ଗ୍ରେଟର ନୋଏଡା: ୨୦୧୬ରେ ହୋଇଥିଲା ବିବାହ। ସ୍କର୍ପିଓ ଗାଡ଼ି ସହ ସୁନା ଅଳଙ୍କାର ଦେଇ ବିବାହ କରାଇଥିଲେ ବାପା। ହେଲେ ମରିନଥିଲା ସ୍ବାମୀ ମନରେ ଥିବା ଲୋଭ। ଏହି ଲୋଭ ଆଜି ଜଣକ ଜୀବନ ନେଇଥିବା ବେଳେ ଜଣଙ୍କୁ ହତ୍ୟାକାରୀ ସଜାଇଛି। ଘଟଣାଟି ଗ୍ରେଟର ନୋଏଡାରେ ଘଟିଛି। ଏଠାରେ ରହୁଥିବା ଜଣେ ଯୁବକ ନିଜ ପତ୍ନୀଙ୍କୁ ଯୌତୁକ ପାଇଁ ମାଡ଼ ମାରି ଜିଅନ୍ତା ଜାଳି ଦେଇଥିବା ଜଣାଯାଇଛି। ଗୁରୁବାର ଘଟଣାଟି ଘଟିଥିବା ବେଳେ ଶନିବାର ଭିଡିଓ ଭାଇରାଲ ହେବା ପରେ ଅଭିଯୁକ୍ତ ସ୍ବାମୀର ଅସଲ ଚେହେରା ସାମ୍ନାକୁ ଆସିଛି। ଏହି ଘଟଣାରେ ଏବେ ପୁଲିସ ଅଭିଯୁକ୍ତ ସ୍ବାମୀ ବିପିନ ଭାଟ୍ଟୀକୁ ଗିରଫ କରିଛି। ମୃତକଙ୍କ ନାମ ନିକ୍କି ବୋଲି ଜଣାପଡ଼ିଥିବା ବେଳେ ତାଙ୍କ ଭଉଣୀ କାଞ୍ଚନ କରିଥିବା ଭିଡିଓରୁ ପୂରା ଘଟଣା ସାମ୍ନାକୁ ଆସିଛି।
କାଞ୍ଚନ କରିଥିବା ଅଭିଯୋଗ ମୁତାବକ, “୨୦୧୬ରେ ଆମ ଦୁହିଁଙ୍କ ବିବାହ ହୋଇଥିଲା। ବାପା ସ୍କର୍ପିଓ ଗାଡ଼ି ସହ ସୁନା ଅଳଙ୍କାର ଦେଇ ବିବାହ କରାଇଥିଲେ। ହେଲେ ବିବାହ ପରେ ଏତେ ସବୁ ଜିନିଷ ନେଇ ମଧ୍ୟ ବିପିନର ଲୋଭ କମ ହୋଇନଥିଲା। ବାରମ୍ବାର ସେ ଯୌତୁକ ପାଇଁ ନିକ୍କି ଉପରେ ଚାପ ପକାଉଥିଲା। ଅନେକ ଥର ସେ ମୋ ଭଉଣୀକୁ ମାଡ଼ ମଧ୍ୟ ମାରିଛି। ସବୁ ସହି ମୋ ଭଉଣୀ ତା’ ସହ ରହୁଥିଲା। ହେଲେ ୮-୯ଦିନ ତଳେ ବିପିନର ଅନ୍ୟ ମହିଳାଙ୍କ ସହ ସମ୍ପର୍କ ଥିବା ଜାଣିବାକୁ ପାଇଥିଲା ନିକ୍କି। ଏନେଇ ବିରୋଧ କରିବାରୁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଗତ ଗୁରୁବାର ଏନେଇ ଝଗଡ଼ା ହେବାରୁ ବିପିନ ମୋ ଭଉଣୀକୁ ମାଡ଼ ମାରି ତାକୁ ଜିଅନ୍ତା ଜାଳି ଦେଇଥିଲା। ଏସବୁ ଅପରାଧରେ ବିପିନ ସହ ତା’ର ପରିବାର ବି ଜଡ଼ିତ। ସମସ୍ତେ ମୋ ଭଉଣୀକୁ ଯୋଜନାବଦ୍ଧ ଭାବେ ହତ୍ୟା କରିଛନ୍ତି।”
ତେବେ ଗିରଫ ହେବା ପୂର୍ବରୁ ବିପିନ ଭଲପାଇବାର ନାଟକ କରିଥିଲା। ଇନଷ୍ଟାଗ୍ରାମରେ ନିଜର ପେସା ଓକିଲ ବୋଲି ଲେଖିଥିବା ବିପିନ ନିକ୍କିଙ୍କ ଫଟୋ ପୋଷ୍ଟ କରି ଲେଖିଥିଲା, “ତୁମେ କାହିଁକି ମୋତେ କହିଲ ନାହିଁ କ’ଣ ଘଟିଥିଲା? ତୁମେ ମୋତେ କାହିଁକି ଛାଡି ଚାଲିଗଲ? ତୁମେ ଏପରି କାହିଁକି କଲ? ଦୁନିଆ ମୋତେ ହତ୍ୟାକାରୀ କହୁଛି, ନିକ୍କି। ତୁମେ ଯିବା ପରେ ମୋ ସହ କିଛି ଠିକ୍ ହେଉ ନାହିଁ। ମୁଁ ବର୍ବାଦ ହୋଇଗଲି।” ଏଭଳି ପୋଷ୍ଟ କରିବାର କିଛି ଘଣ୍ଟା ପରେ ପୁଲିସ ତାକୁ ଗିରଫ କରିଥିଲା। ନିକ୍କିଙ୍କୁ ମାଡ଼ ମାରୁଥିବାର ଭିଡିଓ ଭାଇରାଲ ହେବା ପରେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାଯାଇଛି।
Discover more from Emerging Odisha
Subscribe to get the latest posts sent to your email.