ଖୁବ୍‌ଶୀଘ୍ର ଲାଗିବ ମହାପ୍ରସାଦ ରେଟ୍‌ ଚାଟ୍‌, ଆନନ୍ଦ ବଜାର ଶୃଙ୍ଖଳା ବୈଠକ ପରେ ମୁଖ୍ୟ ପ୍ରଶାସକଙ୍କ ସୂଚନା

Spread the love

ପୁରୀ,୦୬/୦୮: ଖୁବ୍‌ଶୀଘ୍ର ଶ୍ରୀମନ୍ଦିର ଆନନ୍ଦ ବଜାରରେ ଅନ୍ନ, ବ୍ୟଞ୍ଜନ ସହ ଶୁଖିଲି  ମହାପ୍ରସାଦର ଦର ନିର୍ଦ୍ଧାରଣ ରେଟ୍‌ ଚାଟ୍‌ ଲାଗିବ । ମଙ୍ଗଳବାର ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟରେ  ଆନନ୍ଦ ବଜାର ଶୃଙ୍ଖଳା କମିଟି ବୈଠକ ପରେ  ଏନେଇ ସୂଚନା ଦେଇଥିଲେ ମୁଖ୍ୟ ପ୍ରଶାସକ ଡଃ  ଅରବିନ୍ଦ ପାଢ଼ୀ । ଶ୍ରୀମନ୍ଦିର ଆନନ୍ଦ ବଜାରରେ ବିଶୃଙ୍ଖଳା ବଢ଼ିଥିବାରୁ ଏହାକୁ ଦୃଷ୍ଟିରେ ରଖି ଏହି ଜରୁରୀ ବୈଠକ ହୋଇଥିଲା।

ଡଃ ପାଢ଼ୀ ଗଣମାଧ୍ୟମକୁ କହିଥିଲେ, ଆନନ୍ଦ ବଜାରରେ  ମହାପ୍ରସାଦ ବିକ୍ରି ଓ ବଣ୍ଟନ ବ୍ୟବସ୍ଥାରେ ଆବଶ୍ୟକ ଶୃଙ୍ଖଳା ଶୀଘ୍ର ଆସିବ । ଅବଢ଼ା ଓ ଶୁଖିଲି ମହାପ୍ରସାଦର ରେଟ୍‌ ଚାଟ୍‌ ଲାଗିବ ।  ଶୁଖିଲି ଓ ଅନ୍ନ ମହାପ୍ରସାଦ ଭିନ୍ନ ସ୍ଥାନରେ ବିକ୍ରି ହେବ । ଦୀପ ଓ ମହାପ୍ରସାଦରେ ଓମ୍‌ଫେଡ୍‌ ବ୍ୟବହାର ବାଧ୍ୟତାମୂଳକ ହୋଇଛି । ବ୍ୟତିକ୍ରମ  କଲେ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରାଯିବାକୁ  ବୈଠକରେ ଚେତାବନୀ ଦିଆଯାଇଛି । 

ଏନେଇ ସୁଆର ମହାସୁଆର ନିଯୋଗ  ସମ୍ପାଦକ ନାରାୟଣ ସୁଆର କହିଛନ୍ତି, ପୂର୍ବତନ  ଜିଲ୍ଲାପାଳଙ୍କ ସମୟରେ ଆନନ୍ଦ ବଜାର ଶୃଙ୍ଖଳା ୮୦ ଭାଗ ଆସିଥିଲା । ବିଶୃଙ୍ଖଳା ସ୍ଥିତି ଦେଖି  ଜରୁରୀ ବୈଠକ ପୁଣି ବସିଥିଲା । ନୀତିକାନ୍ତି ଶୃଙ୍ଖଳା କରିବାକୁ ପ୍ରଥମେ ଆଲୋଚନା ହୋଇଥିଲା । ଶୀଘ୍ର ମହାପ୍ରସାଦ ବାହାରିଲେ  ଶ୍ରଦ୍ଧାଳୁମାନେ ଆନନ୍ଦରେ ଖାଇ ଚାଲି ଯିବେ। ଶ୍ରୀମନ୍ଦିରରେ ଭିଡ଼ ବେଶୀ ସମୟ ରହିବନି । ସେହିପରି ଶୁଖିଲି ଓ ଅବଢ଼ା ସ୍ୱତନ୍ତ୍ର ସ୍ଥାନରେ  ବିକ୍ରି ବ୍ୟବସ୍ଥା ହୋଇଛି । ଆନନ୍ଦ ବଜାର ଖୋଲା ସ୍ଥାନରେ ବସିଥିବା ଖଜା ଦୋକାନୀଙ୍କୁ ସ୍ୱତନ୍ତ୍ର ଦୋକାନ ଭିତରକୁ ସ୍ଥାନାନ୍ତର କରାଯିବ । ପ୍ରତିଦିନ ଶ୍ରୀମନ୍ଦିରରେ ମହାପ୍ରସାଦ ରନ୍ଧିବାକୁ ଆବଶ୍ୟକ ୩୫ କ୍ୱିଣ୍ଟାଲ କାଠ ଯୋଗାଇ  ଦେବାକୁ ଦାବି କରାଯାଇଥିଲା । 

ସେହିପରି ବୈଠକରେ ଜୈବିକ ଚାଉଳ ନେଇ ଆଲୋଚନା ହୋଇଥିଲା । ଚଳିତ ବର୍ଷ ରଥଯାତ୍ରା ବେଳେ ୨୧ କ୍ୱିଣ୍ଟାଲ ଜୈବିକ ଚାଉଳ ପରୀକ୍ଷାମୂଳକ ଭାବେ  ଆଡ଼ପ ଘରେ ରନ୍ଧା ଯାଇଥିଲା । ୨ ଦିନ ତଳେ  ମଧ୍ୟ ଏହି ଚାଉଳ ରାନ୍ଧି ପରୀକ୍ଷା କରାଯାଇଥିଲା । ନୂଆ ଚାଉଳରେ ମହାପ୍ରସାଦ ରାନ୍ଧିଲେ ଏହା  ନରମା ହୋଇଯାଉଛି । ତେଣୁ ପୁରୁଣା ଜୈବିକ  ଚାଉଳ ଦେଲେ କୋଠା ଭୋଗ ସହ ବରାଦି  ଭୋଗ ହେବ । ସେହିପରି ମହାପ୍ରସାଦ ବିକ୍ରିରେ  ସହାୟତା କରୁଥିବା ସହାୟକଙ୍କ ନିମନ୍ତେ ଡ୍ରେସ୍‌ କୋର୍ଡ ଓ ପରିଚୟପତ୍ର ହେବ ।  ବିଶୃଙ୍ଖଳା କଲେ ସେମାନଙ୍କ ବିରୋଧରେ  କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ବୈଠକରେ ଆଲୋଚନା ହୋଇଛି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading