ଆସିଲା ନୂଆ ନିୟମ। BCCI ଖେଳାଳୀମାନଙ୍କ ପାଇଁ ନୂଆ ନିୟମ ଜାରି କରିଛି। BCCI ଘରୋଇ କ୍ରିକେଟରେ ମଲ୍ଟି-ଡେ’ ମ୍ୟାଚ୍ ପାଇଁ ‘ସିରିଅସ ଇଞ୍ଜୁରୀ ରିପ୍ଲେସମେଣ୍ଟ’ ନିୟମ ଆରମ୍ଭ କରିଛି। ଏହି ନିୟମ ୨୦୨୫-୨୬ ସିଜନରୁ ଲାଗୁ ହେବ ଏବଂ ମଲ୍ଟି-ଡେ ଫର୍ମାଟରେ ଆଘାତପ୍ରାପ୍ତ ଖେଳାଳିଙ୍କ ପାଇଁ ରିପ୍ଲେସମେଣ୍ଟ ଅନୁମତି ଦିଆଯିବ। ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ନିକଟରେ ଇଂଲଣ୍ଡ ଗସ୍ତରେ ଗମ୍ଭୀର ଆଘାତର ସମ୍ମୁଖୀନ ହେବାକୁ ପଡ଼ିଥିଲା।
ଲର୍ଡସ ଟେଷ୍ଟ ସମୟରେ ଉଇକେଟ କିପିଂ ବେଳେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଏହାପରେ ମାଞ୍ଚେଷ୍ଟର ଟେଷ୍ଟରେ ତାଙ୍କ ଗୋଡ଼ରେ ଗମ୍ଭୀର ଆଘାତ ଲାଗିଥିଲା, ଯାହାଫଳରେ ତାଙ୍କୁ ମଇଦାନ ଛାଡ଼ିବାକୁ ପଡ଼ିଥିଲା। ପନ୍ତଙ୍କ ଆଘାତ ଏଣ୍ଡରସନ-ତେନ୍ଦୁଲକର ଟ୍ରଫି ସିରିଜରେ ଟିମ୍ ଇଣ୍ଡିଆ ପାଇଁ ଚିନ୍ତା ବଢ଼ାଇ ଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଆଗାମୀ ଘରୋଇ ସିଜନ ପୂର୍ବରୁ ଏକ ନୂଆ ନିୟମ ଜାରି କରିଛି। ‘ସିରିଅସ ଇଞ୍ଜୁରୀ ରିପ୍ଲେସମେଣ୍ଟ’ ନିୟମ ନିଶ୍ଚିତ କରିବ ଯେ ଆଘାତ ହେତୁ ଟିମ୍ର ରଣନୀତି ଉପରେ ପ୍ରଭାବ ନ ପଡ଼େ ଏବଂ ଖେଳର ମାନ ଅକ୍ଷୁର୍ଣ୍ଣ ରହିବ।
ଅହମ୍ମଦାବାଦରେ ଚାଲିଥିବା ଆମ୍ପାୟାର ସେମିନାରରେ ଅମ୍ପାୟାରମାନଙ୍କୁ ଖେଳର ନୂଆ ପରିସ୍ଥିତି ସମ୍ପର୍କରେ ଅବଗତ କରାଯାଇଛି। ପନ୍ତଙ୍କ ଆଘାତ ଏହି ନିୟମ ପ୍ରଣୟନ ପାଇଁ BCCIକୁ ପ୍ରେରଣା ଦେଇଛି। ନୂଆ ନିୟମ ଅନୁଯାୟୀ ଯଦି କୌଣସି ଖେଳାଳି ମଲ୍ଟି-ଡେ’ ମ୍ୟାଚ୍ ସମୟରେ ଗମ୍ଭୀର ଆଘାତ ହେତୁ ମ୍ୟାଚ୍ ଛାଡ଼ିବାକୁ ପଡ଼େ, ତେବେ ଟିମ୍ ମ୍ୟାନେଜମେଣ୍ଟ ସମାନ ଯୋଗ୍ୟତା ଥିବା ଜଣେ ଖେଳାଳିଙ୍କୁ ରିପ୍ଲେସମେଣ୍ଟ ଭାବେ ନେଇପାରିବ। ଏହି ରିପ୍ଲେସମେଣ୍ଟ ତୁରନ୍ତ ପ୍ରଭାବୀ ହେବ, କିନ୍ତୁ ଏଥିପାଇଁ ଚୟନ ସମିତି ଏବଂ ମ୍ୟାଚ ରେଫରୀଙ୍କ ଅନୁମୋଦନ ଆବଶ୍ୟକ। BCCI ସ୍ପଷ୍ଟ କରିଛି ଯେ ସୈୟଦ ମୁଶ୍ତାକ ଅଲୀ କିମ୍ବା ବିଜୟ ହଜାରେ ଟ୍ରଫି ଭଳି ହ୍ବାଇଟ ବଲ ଟୁର୍ନାମେଣ୍ଟରେ ଏଭଳି ରିପ୍ଲେସମେଣ୍ଟ ଅନୁମତି ଦିଆଯିବ ନାହିଁ। ଆଗାମୀ ଆଇପିଏଲ ସିଜନରେ ଏହି ନିୟମ ଲାଗୁ ହେବ କି ନାହିଁ, ତାହା ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନାହିଁ।