କିଭ୍: ୟୁକ୍ରେନ୍ ଓ ଋଷ ଯୁଦ୍ଧ ଭିତରେ ଶାନ୍ତି ପ୍ରତିଷ୍ଠା ପାଇଁ ହେଉଥିବା ପ୍ରୟାସ ବିଫଳ ହେଉଛି । ରବିବାର ୟୁକ୍ରେନ୍ ୩୪ତମ ସ୍ଵାଧୀନତା ଦିବସ ପାଳୁଥିବା ବେଳେ ଋଷର ପରମାଣୁ କେନ୍ଦ୍ର ଉପରେ ହୋଇଛି ଡ୍ରୋନ୍ ଆକ୍ରମଣ । ଏହି ଆକ୍ରମଣ ଋଷର ପଶ୍ଚିମ କୁର୍ସ୍କରେ ଥିବା ଏକ ପରମାଣୁ କେନ୍ଦ୍ର ଉପରେ ହୋଇଛି । ଡ୍ରୋନ୍ ଆକ୍ରମଣ ପରେ ପ୍ଲାଣ୍ଟରେ ନିଆଁ ଲାଗି ଯାଇଛି । ଏହି ଆକ୍ରମଣ ପାଇଁ ୟୁକ୍ରେନ୍କୁ ଦାୟୀ କରିଛି ଋଷ ।
କେତେ କ୍ଷୟକ୍ଷତି ?
ଋଷ ଅଧିକାରୀଙ୍କ ଅନୁସାରେ, ସାରା ରାତି ଆକ୍ରମଣ ହୋଇଥିବା ବେଳେ ବିଦ୍ୟୁତ୍ ଭିତ୍ତିଭୂମି ଓ ପରମାଣୁ କେନ୍ଦ୍ରକୁ ଟାର୍ଗେଟ୍ କରାଯାଇଛି । ଆକ୍ରମଣ ପରେ ପରମାଣୁ କେନ୍ଦ୍ରରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଥିବା ଋଷ କହିଛି । ତେବେ ଡ୍ରୋନ୍ ଆକ୍ରମଣରେ ଟ୍ରାନ୍ସଫର୍ମର କ୍ଷତିଗ୍ରସ୍ତ ହୋଇଥିବା ବେଳେ ରାଡିଏସନ୍ ସ୍ତର ସାମାନ୍ୟ ସୀମା ଭିତରେ ରହିଛି । ସେପଟେ ଋଷର ଅଭିଯୋଗ ନେଇ ଏଯାଏଁ ମୁହଁ ଖୋଲିନି ୟୁକ୍ରେନ୍ ।
ଅନ୍ୟପଟେ ୟୁକ୍ରେନ୍ର ଆକ୍ରମଣ ଫଳରେ ଉସ୍ତ-ଲୁଗା ବନ୍ଦରରେ ଲାଗିଥିବା ନିଆଁ ଏବେ ଆୟତ୍ତକୁ ଆସିଛି । ସ୍ଥାନୀୟ ରାଜ୍ୟପାଳ କହିଛନ୍ତି, ପ୍ରାୟ ୧୦ଟି ୟୁକ୍ରେନ୍ ଡ୍ରୋନ୍କୁ ସେନା ଖସାଇ ଦେଇଥିବା ବେଳେ ତାର ଭଗ୍ନାଂଶରୁ ନିଆଁ ଲାଗିଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ, ରବିବାର ରାତି ସୁଦ୍ଧା ପ୍ରାୟ ୯୫ଟି ୟୁକ୍ରେନ୍ ଡ୍ରୋନ୍କୁ ନଷ୍ଟ କରି ଦିଆଯାଇଛି ।
ସେପଟେ ୟୁକ୍ରେନ୍ କହଛି, ରବିବାର ସୁଦ୍ଧା ଋଷ ୭୨ଟି ଡ୍ରୋନ, ଅସ୍ତ୍ରଶସ୍ତ୍ର ଏବଂ ଗୋଟିଏ କ୍ରୁଜ୍ ମିସାଇଲ୍ ଆକ୍ରମଣ କରିଛି । ୟୁକ୍ରେନ୍ ସେନା ସେଥିରୁ ୪୮ଟି ଡ୍ରୋନ୍କୁ ଧ୍ଵଂସ କରି ଦେଇଛି । ରବିବାର ୟୁକ୍ରେନ୍ ୩୪ତମ ସ୍ଵାଧୀନତା ଦିବସ ପାଳୁଥିବା ବେଳେ ରାଷ୍ଟ୍ରପତି ଜେଲେନସ୍କି କିଭରୁ ଭିଡିଓ ବାର୍ତ୍ତା ଜାରି କରି ନ୍ୟାୟପୂର୍ଣ୍ଣ ଶାନ୍ତି ପାଇଁ ନିବେଦନ କରିଛନ୍ତି । ଜେଲେନସ୍କି କହିଛନ୍ତି, ୟୁକ୍ରେନ୍ର ଭବିଷ୍ୟତ କେବଳ ଆମ ଉପରେ ନିର୍ଭର କରେ ।
Discover more from Emerging Odisha
Subscribe to get the latest posts sent to your email.