ରାଜ୍ୟର ଦୁଇଜଣ ବରିଷ୍ଠ ଆଇପିଏସ୍ ଅଫିସର ଆରପି କୋଚେ ଓ ଯଶବନ୍ତ ଜେଠୁୱା କେନ୍ଦ୍ର ସରକାରରେ ପୁଲିସ ଡିଜି ପାହ୍ୟାରେ ତାଲିକାଭୁକ୍ତ ହୋଇଛନ୍ତି । କେନ୍ଦ୍ର କ୍ୟାବିନେଟ୍ ନିଯୁକ୍ତି କମିଟି ଏହି ଦୁଇ ଅଫିସରଙ୍କ ଡିଜି ପାହ୍ୟାରେ ନିଯୁକ୍ତିକୁ ଅନୁମୋଦନ କରିବା ପରେ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ୧୯୯୩ ବ୍ୟାଚ୍ ଆଇପିଏସ୍ ଆରପି କୋଚେ ଏବେ ରାଜ୍ୟ ଗୁଇନ୍ଦା ଡିଜି ଓ ୧୯୯୪ ବ୍ୟାଚ୍ ଆଇପିଏସ୍ ଯଶବନ୍ତ ଜେଠୁୱା ଭିଜିଲାନ୍ସ ଡିଜି ଭାବେ କାର୍ଯ୍ୟରତ ଅଛନ୍ତି । ମାତ୍ର ସେହି ୧୯୯୩ ବ୍ୟାଚରେ ଶ୍ରୀ କୋଚେଙ୍କ ଉପରେ ଥିବା ସୁଶାନ୍ତ କୁମାର ନାଥ ଓ ବିନୟତୋଷ ମିଶ୍ର ଏବଂ ୧୯୯୪ ବ୍ୟାଚର ଶ୍ରୀ ଜେଠୁୱାଙ୍କ ଉପରେ ଥିବା ସଞ୍ଜିବ ପଣ୍ଡା ଏପର୍ଯ୍ୟନ୍ତ କେନ୍ଦ୍ର ସରକାରରେ ଅତିରିକ୍ତ ଡିଜି(ଏଡିଜି) ପାହ୍ୟାରେ ତାଲିକାଭୁକ୍ତ ହେବାରେ ସକ୍ଷମ ହୋଇପାରିନାହାନ୍ତି । କେନ୍ଦ୍ର ସରକାର ଶ୍ରୀ କୋଚେ ଓ ଶ୍ରୀ ଜେଠୁୱାଙ୍କୁ ଡିଜି ପାହ୍ୟାରେ ତାଲିକାଭୁକ୍ତକୁ ଅନୁମୋଦନ କରି ସେମାନଙ୍କ କାର୍ଯ୍ୟଦକ୍ଷତା, ଉଲ୍ଲେଖନୀୟ ସେବା, ନିଷ୍ଠା ଓ ଆନୁଗତ୍ୟକୁ ସାର୍ଟିଫିକେଟ୍ ଦେଇଛନ୍ତି ।
ସୁଶାନ୍ତ, ବିନୟତୋଷ ଓ ସଞ୍ଜିବ ଏବେବି ଅପେକ୍ଷାରେ
୧୯୯୩ ବ୍ୟାଚ୍ ଆଇପିଏସ୍ ସୁଶାନ୍ତ କୁମାର ନାଥ ଓ ବିନୟତୋଷ ମିଶ୍ର ଏବେ ରାଜ୍ୟ ସରକାରରେ ଡିଜି ପାହ୍ୟାରେ କାର୍ଯ୍ୟରତ ଅଛନ୍ତି । କିନ୍ତୁ କେନ୍ଦ୍ର ସରକାରରେ ଏହି ଦୁଇ ଅଫିସର ଏପର୍ଯ୍ୟନ୍ତ ଅତିରିକ୍ତି ଡିଜି ପାହ୍ୟାରେ ତାଲିକାଭୁକ୍ତ ହେବାରେ ସକ୍ଷମ ହୋଇପାରିନାହାନ୍ତି । ମାତ୍ର ସେମାନଙ୍କ ବ୍ୟାଚର ଆରପି କୋଚେ ବରିଷ୍ଠତା ତାଲିକାରେ ଉଭୟଙ୍କଠୁ ନିମ୍ନରେ ଥିଲେ ମଧ୍ୟ ତାଙ୍କୁ କେନ୍ଦ୍ର ସରକାରରେ ପୂର୍ବରୁ ଏଡିଜି ଓ ଗତକାଲି ଡିଜି ପାହ୍ୟାରେ ତାଲିକାଭୁକ୍ତ କରାଯାଇଛି । ସେହିପରି ୧୯୯୪ ବ୍ୟାଚରେ ଓଡ଼ିଶା କ୍ୟାଡ଼ରରେ ୨ଜଣ ଆଇପିଏସ୍ ସଞ୍ଜିବ ପଣ୍ଡା ଓ ଯଶବନ୍ତ ଜେଠୁୱା ଅଛନ୍ତି । ଶ୍ରୀ ପଣ୍ଡାଙ୍କୁ ଏପର୍ଯ୍ୟନ୍ତ ଏଡିଜି ପାହ୍ୟାରେ କେନ୍ଦ୍ର ସରକାର ତାଲିକାଭୁକ୍ତ କରିନଥିବାବେଳେ ଜେଠୁୱା ଗତକାଲି ଡିଜି ପାହ୍ୟାରେ ତାଲିକାଭୁକ୍ତ ହୋଇଛନ୍ତି । ଓଡ଼ିଶା କ୍ୟାଡ଼ରର ବରିଷ୍ଠ ଆଇପିଏସ୍ ଅଫିସରମାନେ(୧୯୯୩ରୁ ୧୯୯୬ ବ୍ୟାଚ୍ ପର୍ଯ୍ୟନ୍ତ) ବିଭିନ୍ନ କାରଣରୁ ଏଡିଜି ଓ ଡିଜି ପାହ୍ୟାରେ ତାଲିକାଭୁକ୍ତ ହେବାରେ ବିଫଳ ହୋଇଥିବାବେଳେ ୧୯୯୭ ବ୍ୟାଚର ରେଖା ଲୋହାନୀ ଓ ସଞ୍ଜୟ କୁମାର କେନ୍ଦ୍ର ସରକାରରେ ଏଡିଜି ପାହ୍ୟାରେ ତାଲିକାଭୁକ୍ତ ହୋଇସାରିଛନ୍ତି । ସୁଶାନ୍ତ ନାଥ ଏବେ ଜେଲ୍ ଡିଜି ଓ ବିନୟତୋଷ ଏବେ କ୍ରାଇମବ୍ରାଂଚ ଡିଜି ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ସଞ୍ଜିବ ଏବେ ନକ୍ସଲ ମୁକାବିଲା ଅପରେସନର ଏଡିଜି ଭାବେ କାର୍ଯ୍ୟରତ ଅଛନ୍ତି ।
ବିଜେପି ସରକାରର ବ୍ଲୁଆଏଡ୍ ଅଫିସର-ଆରପି ଓ ଯଶବନ୍ତ
ରାଜ୍ୟରେ କ୍ଷମତାସୀନ ବିଜେପି ସରକାରର ବ୍ଲୁଆଏଡ୍ ଅଫିସର ଭାବେ ଗୁଇନ୍ଦା ନିର୍ଦ୍ଦେଶକ ଆରପି କୋଚେ ଓ ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ ଜେଠୁୱା ରହିଥିବା ପାୱାର କରିଡରରେ ଚର୍ଚ୍ଚା ହେଉଛି । ପୁଲିସ ଡିଜି ୱାଇବି ଖୁରାନିଆଙ୍କ ତୁଳନାରେ ଏହି ଦୁଇ ଅଫିସରଙ୍କୁ ମୋହନ ମାଝୀ ସରକାରରେ ଗୁରୁତ୍ୱ ମିଳୁଥିବା ଜଣାପଡ଼ିଛି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଓ ଅନ୍ୟାନ୍ୟ କାରଣକୁ ନେଇ ପୁଲିସ ଡିଜି ଶ୍ରୀ ଖୁରାନିଆ ବିବାଦରେ ଥିବାବେଳେ ଶ୍ରୀ କୋଚେ ଓ ଶ୍ରୀ ଜେଠୁୱା ସିଧାସଳଖ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା ସୂଚନା ମିଳିଛି । ଉଭୟ ଅଫିସର ମଧ୍ୟ ରାଜ୍ୟର ବିଜେପି ସରକାର ପ୍ରତି ନିଜର ଦକ୍ଷତା ଓ ଆନୁଗତ୍ୟ ପ୍ରତିପାଦନ କରୁଥିବା ଚର୍ଚ୍ଚା ହେଉଛି ।
ସିନିୟର ଆଇପିଏସଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ
ଯଦିଓ ଆଇପିଏସ୍ ଶ୍ରୀ କୋଚେ ଓ ଶ୍ରୀ ଜେଠୱାଙ୍କୁ କେନ୍ଦ୍ର ସରକାର ଡିଜି ପାହ୍ୟାରେ ପ୍ୟାନେଲଭୁକ୍ତ କରି ସେମାନଙ୍କର ବ୍ୟକ୍ତିଗତ ଯୋଗ୍ୟତାର ପ୍ରମାଣ ତଥା ଜାତୀୟ ସୁରକ୍ଷାର ଉଚ୍ଚତମ ସୋପାନରେ ଓଡ଼ିଶାର ଉପସ୍ଥିତିକୁ ସୁଦୃଢ଼ କରାଇବାର ସନ୍ଦେଶ ଦେଇଛନ୍ତି ତଥାପି ଉଭୟଙ୍କ ବ୍ୟାଚର ବାଦ୍ ପଡ଼ିଥିବା ସିନିୟର ଆଇପିଏସ୍ ଅଫିସର କେନ୍ଦ୍ରରେ ତାଲିକାଭୁକ୍ତ ପାଇଁ ଉଦ୍ଦିଷ୍ଟ ପ୍ରକ୍ରିୟାକୁ ଅନୁପାଳନ କରିବାରେ ସକ୍ଷମ ହୋଇନଥିବା ଜଣାପଡ଼ିଛି । ବିଭିନ୍ନ କାରଣରୁ କେନ୍ଦ୍ର ସରକାର ସେମାନଙ୍କୁ ତାଲିକାଭୁକ୍ତ କରିବାରେ ସମୟ ଗଡ଼ାଇଥିବା ସୂଚନା ମିଳିଛି । କେନ୍ଦ୍ର ସରକାରରେ ଏହି ବରିଷ୍ଠ ପାହ୍ୟାରେ ତାଲିକାଭୁକ୍ତ ହେବା ନିମନ୍ତେ ସେମାନଙ୍କର ସେବା ସର୍ତ୍ତାବଳୀ, ଚାକିରିରେ ପାରଦର୍ଶିତା, ଭିଜିଲାନ୍ସ କ୍ଲିଅରାନ୍ସ ଓ ଅନ୍ୟାନ୍ୟ ନିର୍ଦ୍ଦିଷ୍ଟ ଆବଶ୍ୟକୀୟ ସର୍ତ୍ତାବଳୀକୁ ପୂରଣ କରିବା ଉପରେ ନିର୍ଭର କରେ ବୋଲି ଜଣାପଡ଼ିଛି ।
Discover more from Emerging Odisha
Subscribe to get the latest posts sent to your email.