ପାଣିରେ ବୁଲିଲା ବୁଲଡୋଜର । ଚିଲିକାର ବୀସ୍ତିର୍ଣ୍ଣ ଅଂଚଳରେ ବୁଲିଛି ବୁଲଡୋଜର । ଦୀର୍ଘ ଦିନ ଧରି ଚିଲିକା ଭିତରେ ବେଆଇନ ଘେରି କରି ଚିଙ୍ଗୁଡ଼ି ମାରୁଥିବା ମାଫିଆଙ୍କ ବିରୋଧରେ ବଡ଼ ଅଭିଯାନ ଆରମ୍ଭ ହୋଇଛି । ସ୍ଥାନୀୟ ପ୍ରଶାସନ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ଏହି ଅଭିଯାନ ଚାଲିଛି । ଭସାପୋଲ ଉପରେ ଜେସିବିକୁ ରଖି ମଝି ଚିଲିକାରେ ବେଆଇନ ଦଖଲକୁ ସଂପୂର୍ଣ୍ଣ ଭାଙ୍ଗି ଦେଇଛି ପ୍ରଶାସନ। ଦୁଇଦିନରେ ପ୍ରାୟ ୨୭୦ ଏକର ଅଂଚଳର ବେଆଇନ ଚିଙ୍ଗୁଡ଼ି ଘେରିକୁ ଭାଙ୍ଗି ଦିଆଯାଇଛି ।
ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଚିଲିକାରେ ଘେରି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ବାରମ୍ବାର ମତ୍ସ୍ୟଜୀବୀ ଅଭିଯୋଗ କରି ଆସୁଥିବା ବେଳେ ଏବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣା ସ୍ଥଳରେ କୃଷ୍ଣପ୍ରସାଦ ତହସିଲର ଅତିରିକ୍ତ ତହସିଲଦାର ବିକାଶ କୁମାର ସେଠୀ, ଥାନା ଅଧିକାରୀ ସାମିଲ ହୋଇଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।