ଭୁବନେଶ୍ୱର,୨୦ା୮:ରାଜ୍ୟର ସମସ୍ତ ଶିଶୁ(ବାଲ୍)ବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ୧୧ଦିନର ଚାଉଳ ସହ ରନ୍ଧନ ବାବଦ ଟଙ୍କା ପ୍ରଦାନ କରାଯିବ। ପ୍ରଧାନ ଶିକ୍ଷକମାନେ ତୁରନ୍ତ ପିଲାଙ୍କୁ ଏହା ବଣ୍ଟନ କରି ସରକାରଙ୍କୁ ଜଣାଇବେ। ଏଥିପ୍ରତି ଜିଲା ଶିକ୍ଷା ଅଧିକାରୀ ଏବଂ ଜିଲାପାଳ ଗୁରୁତ୍ୱ ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର କୁହାଯାଇଛି। ଏପ୍ରିଲ୍ ୨୩ରୁ ମେ’ ୫ ପର୍ଯ୍ୟନ୍ତ ଗ୍ରୀଷ୍ମଛୁଟିରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ନ ମିଳିବା ଅଭିଯୋଗ ଆସିବା ପରେ ଏହାକୁ ନେଇ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ମଧ୍ୟାହ୍ନଭୋଜନ ରାଜ୍ୟ କ୍ଷେତ୍ରୀୟ ଅଧିକାରୀ ଭବାନୀ ପ୍ରସାଦ ମିଶ୍ର ଜିଲା ସ୍ତରରୁ ତଥ୍ୟ ଲୋଡ଼ିଥିଲେ। ଏହାକୁ ଆଧାର କରି ସରକାରଙ୍କ ପକ୍ଷରୁ ୧୧ ଦିନର ଚାଉଳ ସହ ରନ୍ଧନ ବାବଦ ଅର୍ଥ ଛାତ୍ରୀଛାତ୍ରଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ମଧ୍ୟାହ୍ନଭୋଜନ ରାଜ୍ୟ କ୍ଷେତ୍ରୀୟ ଅଧିକାରୀ ସବୁ ଜିଲାପାଳଙ୍କୁ ପତ୍ର ଲେଖିଛନ୍ତି। ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷକ ଚାଉଳ ବଣ୍ଟନ କରିବେ। ସେହିପରି ରନ୍ଧନ ଦ୍ରବ୍ୟ ବାବଦ ଅର୍ଥକୁ ଛାତ୍ରୀଛାତ୍ର ବା ସେମାନଙ୍କ ଅଭିଭାବକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଡିବିଟି ମୋଡ୍ରେ ପ୍ରଦାନ କରାଯିବ।
Discover more from Emerging Odisha
Subscribe to get the latest posts sent to your email.