ଭାରତ ଭଳି ଦେଶରେ ଯେଉଁଠି ପ୍ରତିଦିନ ଶହ ଶହ ଛାତ୍ରଛାତ୍ରୀ ଚାକିରି ଖଣ୍ଡିଏ ପାଇଁ ଅହରହ ସଂଘର୍ଷ କରନ୍ତି । ବାରମ୍ବାର କମ୍ପିଟେଟିଭ୍ ପରୀକ୍ଷା ଦେଇ ମନଲାଖି ଚାକିରିଟିଏ ପାଇଁ ଆଶା ରଖିଥା’ନ୍ତି । ସେହି ଦେଶରେ ଏମିତି ଏକ ରୋଚକପୂର୍ଣ୍ଣ ଚାକିରି ଅଛି ଯାହାର ଦରମା ମାସିକ ୪ ରୁ ୫ ଲକ୍ଷ ଟଙ୍କା । ତେବେ ପାଠକବନ୍ଧୁ ଆପଣ ଭାବୁଥିବେ ଏମିତି କେଉଁ ଚାକିରି ଅଛି ଯାହାର ମାସିକ ପାରିଶ୍ରମିକ ଏତେ ଟଙ୍କା । ବେଳେବେଳେ ଖବରକାଗଜର ପୃଷ୍ଠାରେ ଅମକ ଦେଶରେ ଶୋଇବାକୁ ନେଇ ଦରମା ଦିଅନ୍ତି ,ଆଉ କେଉଁ ଦେଶରେ ଖାଇବାକୁ ନେଇ ଦରମା ଦିଅନ୍ତି ବୋଲି ଆପଣ ପଢ଼ିଥିବେ । କିନ୍ତୁ ଭାରତର ଗୋଟିଏ ରାଜ୍ୟରେ କୁକୁରକୁ ବୁଲାଉଥିବା ଲୋକର ଦରମା ୪ ରୁ ୫ ଲକ୍ଷ ଟଙ୍କା । ମହାରାଷ୍ଟ୍ରରେ ଜଣେ ଡଗ୍ ୱାକର୍ (କୁକୁରକୁ ବୁଲାଉଥିବା ଲୋକ) ର ଦରମା ମାସିକ ୪.୫ ଲକ୍ଷ ଟଙ୍କା । ଖବରଟି ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଏହା ଶତ ପ୍ରତିଶତ ସତ । ଏହା ଏମିତି ଏକ ଚାକିରି ଯାହା ଅନେକ ହ୍ୱାଇଟ୍ କଲାର୍ ଚାକିରିଠାରୁ ଅଧିକ ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ , ମହାରାଷ୍ଟ୍ରର ଜଣେ ବ୍ୟକ୍ତି ୩୮ ଟି କୁକୁରଙ୍କୁ ପ୍ରତିଦିନ ବାହାରେ ବୁଲାଇ ମାସକୁ ୪.୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ତାଜୁବର କଥା ହେଉଛି ବ୍ୟକ୍ତିଙ୍କର ଭାଇ ଜଣେ MBA ପଢ଼ୁଆ ଯୁବକ କିନ୍ତୁ ସେ ତାଙ୍କ ଠାରୁ କମ୍ ରୋଜଗାର କରନ୍ତି । ସୋସିଆଲ୍ ମିଡିଆରେ ଏହି ପୋଷ୍ଟଟି ଭାଇରାଲ୍ ହେବା ପରେ ଏହି ବିଷୟ ଏବେ ଚର୍ଚ୍ଚାରେ ଆସିଛି । ଭାଇରାଲ୍ ପୋଷ୍ଟରେ କୁହାଯାଇଛି ଯେ , “ମହାରାଷ୍ଟ୍ରର ଜଣେ ଡଗ୍ ୱାକର୍ ଅନଲାଇନରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି, ଯେତେବେଳେ ସେ ପ୍ରକାଶ କରିଛନ୍ତି ଯେ ସେ ମାସକୁ ୪.୫ ଲକ୍ଷ ଟଙ୍କା ରୋଜଗାର କରନ୍ତି ଯାହା ଅନେକ ଡାକ୍ତରଙ୍କ ମାସିକ ଦରମା ଠାରୁ ଅଧିକ । ପ୍ରତି କୁକୁର ପିଛା ଦୁଇଥର ବୁଲାଇବା ପାଇଁ ସେ ୧୫ ହଜାର ଟଙ୍କା ନେଉଛନ୍ତି ଏବଂ ୩୮ଟି କୁକୁରଙ୍କୁ ସମ୍ଭାଳୁଛନ୍ତି । ସେ ତାଙ୍କ MBA ଡିଗ୍ରୀଧାରୀ ଭାଇଙ୍କଠାରୁ ମଧ୍ୟ ଅଧିକ ରୋଜଗାର କରୁଛନ୍ତି ଯିଏ ମାସକୁ ୭୦ ହଜାର ଟଙ୍କା ରୋଜଗାର କରନ୍ତି । ତାଙ୍କ କାହାଣୀ ଅସାଧାରଣ କ୍ୟାରିୟରକୁ ନେଇ ପୁଣି ଥରେ ବିତର୍କ ସୃଷ୍ଟି କରିଛି ।”

ଭାରତର ବଢ଼ୁଥିବା ପେଟ୍ କେୟାର ଇଣ୍ଡଷ୍ଟ୍ରି (ପୋଷା ଜୀବଜନ୍ତୁ ଯତ୍ନ ଶିଳ୍ପ) ଯାହା ୨୦୨୬ ସୁଦ୍ଧା ୭,୫୦୦ କୋଟି ଟଙ୍କା ଅତିକ୍ରମ କରିବ ବୋଲି ଆକଳନ କରାଯାଉଛି । ସେଥିରେ ଡଗ୍ ୱାକର୍ ଏବଂ ପେଟ୍ କେୟାର ପ୍ରଫେସନାଲମାନଙ୍କର ଚାହିଦା ବଢ଼ିଛି । ବିଶେଷ କରି ମୁମ୍ବାଇ ଏବଂ ଦିଲ୍ଲୀ ଭଳି ମେଟ୍ରୋପଲିଟାନ୍ ସହରମାନଙ୍କରେ ଏହାର ଚାହିଦା ଅଧିକ ରହିଛି । ଅଧିକରୁ ଅଧିକ ପେଟ୍ ପ୍ୟାରେଣ୍ଟ୍ସ (ପୋଷା ଜୀବଜନ୍ତୁ ପାଳୁଥିବା ଲୋକ) ବର୍ତ୍ତମାନ ସେମାନଙ୍କର ପ୍ରିୟ ଜୀବଜନ୍ତୁମାନଙ୍କ ପାଇଁ ବ୍ୟକ୍ତିଗତ ସେବା ଖୋଜୁଛନ୍ତି । ଏହାର ସୁଯୋଗ ନେଇ କିଛି ଲୋକ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ବ୍ୟାପକ ବୃତ୍ତିରେ ପରିଣତ କରିଛନ୍ତି ।

କିନ୍ତୁ ପ୍ରକୃତ ପ୍ରଶ୍ନ ହେଉଛି : ମହାରାଷ୍ଟ୍ରରେ ଜଣେ ଡଗ୍ ୱାକର୍ ସେହିଭଳି ଟଙ୍କା ରୋଜଗାର କରିବା ସମ୍ଭବ କି ? ନା ଏହା କେବଳ ସୋସିଆଲ ମିଡିଆରେ ବଢ଼େଇ ଚଢ଼େଇ କୁହାଯାଉଛି ?
ତଥ୍ୟ ଅନୁଯାୟୀ, ମୁମ୍ବାଇ କିମ୍ବା ପୁଣେ ଭଳି ସହରମାନଙ୍କରେ ଅଧିକାଂଶ ବୃତ୍ତିଗତ ଡଗ୍ ୱାକର୍ ପ୍ରତି କୁକୁର ପିଛା ପ୍ରତି ଥର ବୁଲାଇବା ପାଇଁ ୩୦୦ ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ନେଇଥା’ନ୍ତି । ଯଦି କେହି ଏକାଧିକ ସମୟ ସ୍ଲଟରେ ଦିନକୁ ୧୦-୧୫ଟି କୁକୁରଙ୍କୁ ସମ୍ଭାଳନ୍ତି ଏବଂ ଟ୍ରେନିଂ, ପେଟ୍-ସିଟିଂ କିମ୍ବା ଗ୍ରୁପ୍ ୱାକିଂ ପ୍ୟାକେଜ୍ ଭଳି ପ୍ରିମିୟମ୍ ସେବା ଯୋଡ଼ନ୍ତି ତେବେ ଏହି ସଂଖ୍ୟା ଆହୁରି ବଢ଼ିପାରେ । ନିୟମିତ ଗ୍ରାହକ ଏବଂ ସ୍ଥିର ସିଡ୍ୟୁଲିଂ ସହିତ ମାସକୁ ଅଧିକ ରୋଜଗାର କରିବା ପ୍ରକୃତରେ ସମ୍ଭବ ।
Discover more from Emerging Odisha
Subscribe to get the latest posts sent to your email.