ଅନୁଗୋଳରେ ହାତୀ ଉପଦ୍ରବ ରୋକିବା ପାଇଁ ସରକାରଙ୍କ ଅଭିନବ ପଦକ୍ଷେପ । ଅନୁଗୋଳ ବନଖଣ୍ଡକୁ ଆସିଲା ସ୍ବତନ୍ତ୍ର ଟ୍ରକ୍ ‘ଐରାବତ’ ହାତୀ ସ୍ଥାନାନ୍ତର ପାଇଁ ହେବ ବ୍ୟବହାର
ଅନୁଗୋଳ ଜିଲ୍ଲାରେ ଥିବା ହାତୀ ଉପଦ୍ରବ ରୋକିବା ପାଇଁ ସରକାର ନେଇଛନ୍ତି ଅଭିନବ ପଦକ୍ଷେପ I ଅନୁଗୋଳ ବନଖଣ୍ଡକୁ ଆସିଛି ଏକ ସ୍ବତନ୍ତ୍ର ଟ୍ରକ୍ ‘ଐରାବତ’ । ଯାହା ଅନୁଗୋଳ ସମେତ ରାଜ୍ୟର ଅନ୍ୟ ଜିଲ୍ଲାରେ ହାତୀ ସ୍ଥାନାନ୍ତର ପାଇଁ ବ୍ୟବହାର କରାଯିବ । ଝାଡ଼ଖଣ୍ଡର ଜାମସେଦପୁର ଠାରେ ସ୍ବତନ୍ତ୍ର ଭାବେ ଏହାର ନିର୍ମାଣ କରାଯାଇଛି । ମୁଖ୍ୟତଃ ହାତୀ ସ୍ଥାନାନ୍ତର ବେଳେ ଆବଶ୍ୟକ ହେଉଥିବା ସମସ୍ତ ଯନ୍ତ୍ରପାତି ଏହି ଟ୍ରକରେ ଉପଲବ୍ଧ ।
ପୂର୍ବରୁ ଯେଭଳି ଟ୍ରକ୍ରେ ହାତୀଙ୍କୁ ନିଆଯାଉଥିଲା ସେଭଳି ସମସ୍ୟା ଆଉ ହେବ ନାହିଁ । ଟ୍ରକ୍ରେ ୧୫ ଶହ ଲିଟର ଜଳଧାରଣ କରୁଥିବା ଟ୍ୟାଙ୍କ୍ ରହିଛି। ଦୂର ସ୍ଥାନକୁ ହାତୀ ସ୍ଥାନାନ୍ତର ସମୟରେ ହାତୀର ଗାଧୋଇବା ଓ ପିଇବା ପାଇଁ ଯେପରି ପାଣିର ଅଭାବ ନହୁଏ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି। ସେହିପରି ଜଳାଶୟରୁ ପାଣି ଭର୍ତ୍ତି କରାଯିବାକୁ ଏକ ପାଣି ପମ୍ପ ରହିଛି।
ହାତୀର ତାପମାତ୍ରା ମାପିବାକୁ ଅଟୋମେଟିକ୍ ମେସିନ୍ ଓ ଫାଷ୍ଟଏଡ୍ ବକ୍ସ ଖଞ୍ଜା ଯାଇଛି । ସେଥିରେ ୨ ହଜାର ୱାଟ୍ର ଜେନେରେଟର ଲାଗିବା ସହିତ ଆଲୋକୀକରଣ ପାଇଁ ଉଜ୍ବଳ ଲାଇଟ୍ ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ୨ଟି ସିସିଟିଭି କ୍ୟାମେରା ଲଗାଯାଇଛି । ଅସୁସ୍ଥ ହାତୀ ଖାଇବା ପାଇଁ ସେଥିରେ ସ୍ବତନ୍ତ୍ର ପାତ୍ର ରଖାଯାଇଛି। ଗାଡ଼ିଟି ହାତୀକୁ ଅନ୍ୟ ସ୍ଥାନକୁ ନେଇ ଯାଉଥିବାବେଳେ ସାଇରନ୍ ବାଜି ଉଠିବ, ଫଳରେ ଟ୍ରାଫିକ୍ ସମସ୍ୟାରେ ଫସିବ ନାହିଁ । ଅନ୍ୟପକ୍ଷରେ ଏହା ରାଜ୍ୟର ଏକମାତ୍ର ସ୍ବତନ୍ତ୍ର ଗାଡ଼ି, ଯାହାକି ହାତୀ ସ୍ଥାନାନ୍ତର ପାଇଁ ସ୍ବତନ୍ତ୍ର ଭାବେ ନିର୍ମିତ ହୋଇଛି । ଗାଡ଼ିର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା । ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍ପାତ କରୁଥିବା ହାତୀମାନଙ୍କୁ ଟ୍ରାଙ୍କୁଲାଇଜ୍ କରାଯାଇ ଅନ୍ୟତ୍ର ସ୍ଥାନାନ୍ତରରେ ଏହା ବେଶ୍ ସହାୟକ ହେବ। ଅସୁସ୍ଥ ହାତୀମାନଙ୍କୁ ମଧ୍ୟ ଏହି ଗାଡ଼ିରେ ଚିକିତ୍ସା ପାଇଁ ନିଆଯାଇ ପାରିବ ବୋଲି ଜଣାପଡ଼ିଛି ।
Discover more from Emerging Odisha
Subscribe to get the latest posts sent to your email.