ନୂଆଦିଲ୍ଲୀ: ଦରବୃଦ୍ଧିରୁ ସାମାନ୍ୟ ଆଶ୍ଵସ୍ତି । ମାସ ଆରମ୍ଭରୁ ଶସ୍ତା ହୋଇଛି ଏଲ୍ପିଜି ସିଲିଣ୍ଡର । ତୈଳ କମ୍ପାନୀ ସିଲିଣ୍ଡର ଦାମ ୫୧ ଟଙ୍କା ୫୦ ପଇସା କମାଇ ଦେଇଛନ୍ତି । ତେବେ ଏହି ଗ୍ୟାସ୍ ଦାମରେ ଏହି ହ୍ରାସ କେବଳ ୧୯ କେଜି ବିଶିଷ୍ଟ ବାଣିଜ୍ୟିକ ସିଲିଣ୍ଡର ପାଇଁ ହୋଇଛି । ଏବେ ଦର ହ୍ରାସ ପାଇବା ପରେ ଦିଲ୍ଲୀରେ ଗୋଟିଏ ବାଣିଜ୍ୟିକ ସିଲିଣ୍ଡର କିଣିବାକୁ ୧୫୮୦ ଟଙ୍କା ଦେବାକୁ ପଡ଼ିବ ।
ଏହା ପୂର୍ବରୁ ମଧ୍ୟ ଅଗଷ୍ଟ ଆରମ୍ଭରେ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ଦାମ ହ୍ରାସ ପାଇଥିଲା । ସେତେବେଳେ ବି ୧୪ କେଜି ବିଶିଷ୍ଟ ଘରୋଇ ଗ୍ୟାସ ଦର କମି ନଥିଲା । ସେପ୍ଟେମ୍ବର ଆରମ୍ଭରେ ବି ଘରୋଇ ଗ୍ୟାସ ଦର ସ୍ଥିର ରହିଛି । ଘରୋଇ ଗ୍ୟାସ ଦାମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ବାଣିଜ୍ୟିକ ସିଲିଣ୍ଡର ଦର କମିଥିବା ବେଳେ ନୂଆଦର ଆଜି ଅର୍ଥାତ୍ ସେପ୍ଟମ୍ବର ୧ରୁ ଲାଗୁ ହୋଇଛି ।
ପୂର୍ବରୁ ଗୋଟିଏ ୧୯ କେଜି ବାଣିଜ୍ୟିକ ସିଲିଣ୍ଡର ପାଇଁ ଦିଲ୍ଲରେ ୧୬୩୧ ଟଙ୍କା ୫୦ ପଇସା ଦେବାକୁ ପଡ଼ୁଥିଲା । ଏଣିକି ୧୫୮୦ ଟଙ୍କା ଦେବାକୁ ହେବ । ସେହିଭଳି କୋଲକାତାରେ ପୂର୍ବରୁ ୧୭୩୪ ଟଙ୍କା ୫୦ ପଇସା ରହିଥିଲା ଏବେ ୧୬୮୪ ଟଙ୍କାରେ ମିଳିବ । ମୁମ୍ବାଇରେ ଦର ୧୫୮୨ ଟଙ୍କା ୫୦ ପଇସା ରହିଥିଲା ଏବେ ୧୫୩୧ ଟଙ୍କା ୫୦ ଦେବାକୁ ପଡ଼ିବ ।
ଗୋଟିଏ ପଟେ ବାଣିଜ୍ୟିକ ସିଲିଣ୍ଡର ଦାମ ଖସୁଥିବା ବେଳେ ୧୪ କେଜି ବିଶିଷ୍ଟ ଘରୋଇ ଗ୍ୟାସ ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ଏବେ ୧୪ କେଜି ବିଶିଷ୍ଟ ଘରୋଇ ଗ୍ୟାସ୍ ପାଇଁ ଦିଲ୍ଲୀରେ ୮୫୩ ଟଙ୍କା, କୋଲକାତାରେ ୮୭୯ ଟଙ୍କା, ମୁମ୍ବାଇରେ ୮୫୨ ଟଙ୍କା ଦେବାକୁ ପଡ଼ୁଛି ।
Discover more from Emerging Odisha
Subscribe to get the latest posts sent to your email.