ୱାସିଂଟନ/ନୂଆଦିଲ୍ଲୀ: ରୁଷ୍ଠାରୁ ଅଶୋଧିତ ତେଲକିଣାକୁ ନେଇ ଭାରତ ଏବଂ ଆମେରିକା ଏକପ୍ରକାର ମୁହାଁମୁହିଁ ସ୍ଥିତିକୁ ଆସିଯାଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ମୁଁ ଶୁଣିବାକୁ ପାଉଛି ଯେ ରୁଷ୍ଠାରୁ ଭାରତ ତେଲ କିଣା ବନ୍ଦ କରିଦେଇଛି। ଏହା ଠିକ୍ କି ନୁହେଁ ତାହା ମୁଁ ଜାଣିନାହିଁ। ଯଦି ବନ୍ଦ ହୋଇଥାଏ ତା’ହେଲେ ଏହା ଏକ ଭଲ ପଦକ୍ଷେପ ବୋଲି ଟ୍ରମ୍ପ କହିଥିଲେ। ଭାରତ ଉପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ୨୫ ପ୍ରତିଶତ ପାଲଟା ଶୁଳ୍କ ଏବଂ ଜରିମାନା ଘୋଷଣା କରିବା ପରେ ତେଲ କିଣାକୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି। ଏହା ପୂର୍ବରୁ ଟ୍ରମ୍ପ ଏବଂ ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ରୁଷ୍ ଉପରେ ୟୁକ୍ରେନ ଯୁଦ୍ଧ ପାଇଁ କଟକଣା ସତ୍ତ୍ବେ ଭାରତ ତେଲ କିଣୁଥିବାରୁ ଅସନ୍ତୋଷ ବ୍ୟକ୍ତ କରି ସମାଲୋଚନା କରିଥିଲେ।
କିନ୍ତୁ ଭାରତର ଅଧିକାରୀମାନଙ୍କ ସୂତ୍ରରୁ ଜଣାଯାଇଛି ଯେ ଭାରତୀୟ କମ୍ପାନିଗୁଡ଼ିକ ରୁଷ୍ରୁ ତେଲ କିଣିବା ବନ୍ଦ କରିଥିବା ନେଇ ସେମାନେ ଅବଗତ ନାହାନ୍ତି। ଭାରତର ତେଲ କ୍ରୟ ଏହାର ଜାତୀୟ ସ୍ବାର୍ଥ ଏବଂ ବଜାର ସ୍ଥିତି ଦ୍ବାରା ପରିଚାଳିତ। ଭାରତୀୟ ତେଲ କମ୍ପାନିଗୁଡ଼ିକ ରୁଷ୍ରୁ ତେଲ କିଣିବା ବନ୍ଦ କରିବା ନେଇ କୌଣସି ରିପୋର୍ଟ ଆମ ନିକଟରେ ନାହିଁ ବୋଲି ବିଦେଶ ମନ୍ତ୍ରାଳୟର ଏକ ସୂତ୍ରରୁ ଜଣାଯାଇଛି। ଯଦିଓ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏ ସଂପର୍କରେ ଔପଚାରିକଭାବେ କୌଣସି ବିବୃତି ଦିଆଯାଇ ନାହିଁ ତଥାପି ଶୁକ୍ରବାର ବିଦେଶ ବ୍ୟାପାର ମନ୍ତ୍ରାଳୟର ପ୍ରବକ୍ତା ରଣଧୀର ଜୟସ୍ବାଲ ଏହି ସମାନ ଧରଣର ବିବୃତି ଦେଇଥିଲେ। ଜୟସ୍ବାଲ କହିଥିଲେ ଆମର ଇନ୍ଧନ କ୍ରୟ ସଂକ୍ରାନ୍ତ ସାମୂହିକ ଆଭିମୁଖ୍ୟ ସଂପର୍କରେ ଆପଣମାନେ ଅବଗତ ଥିବେ। ବିଶ୍ବର ସାଂପ୍ରତିକ ସ୍ଥିତିରେ ବଜାରର ଉପଲବ୍ଧତାକୁ ଆମେ ଦେଖିଥାଉ। କିନ୍ତୁ ନିର୍ଦ୍ଦିଷ୍ଟଭାବେ ଆମେ କିଛି ଅବଗତ ନାହୁଁ ବୋଲି ଗତ ଶୁକ୍ରବାର ସାପ୍ତାହିକ ସୂଚନା ପ୍ରଦାନ ସମୟରେ ଜୟସ୍ବାଲ କହିଥିଲେ।
ରୁଷ୍ ପ୍ରଦାନ କରୁଥିବା ରିହାତି ଅପେକ୍ଷାକୃତଭାବେ କମିଯିବା ଏବଂ ଆମେରିକାର ଚେତାବନୀ କାରଣରୁ ଭାରତର ସରକାରୀ ତେଲ କମ୍ପାନିଗୁଡ଼ିକ ରୁଷ୍ରୁ ତେଲ କିଣିବା ଗତ ସପ୍ତାହରେ ବନ୍ଦ କରିଦେଇଛନ୍ତି ବୋଲି ଏକାଧିକ ରିପୋର୍ଟ ପ୍ରକାଶ ପାଇଥିଲା। ରଏଟର୍ସ ରିପୋର୍ଟ ମୁତାବକ ଭାରତୀୟ ତୈଳ ନିଗମ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ, ଭାରତ ପେଟ୍ରୋଲିୟମ କର୍ପୋରେସନ ଏବଂ ମାଙ୍ଗାଲୋର ରିଫାଇନାରି ପେଟ୍ରୋକେମିକାଲ ଲିମିଟେଡ ଗତ ସପ୍ତାହରେ ରୁଷରୁ ଅଶୋଧିତ ତେଲ କିଣିନାହାନ୍ତି। ତେବେ ରଏଟର୍ସ ରିପୋର୍ଟ ଉପରେ ପେଟ୍ରୋଲିୟମ ମନ୍ତ୍ରାଳୟ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ନଥିଲା।
Discover more from Emerging Odisha
Subscribe to get the latest posts sent to your email.