ବଲିଉଡ୍ ସୁପର୍ଷ୍ଟାର ସଲ୍ମାନ୍ ଖାନ୍ଙ୍କ ନୂଆ ଲୁକ୍ ଆପଣ ଦେଖିଲେଣି? ସେ ଆଗ ଅପେକ୍ଷା ବେଶ୍ ପତଳା ଦିଶୁଛନ୍ତି। ଢେର୍ ଦିନର କସରତ ଓ ବ୍ୟାୟାମ ପରେ ସେ ଏଇ ଚେହେରା ପାଇଛନ୍ତି। କେବଳ ସେତିକି ନୁହେଁ, ସଲ୍ମାନ୍ ଫାଷ୍ଟ୍ଫୁଡ୍ ଭଳି ଅଧିକ ତୈଳ ଓ ଚର୍ବିଯୁକ୍ତ ଖାଦ୍ୟରୁ ବି ଦୂରେଇ ଯାଇଛନ୍ତି। ତାଙ୍କର ଆଗାମୀ ଫିଲ୍ମ ‘ବ୍ୟାଟଲ୍ ଅଫ୍ ଗଲ୍ୱାନ୍’ ପାଇଁ ଏଭଳି ପ୍ରସ୍ତୁତି କରିଛନ୍ତି ସେ। ଏହି ଫିଲ୍ମର ସୁଟିଂ ଲେହ୍-ଲଦାଖ୍ ଭଳି ଥଣ୍ଡା ଓ ସୁଉଚ୍ଚ ସ୍ଥାନରେ ହେଉଥିବାରୁ ଶାରୀରିକ ଫିଟ୍ନେସ୍ ବଜାୟ ରଖିବା ପାଇଁ ସଲ୍ମାନ୍ ଖୁବ୍ ପରିଶ୍ରମ କରିଛନ୍ତି। ଏଥିପାଇଁ ଜଣେ ସ୍ବତନ୍ତ୍ର ଟ୍ରେନର୍ଙ୍କୁ ମଧ୍ୟ ନିଯୁକ୍ତ କରାଯାଇଥିଲା।
ଅପୂର୍ବ ଲାଖିୟାଙ୍କ ନିର୍ଦ୍ଦେଶିତ ‘ବ୍ୟାଟଲ୍ ଅଫ୍ ଗଲ୍ୱାନ୍’ର ଟିଜର୍ ଆସିବା ପରଠାରୁ ପ୍ରଶଂସକମାନେ ସଲ୍ମାନ୍ଙ୍କୁ ପୁଣିଥରେ ଆକ୍ସନ୍ ରୋଲ୍ରେ ପରଦାରେ ଦେଖିବା ପାଇଁ ଉତ୍ସାହିତ ହୋଇପଡ଼ିଛନ୍ତି। ଭାରତ ଓ ଚୀନ୍ ସେନା ମଧ୍ୟରେ ଗଲ୍ୱାନ୍ ଘାଟିରେ ହୋଇଥିବା ସମ୍ମୁଖ ଲଢ଼େଇ ଉପରେ ଆଧାରିତ ଏହି ଫିଲ୍ମରେ ସଲ୍ମାନ୍ ମୁଖ୍ୟ ଭୂମିକାରେ ଅଛନ୍ତି। ପୂର୍ବରୁ ଫିଲ୍ମର ସୁଟିଂ ବାତିଲ୍ ହୋଇଥିବା ନେଇ ଖବର ଆସିଥିଲା। ହେଲେ ଏବେ ସଲ୍ମାନ୍ ଫିଲ୍ମ ପାଇଁ ସୁଟିଂ ଆରମ୍ଭ କରିଦେଇଛନ୍ତି। ଏବେ ‘ବ୍ୟାଟଲ୍ ଅଫ୍ ଗଲ୍ୱାନ୍’ର ପୂରା ଟିମ୍ ଲଦାଖ୍ରେ କ୍ୟାମ୍ପ୍ କରିଛନ୍ତି। ନିର୍ଦ୍ଦେଶକ ଲାଖିୟା ଇନ୍ଷ୍ଟାରେ ପକାଇଥିବା ଏକ ଭିଡିଓରୁ ଏହା ଜଣାପଡ଼ିଛି।
ଯଦିଓ ଫିଲ୍ମର ସୁଟିଂ ଆରମ୍ଭ ନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ କୌଣସି ଆଧିକାରୀକ ସୂଚନା ଦିଆଯାଇନାହିଁ, କିନ୍ତୁ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଥିବା ଏକ ଫଟୋରୁ ଏହି ସୂଚନା ମିଳିଛି। ଏହି ଫଟୋରେ ସଲ୍ମାନ୍ ଜିନ୍ସ ଓ ନୀଳ ସାର୍ଟ ପିନ୍ଧି କ୍ୟାମେରାମ୍ୟାନ୍ମାନଙ୍କ ସାମ୍ନାରେ ଠିଆ ହୋଇଥିବା ଦେଖାଯାଇଛି। ବକ୍ସଅଫିସ୍ ବିଶ୍ଳେଷକ ତରଣ ଆଦର୍ଶ ସୋସିଆଲ୍ ମିଡିଆରେ ଏହି ଫଟୋ ସେୟାର୍କରି ଲେଖିଛନ୍ତି, ‘‘ବଲିଉଡ୍ର ଟାଇଗର୍ ଗଲ୍ୱାନ୍ ଭ୍ୟାଲିରେ ପାଦ ଦେଇଛନ୍ତି। ତାଙ୍କର କରିସ୍ମା ଓ ଆକ୍ସନ୍ ଏହି ଫିଲ୍ମକୁ ନିଶ୍ଚିତ ବ୍ଲକ୍ବଷ୍ଟର୍ କରିବ।’’
ସଲ୍ମାନ୍ଙ୍କ ଚରିତ୍ରର ପ୍ରଥମ ଲୁକ୍ ଗତ ମାସରେ ଉନ୍ମୋଚିତ ହୋଇ ଚର୍ଚ୍ଚାର ପରିସରକୁ ଆସିଥିଲା। ଏଥିରେ ସେ ଚୀନ୍ ସେନା ସହ ଅପୂର୍ବ ବୀରତ୍ବର ସହ ଲଢ଼ି ସହିଦ ହୋଇଥିବା ଭାରତୀୟ ସେନାର କର୍ଣ୍ଣେଲ୍ ବି. ସନ୍ତୋଷ ବାବୁଙ୍କ ଭୂମିକାରେ ଅଭିନୟ କରିଛନ୍ତି। ‘ବ୍ୟାଟଲ୍ ଅଫ୍ ଗଲ୍ୱାନ୍’ ପାଇଁ ସଲ୍ମାନ୍ ଓଜନ କମାଇବା ସହ ବରଫାବୃତ ପାହାଡ଼ିଆ ଅଞ୍ଚଳରେ ସୁଟିଂ କରିବା ଲାଗି ନିଜକୁ ଶାରୀରିକ ଭାବେ ପ୍ରସ୍ତୁତ ମଧ୍ୟ କରିଛନ୍ତି। ଏଥିରେ ଅନ୍ୟ ଭୂମିକାରେ ଚିତ୍ରାଙ୍ଗଦା ସିଂ, ଜିଅନ୍ ଶ’, ଅଙ୍କୁର ଭାଟିଆ ଓ ହର୍ଷିଲ୍ ଶାହା ଅଭିନୟ କରିଛନ୍ତି।
Discover more from Emerging Odisha
Subscribe to get the latest posts sent to your email.