ପୁଣି ଜଣେ ଝିଅ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। ବରଗଡ଼ ଜିଲ୍ଲା ଗାଏସିଲାଟ ଥାନା ଫିରିଙ୍ଗିମାଲ ଗାଁର ନାବାଳିକା ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଝିଛନ୍ତି। ଫିରିଙ୍ଗିମାଲର ଗୋଟିଏ ପଡ଼ିଆରୁ ଆଜି ସକାଳେ ନାବାଳିକାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହାପରେ ତାଙ୍କୁ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଆମ୍ବୁଲାନ୍ସରେ ପଦ୍ମପୁରରୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
ହସ୍ପିଟାଲରେ ଭର୍ତ୍ତି କରାଯିବା ବେଳେ ନାବାଳିକାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା। ତାଙ୍କ ଶରୀରରୁ ଅଧାରୁ ଅଧିକ ଅଂଶ ପୋଡ଼ି ଯାଇଥିଲା। ଡାକ୍ତରଙ୍କ ସବୁ ପ୍ରକାରର ଉଦ୍ୟମ ସତ୍ତ୍ୱେ ନାବାଳିକା ଜଣଙ୍କ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି।
ତେବେ ନାବାଳିକା ଜଣଙ୍କ ଆତ୍ମାହୁତି ଉଦ୍ୟମ କରିଥିଲେ ନା ତାଙ୍କୁ କେହି ଜାଳି ଦେଇଛି ତାହା ସ୍ପଷ୍ଟ ହୋଇପାରିନି। ସେ ତାଙ୍କ ମାମୁ ଘର ଗାଁ ପଡ଼ିଆରେ ପୋଡ଼ି ଯାଇଥିଲେ। ପ୍ରାଣ ହରାଇଥିବା ଝିଅର ବୟସ ୧୩ ବର୍ଷ ହୋଇଥିବା ବେଳେ ସେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ।
ବରଗଡ଼ ଦାୟିତ୍ୱରେ ଥିବା ବଲାଙ୍ଗିର ଏସ୍ପି ଅଭିଳାଷ.ଜି ସୂଚନା ଦେଇ କହିଛନ୍ତି , ନାବାଳିକା ପୋଡ଼ି ଘଟଣାରେ ପୁଲିସ ତତ୍ପରତାର ସହିତ ୩ ଜଣ ଆଇଆଇସିଙ୍କୁ ନେଇ ତଦନ୍ତ ପାଇଁ ଗୋଟିଏ ଟିମ୍ ଗଠନ କରାଯାଇଛି। ଫିରିଙ୍ଗିମାଲ ଗାଁକୁ ଯାଇ ପୁଲିସ ଟିମ୍ ଯାଞ୍ଚ ଆରମ୍ଭ କରିଛନ୍ତି ବୋଲି ସେ କହିଛନ୍ତି।
ଗାଁ ଲୋକଙ୍କ କହିବା ଅନୁସାରେ, ପେଟ୍ରୋଲ ଢାଳି ନାବାଳିକା ଜଣଙ୍କ ଜଳି ଯାଇଛନ୍ତି। ପଡ଼ିଆରେ ତାଙ୍କର ଚପଲ, ପେଟ୍ରୋଲ୍ ବୋତଲ ସହ ଦିଆସିଲି ପଡ଼ିଥିବା ଦେଖିବାକୁ ମିଳିଛି। ତେବେ କେମିତି ଏତେ ବଡ଼ ଘଟଣା ଘଟିଲା ସେନେଇ ସ୍ପଷ୍ଟ କାରଣ ଜଣାପଡ଼ିନାହିଁ।