ଜଣେ ଗର୍ଭବତୀ ମହିଳାଙ୍କୁ ତାଙ୍କ ଶାଶୁ ଓ ଶ୍ୱଶୁର ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି କଟକ ଜିଲ୍ଲା ତିଗିରିଆ ଥାନା ନୂଆପାଟଣା ଗାଁରେ।
ମୃତ ମହିଳାଙ୍କ ନାଁ କଳ୍ପନା ଦତ୍ତ। ୯ ବର୍ଷ ତଳେ ତାଙ୍କର ବିବାହ ହୋଇଥିଲା। ତାଙ୍କର ୭ ବର୍ଷର ଝିଅଟିଏ ଅଛି।
କଳ୍ପନାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିବା ବେଳେ ତାଙ୍କୁ ବିଷ ପିଆଇ ହତ୍ୟା କରାଯାଇଥିବା ତାଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି।
କଳ୍ପନାଙ୍କ ବାପା କାଶୀନାଥ ବେହେରା କହିଛନ୍ତି, ମୋ ଝିଅକୁ ତା’ ଶାଶୁ-ଶ୍ୱଶୁର ବହୁତ ନିର୍ଯାତନା ଦେଉଥିଲେ। ମୋ ଝିଅକୁ ମାଡ଼ ମଧ୍ୟ ମାରୁଥିଲେ। ଆଜି ସକାଳେ ମୋତେ ଫୋନ୍ କରି କହିଥିଲେ ଯେ ଝିଅର ଦେହ ଖରାପ ଥିବାରୁ ତାକୁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ପହଞ୍ଚିଲା ବେଳକୁ ମୋ ଝିଅର ମୃତଦେହ ଥିବା ଦେଖିବାକୁ ପାଇଲି।
ସେ କହିଛନ୍ତି, ମୁଁ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ତାଙ୍କ (ସମୁଦିଙ୍କ) ବଡ଼ ବୋହୂ କାନ୍ଦି କାନ୍ଦି କହୁଥିଲେ ଯେ ବାପା ତୁମକୁ କେତେ ମନା କଲି ଛାଡ଼ି ଦିଅ, ମା’ ତୁମକୁ ବି କହିଲି ପିଆଅନା। ସେ ଏହା କହି କାନ୍ଦୁଥିବା ବେଳେ ମୋତେ ଦେଖି ଚୁପ୍ ହୋଇଗଲେ। ତେଣୁ ମୋର ସନ୍ଦେହ ଯେ ମୋ ଝିଅକୁ ତା’ ଶାଶୁ-ଶ୍ୱଶୁର ବିଷ ପିଆଇ ମାରି ଦେଇଛନ୍ତି। ଶ୍ୱଶୁର ଧରିଥିଲେ ଓ ଶାଶୁ ବିଷ ପିଆଇଥିଲେ। ଆଜିର ଘଟଣା ବିଷୟରେ ଜ୍ୱାଇଁଙ୍କ ବଡ଼ ଭାଇ ସବୁ ଜାଣିଥିବା ଭଳି ଲାଗୁଛି। କିନ୍ତୁ ସେ କିଛି କହୁ ନାହାନ୍ତି। ଏହି ଘଟଣା ଘଟିବା ବେଳେ ଜ୍ୱାଇଁ ଘରେ ନଥିଲେ ବୋଲି ସେ ପଚାରି ବୁଝିଥିବା କହିଛନ୍ତି।
ଅଭିଯୋଗ ପାଇବା ପରେ ପୁଲସ ମୃତ ମହିଳାଙ୍କ ସ୍ୱାମୀ ଓ ଶ୍ୱଶୁରଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।
Discover more from Emerging Odisha
Subscribe to get the latest posts sent to your email.