ନକଲି ସୁନା ଦେଇ ୬ଟି ବ୍ୟାଙ୍କରୁ ୨୪ ଲକ୍ଷ ଟଙ୍କା ଠକେଇ ମାମଲାରେ ୩ ଗିରଫ

Spread the love

ନକଲି ସୁନା ଚୁଡ଼ି ଦେଇ ୬ଟି ବ୍ୟାଙ୍କରୁ ୨୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି, ଉତ୍ତରପ୍ରଦେଶର ମିର୍ଜାପୁରର ଅଭିନବ ଶ୍ରୀବାସ୍ତବ (୨୬), ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟାର ବିଶ୍ୱଜିତ କର ଓ ଆକଟପୁରର ଶେଖ୍ ମନଜୁର ଇଲାଇ (୩୦)।

ପୁଲିସ ଅଭିଯୁକ୍ତଙ୍କ ଠାରୁ ୬୭ ଗ୍ରାମ ଓଜନର ୪ ହଳ ନକଲି ସୁନା ଚୁଡି, ୧୨ ଗ୍ରାମର ୨ ହଳ ନକଲି କାନଫୁଲ ଓ ୬୧.୭୦ ଗ୍ରାମ ଓଜନର ତରଳା ଯାଇଥିବା ରୁପା ଜବତ କରିଛି।

ପୂରା ଘଟଣା

ହିଞ୍ଜିଳିକାଟୁ ବଡ଼ଖଣ୍ଡିର ପି. ପୁରୁଷୋତ୍ତମ ନାମକ ଜଣେ ବ୍ୟକ୍ତି କିଛି ବର୍ଷ ପୂର୍ବେ ଆନ୍ଧ୍ରପ୍ରଦେଶ କାକିନାଡ଼ାରେ ଥିବା ଏକ ଚିଙ୍ଗୁଡି ଫ୍ୟାକ୍ଟ୍ରିରେ କାମ କରୁଥିଲେ। ସେହି ଫ୍ୟାକ୍ଟ୍ରିରେ ୟୁପିର ଅଭିନବ ଶ୍ରୀବାସ୍ତବ ଓ ବାଲେଶ୍ୱରର ବିଶ୍ଵଜିତ ଏବଂ ମନସୁର କାମ କରୁଥିଲେ। ୪ ଜଣଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା।

ଦେଢ଼ ବର୍ଷ ତଳେ ଏହି ୩ ଅଭିଯୁକ୍ତ ପି. ପୁରୁଷୋତ୍ତମଙ୍କ ସହ ଯୋଗାଯୋଗ କରିଥିଲେ। ଅଭିଯୁକ୍ତମାନେ ବ୍ରହ୍ମପୁର ପହଞ୍ଚି ପୁରୁଣା ବସ୍‌ଷ୍ଟାଣ୍ଡରେ ଥିବା ଏକ ହୋଟେଲରେ ରହିବା ସହ ସେଠାକୁ ପୁରୁଷୋତ୍ତମକୁ ଡାକିଥିଲେ। ସେମାନେ ଆନ୍ଧ୍ରପ୍ରଦେଶରେ ଏକ ଚିଙ୍ଗୁଡି ଫ୍ୟାକ୍ଟ୍ରି କରିବେ ବୋଲି ତାଙ୍କୁ କହିଥିଲେ। ସେଥିପାଇଁ ବ୍ୟାଙ୍କରେ ପୁରୁଣା ସୁନା ଅଳଙ୍କାର ବନ୍ଧକ ରଖି ଋଣ କରାଇଦେବାକୁ ସେମାନେ ପୁରୁଷୋତ୍ତମଙ୍କୁ ଅନୁରୋଧ କରିଥିଲେ।

ପୁରୁଷୋତ୍ତମ ନିଜର ୨ ଜଣ ସମ୍ପର୍କୀୟଙ୍କ ନାଁରେ ବ୍ରହ୍ମପୁର, ହିଞ୍ଜିଳିକାଟୁ ଓ ମାଣ୍ଡିଆପଲ୍ଲୀରେ ଥିବା ଏକାଧିକ ସରକାରୀ ଏବଂ ଘରୋଇ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଅଭିଯୁକ୍ତଙ୍କ ଠାରୁ ସୁନା ନେଇ ବନ୍ଧକ ରଖିଥିଲେ।

ପୁରୁଷୋତ୍ତମ ନିଜ ସମ୍ପର୍କୀୟଙ୍କ ନାମରେ ବ୍ରହ୍ମପୁର ସ୍ଥିତ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଶାଖାରେ ୪ଟି ସୁନା ଚୁଡ଼ି ଓ ୨ଟି କାନଫୁଲ ଦେଇ ୩ ଲକ୍ଷ ୫୦ ହଜାର ଟଙ୍କା ଋଣ ଉଠାଇଥିଲେ। ସେହିପରି ନକଲି ସୁନା ଦେଇ ଟାଟାବେଞ୍ଜ ଛକରେ ଥିବା ଫେଡେରାଲ ବ୍ୟାଙ୍କରୁ ୩ ଲକ୍ଷ ୫୦ ଓ ହିଞ୍ଜିଳିକାଟୁ ଆକ୍ସିସ ବ୍ୟାଙ୍କରୁ ୩ ଲକ୍ଷ ୩୫ ହଜାର ଟଙ୍କା ଋଣ ଉଠାଇଥିଲେ। ୧୦ ଲକ୍ଷରୁ ଅଧିକ ଟଙ୍କା ଋଣ ଉଠାଇବା ପରେ ସମସ୍ତ ଟଙ୍କା ଆଣି ଅଭିଯୁକ୍ତଙ୍କୁ ଦେଇଥିଲେ।

ଏହାର କିଛି ମାସ ପରେ ଅଭିଯୁକ୍ତମାନେ ପୁଣି ଥରେ ବ୍ରହ୍ମପୁର ଆସି ଆଉ କିଛି ଟଙ୍କା ଆବଶ୍ୟକ ଥିବା ପୁରୁଷୋତ୍ତମଙ୍କୁ କହିଥିଲେ। ଏହା ସହିତ ପୁଣି ଥରେ ସେମାନେ ତାଙ୍କୁ କିଛି ସୁନା ଚୁଡ଼ି ଓ କାନଫୁଲ ଦେଇଥିଲେ। ପୁରୁଷୋତ୍ତମ ମାଣ୍ଡିଆପଲ୍ଲୀ ସ୍ଥିତ ଆକ୍ସିସ ବ୍ୟାଙ୍କ, ଖୋଡାସିଂ ସ୍ଥିତ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଓ ହିଞ୍ଜିଳିକାଟୁ ଡିସିବି ବ୍ୟାଙ୍କରେ ସେଗୁଡ଼ିକୁ ଦେଇ ପୁଣି ୧୦ ଲକ୍ଷରୁ ଅଧିକ ଟଙ୍କା ଋଣ ଉଠାଇ ଅଭିଯୁକ୍ତମାନଙ୍କୁ ଦେଇଥିଲେ। ସାହାଯ୍ୟ କରିଥିବାରୁ ଅଭିଯୁକ୍ତମାନେ ପୁରୁଷୋତ୍ତମକୁ ୨ଟି ସୁନା ଚୁଡ଼ି ଦେଇଥିଲେ।

ପୁରୁଷୋତ୍ତମ ସେହି ୨ ସୁନା ଚୁଡ଼ି ବଦଳରେ ଅନ୍ୟ କିଛି ଅଳଙ୍କାର କିଣିବାକୁ ସୁନା ଦୋକାନକୁ ଯାଇ ସେଗୁଡ଼ିକ ନକଲି ବୋଲି ଜାଣିବାକୁ ପାଇଥିଲେ। ରୁପା ଚୁଡ଼ି ଉପରେ ସୁନାର ପ୍ରଲେପ ଦିଆଯାଇଥିବା ସେ ଜାଣିବାକୁ ପାଇଥିଲେ। ଅଭିଯୁକ୍ତମାନେ ତାଙ୍କୁ ଓ ସମ୍ପର୍କୀୟଙ୍କୁ ଫସାଇ ଦେଇଥିବା ପୁରୁଷୋତ୍ତମ ଜାଣିବା ପରେ ବୈଦ୍ୟନାଥପୁର ଥାନାକୁ ଯାଇ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତଙ୍କୁ ପୁଣିଥରେ ବ୍ରହ୍ମପୁର ଡକାଇବାକୁ ପୁରୁଷୋତ୍ତମଙ୍କୁ କହିଥିଲା। ତାଙ୍କଠାରୁ ଡକରା ପାଇ ଅଭିଯୁକ୍ତମାନେ ବ୍ରହ୍ମପୁର ଆସିଥିଲେ। ଆଉ ପୁଲିସ ସେମାନଙ୍କୁ କାବୁ କରିଥିଲା।

ବ୍ୟାଙ୍କ କର୍ମଚାରୀଙ୍କ ଉପରେ ସନ୍ଦେହ

୬ ସରକାରୀ ଓ ବେସରକାରୀ ବ୍ୟାଙ୍କ ଶାଖାରେ ଅଭିଯୁକ୍ତମାନେ ଦେଇଥିବା ନକଲି ସୁନା ବନ୍ଧକ ପଡ଼ିଥିଲେ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ ଆଜି ପର୍ଯ୍ୟନ୍ତ କିଭଳି ଜାଣି ପାରିଲେ ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି। ଏମିତିକି ଏହା ଭିତରେ ଆକ୍ସିସ ବ୍ୟାଙ୍କରେ ସୁନା ଋଣ ଅବଧି ପୂରଣ ହୋଇଯିବା ସହ ସୁଧ ପଇଠ କରାଯାଇ ନଥିବାରୁ ବ୍ୟାଙ୍କ ପକ୍ଷରୁ ଉକ୍ତ ନକଲି ସୁନାକୁ ନିଲାମ ମଧ୍ୟ କରି ଦିଆଯାଇଛି।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading