‘ମୋତେ ଚୟନ କରାଯାଇ ନଥିଲା’
‘ଦିନିକିଆରୁ ଅବସର ନେବାକୁ ଚାହୁଁଥିଲି’
‘କିନ୍ତୁ ସଚିନ ମୋତେ ବୁଝାଇଥିଲେ’
ଏଭଳି କିଛି ଖୁଲାସା କରିଛନ୍ତି ଭାରତର ପୂର୍ବତନ ଦୁର୍ଦ୍ଦଶ ବ୍ୟାଟର ବୀରେନ୍ଦ୍ର ସେହୱାଗ । ଖାଲି ଭାରତରେ ନୁହେଁ, ବରଂ ପୂରା ବିଶ୍ବ କ୍ରିକେଟ୍ ଇତିହାସରେ ବିସ୍ଫୋରକ ଓପନର ଭାବେ ଜଣାଶୁଣା ବୀରେନ୍ଦ୍ର ସେହୱାଗ। ନିଜ ସାଥୀ ଖେଳାଳିଙ୍କ ମଧ୍ୟରେ ବୀରୁ ଭାବେ ପରିଚିତ ସେହୱାଗ ତାଙ୍କ ସମୟରେ ବିଶ୍ବର ବହୁ ନାମୀଦାମୀ ବୋଲରଙ୍କୁ ଧୁଲେଇ କରି ସେମାନଙ୍କ ପାଇଁ ଦୁଃସ୍ବପ୍ନ ପାଲଟିଥିଲେ।
ବିସ୍ଫୋରକ ଏବଂ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ବିଶ୍ବ କ୍ରିକେଟରେ ସେହୱାଗଙ୍କର ରହିଛି ଏକ ସ୍ବତନ୍ତ୍ର ପରିଚୟ। ଟେଷ୍ଟ କ୍ରିକେଟରେ ସେହୱାଗଙ୍କ ଷ୍ଟ୍ରାଇକ୍ ରେଟ୍ ୮୨.୨୩ ଥିଲାବେଳେ ଦିନିକିଆରେ ବୀରୁ ୧୦୪.୩୩ ଷ୍ଟ୍ରାଇକ୍ ରେଟରେ ରନ୍ କରିଥିଲେ । ଭାରତ ୨୦୧୧ ଦିନିକିଆ ବିଶ୍ବକପ୍ ଜିତିବାରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ବୀରେନ୍ଦ୍ର ସେହଓ୍ବାଗ୍ । ତେବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାର ଦୀର୍ଘଦିନ ପରେ ସେ ନିଜ କ୍ୟାରିୟରକୁ ନେଇ କରିଛନ୍ତି ଏକ ବଡ଼ ଖୁଲାସା ।
ସେହୱାଗ କହିଛନ୍ତି ଯେ ୨୦୦୮ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷ ତ୍ରିକୋଣୀୟ ସିରିଜ ସମୟରେ ମହେନ୍ଦ୍ର ସିଂହ ଧୋନୀ ତାଙ୍କୁ ଦଳରୁ ବାହାର କରିଦେଇଥିଲେ । ଯାହା ପରେ ସେ ଅବସର ନେବାକୁ ଚିନ୍ତା କରିଥିଲେ । ହେଲେ ସଚିନ ତେନ୍ଦୁଲକରଙ୍କ ପରାମର୍ଶ ମାନିବାରୁ ସେ ୨୦୧୧ ଦିନିକିଆ ବିଶ୍ୱକପରେ ଭାଗ ନେବା ସହ ଦଳକୁ ବିଶ୍ବବିଜୟୀ କରାଇବାରେ ଏକ ବଡ ଭୂମିକା ତୁଲାଇଥିଲେ। ଏକ ସାକ୍ଷାତକାରରେ ସେହୱାଗ କହିଛନ୍ତି, ମୁଁ ୨୦୦୭-୦୮ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ପ୍ରଥମ ତିନୋଟି ମ୍ୟାଚ୍ ଖେଳିଥିଲି। ତା’ପରେ କ୍ୟାପଟେନ୍ ଏମ.ଏସ. ଧୋନି ମୋତେ ଦଳରୁ ବାହାର କରିଦେଇଥିଲେ । ଏହା ପରେ, ମୋତେ କିଛି ସମୟ ପାଇଁ ଦଳରେ ଚୟନ କରାଯାଇ ନଥିଲା । ତା’ପରେ ମୁଁ ଅନୁଭବ କଲି ଯେ ଯଦି ମୁଁ ଚୂଡାନ୍ତ ଏକାଦଶରେ ରହିପାରିବିନି, ତେବେ ଦିନିକିଆ କ୍ରିକେଟ୍ ଖେଳିବାର କୌଣସି ଅର୍ଥ ନାହିଁ।
ତେବେ ୨୦୦୮ ତ୍ରିକୋଣୀୟ ସିରିଜରେ ବୀରେନ୍ଦ୍ର ସେହୱାଗଙ୍କ ପ୍ରଦର୍ଶନ ଭଲ ନଥିଲା ଏବଂ ସେ ପାଞ୍ଚଟି ମ୍ୟାଚ୍ରେ ମୋଟ ମାତ୍ର ୮୧ ରନ୍ କରିଥିଲେ । ଯଦିଓ ଭାରତୀୟ ଦଳ ସେହି ସିରିଜ୍ ଜିତିଥିଲା କିନ୍ତୁ ସେଥିରେ ବୀରେନ୍ଦ୍ର ସେହୱାଗଙ୍କର ବ୍ୟାଟିଂ ବିଫଳତା ଯୋଗୁଁ ଧୋନିଙ୍କ ନେତୃତ୍ବାଧିନ ଦଳରେ ତାଙ୍କୁ ଆଉ ଚୟନ କରାଯାଇନଥିଲା। ସେ ସମ୍ପର୍କରେ ସେହୱାଗ କହିଛନ୍ତି କି ମୁଁ ସଚିନ ତେନ୍ଦୁଲକରଙ୍କ ପାଖକୁ ଯାଇ ତାଙ୍କୁ କହିଲି ଯେ ମୁଁ ଦିନିକିଆରୁ ଅବସର ନେବାକୁ ଚାହୁଁଛି । କିନ୍ତୁ ସଚିନ ମୋତେ କହିଥିଲେ, ସେ ମଧ୍ୟ ୧୯୯୯-୨୦୦୦ ରେ ସମାନ ସ୍ଥିତି ଦେଖିଥିଲେ । ସେ ମଧ୍ୟ ଅବସର ନେବାକୁ ଚିନ୍ତା କରୁଥିଲେ । କିନ୍ତୁ ତା’ପରେ ସେହି ସମୟ ଚାଲିଗଲା । ସଚିନ ମୋତେ କହିଥିଲେ ଯେ ଭାବପ୍ରବଣ ଭାବରେ କୌଣସି ବଡ଼ ନିଷ୍ପତ୍ତି ନିଅ ନାହିଁ । ସମୟ ନିଅ ଏବଂ ତା’ପରେ ଚିନ୍ତା କର।
ଆଉ ସଚିନ ତେନ୍ଦୁଲକରଙ୍କ ଏହି ପରାମର୍ଶ ବୀରେନ୍ଦ୍ର ସେହୱାଗଙ୍କ ପାଇଁ ବହୁତ ଉପଯୋଗୀ ସାବ୍ୟସ୍ତ ହୋଇଥିଲା । କାରଣ ଏହା ପର ସରିଜରେ ସେହୱାଗ ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ବହୁତ ରନ କରିଥିଲେ । ଯେଉଁଥିପାଇଁ ସେ ପୁଣି ଥରେ ଦଳର ଉପ-ଅଧିନାୟକ ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ଏହା ସହ ସେ ୨୦୧୧ ବିଶ୍ବକପରେ ଦଳରେ ଥିବାବେଳେ ଭାରତକୁ ବିଶ୍ବ ବିଜେତା କରାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ । ତେବେ ସେହୱାଗ ଭାରତୀୟ ଦଳ ପାଇଁ ତାଙ୍କର ଶେଷ ମ୍ୟାଚ୍ ମାର୍ଚ୍ଚ ୨୦୧୩ ରେ ହାଇଦ୍ରାବାଦରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ, ଯାହା ଏକ ଟେଷ୍ଟ ମ୍ୟାଚ୍ ଥିଲା । ୨୦ ଅକ୍ଟୋବର, ୨୦୧୫ ରେ ତାଙ୍କ ଜନ୍ମଦିନରେ ସେହୱାଗ କ୍ରିକେଟରୁ ଅବସର ଘୋଷଣା କରିଥିଲେ ।