ସୁପ୍ରିମକୋର୍ଟରେ ୨ ନୂଆ ବିଚାରପତି

Spread the love

ନୂଆଦିଲ୍ଲୀ,୨୮ା୮(ପି.ଟି.): ବମ୍ବେ ହାଇକୋର୍ଟ ମୁଖ୍ୟ ବିଚାରପତି ଆଲୋକ ଆରାଧେ ଏବଂ ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି ବିପୁଲ ମନୁଭାଇ ପାଞ୍ଚୋଲିଙ୍କୁ ବୁଧବାର ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ମିଳିଛି। ସୁପ୍ରିମକୋର୍ଟ କଲେଜିୟମ୍‌ ସୋମବାର ସେମାନଙ୍କ ନାମ ସୁପାରିସ କରିଥିବାବେଳେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ସେମାନଙ୍କ ନିଯୁକ୍ତି ସମ୍ପର୍କରେ ବୁଧବାର ଘୋଷଣା କରିଛି। ସେମାନଙ୍କ ଶପଥ ଗ୍ରହଣ ପରେ ସୁପ୍ରିମକୋର୍ଟର ମୋଟ ବିଚାରପତି ସଂଖ୍ୟା ସିଜେଆଇଙ୍କୁ ମିଶାଇ ୩୪ରେ ପହଞ୍ଚତ୍ବ। ଜଷ୍ଟିସ୍‌ ଜୟମାଲ୍ୟ ବାଗ୍‌ଚୀ ୨୦୩୧ ଅକ୍ଟୋବର ୨ରେ ଅବସର ନେବାକୁ ଥିବାବେଳେ ଏହା ପରେ ଜଷ୍ଟିସ୍‌ ପାଞ୍ଚୋଲି ଭାରତର ପ୍ରଧାନ ବିଚାରପତି ହେବେ। ସେ ୨୦୩୧ ଅକ୍ଟୋବର ୩ରୁ ୨୦୩୩ ମେ’ ୨୭ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ। ତେବେ ଜଷ୍ଟିସ୍‌ ପାଞ୍ଚୋଲିଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ନିମନ୍ତେ କଲେଜିୟମ୍‌ର ସୁପାରିସ୍‌କୁ ଜଷ୍ଟିସ୍‌ ବି.ଭି. ନାଗରତ୍ନା ବିରୋଧ କରିଥିଲେ। ପାଞ୍ଚୋଲିଙ୍କଠାରୁ ଅଧିକ ବରିଷ୍ଠ ବିଚାରପତି ବିଭିନ୍ନ ହାଇକୋର୍ଟରେ ଥିବା ସେ ଯୁକ୍ତି ଦର୍ଶାଇଥିଲେ। ୧୯୬୮ ମେ’ ୨୮ରେ ଅହମଦାବାଦରେ ଜନ୍ମିତ ଜଷ୍ଟିସ୍‌ ପଞ୍ଚୋଲି ୨୦୧୪ ଅକ୍ଟୋବର ୧ରେ ଗୁଜରାଟ ହାଇକୋର୍ଟର ଅତିରିକ୍ତ ବିଚାରପତି ହେବା ସହ ୨୦୧୬ ଜୁନ୍‌ ୧୦ରେ ସ୍ଥାୟୀ ବିଚାରପତି ହୋଇଥିଲେ। ୨୦୨୩ ଜୁଲାଇରେ ସେ ପାଟନା ହାଇକୋର୍ଟକୁ ବଦଳି ହେବା ପରେ ସେହିବର୍ଷ ମୁଖ୍ୟ ବିଚାରପତି ହୋଇଥିଲେ। ସେହିପରି ୧୯୬୪ ଏପ୍ରିଲ ୧୩ରେ ଜନ୍ମିତ ଜଷ୍ଟିସ୍‌ ଆରାଧେ ୨୦୦୯ରେ ମଧ୍ୟପ୍ରଦେଶ ହାଇକୋର୍ଟରେ ଅତିରିକ୍ତ ବିଚାରପତି ହେବା ସହ ୨୦୧୧ରେ ସ୍ଥାୟୀ ବିଚାରପତି ହୋଇଥିଲେ। ୨୦୧୮ ମେ’ ୧୧ରେ ସେ ଜମ୍ମୁ-କଶ୍ମୀର ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ହୋଇଥିଲେ। ସେହିବର୍ଷ ନଭେମ୍ବରରେ ସେ କର୍ନାଟକ ହାଇକୋର୍ଟକୁ ବଦଳି ହେବା ସହ ୨୦୨୨ ଜୁଲାଇରେ ଉକ୍ତ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ। ଏହା ପରେ ସେ ତେଲଙ୍ଗାନା ହାଇକୋର୍ଟ ମୁଖ୍ୟ ବିଚାରପତି ଏବଂ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି ହୋଇଥିଲେ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading