କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ: ବାଲେଶ୍ବରର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବି.ଏଡ୍ ଛାତ୍ରୀ ଓ ପୁରୀଜିଲ୍ଲା ବଳଙ୍ଗା ନାବାଳିକା ଘଟଣାକୁ ରାଜ୍ୟବାସୀ ଭୁଲିପାରି ନଥିବା ବେଳେ ରାଜ୍ୟରେ ପୁଣି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ବଡ଼ପଦା ଅଞ୍ଚଳରେ ଜଣେ ଯୁବତୀ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଜୀବନ ହାରି ଦେଇଛନ୍ତି। ଗୁରୁତର ଭାବେ ପୋଡ଼ିଯିବା କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ତେବେ ଯୁବତୀ ଜଣକ କେଉଁ କାରଣରୁ ଏଭଳି ଏକ ଚରମ ପଦକ୍ଷେପ ନେଇଛନ୍ତି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ମିଳିଥିବା ସୂଚନା ଅନୁସାରେ ଯବତୀ ଜଣକ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିଲେ। ଅନ୍ୟପଟରେ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ମଧ୍ୟ ସ୍ପଷ୍ଟ ହୋଇପାରି ନାହିଁ।
କିନ୍ତୁ ମୃତକାଙ୍କ ବାପା ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଝିଅର ପୁରୁଷ ବନ୍ଧୁ ବ୍ଲାକମେଲିଂ କରୁଥିଲା। ଅଶ୍ଳୀଳ ଫଟୋ ଓ ଭିଡିଓ ଜରିଆରେ ବ୍ଲାକମେଲିଂ କରୁଥିଲା। ଏନେଇ ଗ୍ରାମଞ୍ଚଳ ଥାନାରେ ୬ ମାସ ପୂର୍ବରୁ ଅଭିଯୋଗ କରିଥିଲୁ।
ଛାତ୍ରୀ ଜଳିଯିବା ଘଟଣା ନେଇ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ତୁରନ୍ତ ହସ୍ତକ୍ଷେପ କରିଛନ୍ତି। ସେ କେନ୍ଦ୍ରାପଡ଼ା ଏସପିଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେଉଁ ପରିସ୍ଥିତିରେ ଛାତ୍ରୀ ଆତ୍ମହତ୍ୟା କଲେ ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କେବେ ଓ କେଉଁ ଥାନାରେ ଅଭିଯୋଗ କରିଥିଲେ, ତାହା ମଧ୍ୟ ଯାଞ୍ଚ କରିବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।