙ୍କ ପାକିସ୍ତାନ ସହ ରହିଥିବା ପ୍ରମାଣିତ ହୋଇଛି। ସେ କହିଛନ୍ତି, “ବୈସାରନ ଭ୍ୟାଲିରେ ନିରୀହ ଲୋକଙ୍କୁ ସେମାନଙ୍କ ପରିବାର ଲୋକଙ୍କ ଆଗରେ ଧର୍ମ ପଚାରି ହତ୍ୟା କରାଯାଇଥିଲା। ଏବେ ଆର୍ମି, ସିଆରପିଏଫ ଓ ଜମ୍ମୁ-କଶ୍ମୀର ପୁଲିସ୍ ମିଳିତ ଅପରେସନ ଜରିଆରେ ହମଲାରେ ସାମିଲ ୩ ଆତଙ୍କବାଦୀଙ୍କୁ ମାରିଛନ୍ତି।”
ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ କହିବା କଥା ଯେ ସମସ୍ତ ୩ ନିହତ ଆତଙ୍କବାଦୀ ଲସ୍କରର ସଦସ୍ୟ। ସେମାନେ ହେଲେ ଲସ୍କର କମାଣ୍ଡର ସୁଲେମାନ ଶାହ, ଆଫଗାନ ଓ ଜିବ୍ରାନ। ଏହି ୩ ଜଣ ପହଲଗାମ ହମଲାରେ ସାମିଲ ଥିଲେ। ସେମାନଙ୍କୁ ପହଲଗାମ ହମଲା ବେଳେ ଆଶ୍ରୟ ଦେଇଥିବା ଲୋକମାନେ ଚିହ୍ନଟ କରି ସାରିଛନ୍ତି।
ଗତ ମାସରେ ପହଲଗାମ ନରରାକ୍ଷାସଙ୍କୁ ଆଶ୍ରୟ ଦେଇଥିବା ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା ପରଭେଜ ଅହମଦ ଜୋଥାର ଓ ବଶିର ଅହମଦକୁ ଗିରଫ କରିଥିଲା। ଅମିତ ଶାହ କହିଛନ୍ତି, “ଆତଙ୍କବାଦୀଙ୍କୁ ଖାଦ୍ୟ ଓ ଆଶ୍ରୟ ଦେଇଥିବା ଲୋକଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା। ଶ୍ରୀନଗରକୁ ନିହତ ଆତଙ୍କବାଦୀଙ୍କ ମୃତଦେହକୁ ଅଣାଯିବା ପରେ ପୂର୍ବରୁ ଆମ ସୁରକ୍ଷା ଏଜେନ୍ସି ଦ୍ୱାରା ଗିରଫ ହୋଇଥିବା ଲୋକମାନେ ଏଗୁଡ଼ିକୁ ଚିହ୍ନଟ କରିଛନ୍ତି।”
ଅପରେସନ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଶାହ କହିଛନ୍ତି ଯେ ଦେଶ ଛାଡ଼ି ଯେମିତି ଆତଙ୍କବାଦୀମାନେ ଖସି ପାରିବେ ନାହିଁ, ସେନେଇ ସୁରକ୍ଷାକର୍ମୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲା। ଆତଙ୍କବାଦୀ ହମଲା ପରେ ମିଳିଥିବା କ୍ୟାଟ୍ରିଜର ଫରେନ୍ସିକ ରିପୋର୍ଟ ପୂର୍ବରୁ ପ୍ରସ୍ତୁତ ସରିଥିଲା। ଗତକାଲି(ସୋମବାର) ୩ ନିହତ ଆତଙ୍କବାଦୀଙ୍କ ରାଇଫଲକୁ ସିଜ କରାଯାଇଥିଲା।
ଏହାକୁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଫରେନ୍ସିକ ଲ୍ୟାବ ରିପୋର୍ଟ ସହ ମେଳ କରାଯାଇଥିଲା। ଏହାପରେ ସ୍ପଷ୍ଟ ହୋଇଥିଲା ଯେ ନିହତ ୩ ଆତଙ୍କବାଦୀ ପହଲଗାମ ହମଲାରେ ସାମିଲ ଥିଲେ। ୧୭ଟି ଗ୍ରେନେଡ, ଗୋଟିଏ ଆମେରିକା ନିର୍ମିତ ଏମ୪ କାରବାଇନ ଓ ୨ଟି ଏକେ ୪୭ ରାଇଫଲ ଆତଙ୍କବାଦୀଙ୍କ ଠିକଣାରୁ ମିଳିଛି।”
Discover more from Emerging Odisha
Subscribe to get the latest posts sent to your email.