ମାହାଙ୍ଗା: ବାପାର ସମ୍ପର୍କକୁ ନେଇ ମାଆର ସନ୍ଦେହ, ସଜ୍ଜା ପାଇଥାନ୍ତେ ୩ ଛୁଆ । ଦୁନିଆ କ’ଣ ଜାଣିବା ଆଗରୁ ଜାଳି ଦେଇଥାନ୍ତା ଜନ୍ମ କଲା ମାଆ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଜଘନ୍ୟ କାଣ୍ଡ ଘଟାଇବାକୁ ପଛଘୁଞ୍ଚା ଦେଇନି ଜନ୍ମଦାତ୍ରୀ । ସ୍ଵାମୀର ପରକୀୟା ପ୍ରୀତି ସନ୍ଦେହ କରି ନିଜ ସହ ୩ ନାବାଳିକା ଝିଅକୁ କିରୋସିନ୍ ଢାଳି ଜାଳିଦେବାକୁ ଉଦ୍ୟମ କରିଛି । କିରୋସିନ୍ ଢାଳିବା ବେଳେ ବଡ଼ ଝିଅ ଦୌଡ଼ି ପଳାଇ ଲୋକଙ୍କୁ ଡାକିବାରୁ ବଞ୍ଚି ଯାଇଛି ୪ ଜଣଙ୍କ ଜୀବନ ।
ଏ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳରେ । ନିଶ୍ଚିନ୍ତକୋଇଲି ଥାନା ବାଲିଆପାଦ ଗାଁରେ ୩ ଝିଅଙ୍କୁ ନେଇ ମାଆ ଆତ୍ମାହୁତି ଉଦ୍ୟମ କରିଛି । ବଡ଼ ଝିଅର ଉପସ୍ଥିତ ବୁଦ୍ଧି ଫଳରେ ୪ ଜଣଙ୍କ ଜୀବନ ବଞ୍ଚି ଯାଇଥିବା ବେଳେ ସମସ୍ତଙ୍କୁ ଉଦ୍ଧାର କରି ଥାନାକୁ ନେଇ ପଚରାଉଚରା କରୁଛି ପୋଲିସ ।
ବଡ଼ ଝିଅର କହିବା ଅନୁସାରେ, ବାପା ହାଇଦ୍ରାବାଦରେ ରହୁଥିବା ବେଳେ କୌଣସି କାରଣରୁ ବାପାମାଆଙ୍କ ମଧ୍ୟରେ ଫୋନ୍ରେ ଝଗଡ଼ା ହୋଇଥିଲା । ଆଉ ଗୁରୁବାର ସକାଳୁ ମାଆ ଚାଉଳ ଆଣିବା ଲାଗି ଯିବାକୁ ଡାକି ୩ ଛୁଆଙ୍କ ସହ ନିଜ ଦେହରେ କିରୋସିନ୍ ଢାଳିଥିଲା । ୨ ଭଉଣୀଙ୍କ ଉପରେ କିରୋସିନ୍ ଢାଳିବା ବେଳେ ବଡ଼ ଝିଅ ଦୌଡ଼ି ପଳାଇ ଲୋକଙ୍କୁ ଡାକିବାରୁ ସମସ୍ତଙ୍କ ଜୀବନ ବଞ୍ଚି ଯାଇଛି ।
ଘଟଣାକୁ ନେଇ ନାବାଳିକାଙ୍କ ଜେଜେ କହିଛନ୍ତି, କିରୋସିନ୍ ଢାଳିବାର କାରଣ କ’ଣ ମୁଁ ଜାଣିନି । ପୁଅ ହାଇଦ୍ରାବାଦରେ ରହୁଛି, ବୋହୂ ମୋ ନାଁରେ କେସ୍ ଦେଉଛି । ବୋହୂ ଅଲଗା ରହୁଛି, ପୁଅର ଆଉ କାହା ସହ ସମ୍ପର୍କ ଥିବା ଶୁଣୁଛି । ଠିକ୍ କି ଭୁଲ୍ ଜାଣିନି । ତା’କୁ ନେଇ ପୁଅ-ବୋହୂଙ୍କ ଝଗଡ଼ାରୁ ଏକଥା ହୋଇଛି ।
ତେବେ ଅନ୍ୟ ସହ ସ୍ଵାମୀଙ୍କ ପରକୀୟା ସମ୍ପର୍କ ସନ୍ଦେହ କରି ୩ ଛୁଆଙ୍କ ସହ ନିଜେ ମାଆ କିରୋସିନ୍ ଢାଳି ହେବା ମାହାଙ୍ଗା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ନିଶ୍ଚିନ୍ତକୋଇଲି ଥାନା ପୋଲିସ ସମସ୍ତଙ୍କୁ ପଚରାଉଚରା କରୁଥିବା ବେଳେ ଏ ନେଇ ମହିଳାଙ୍କ ସ୍ଵାମୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
Discover more from Emerging Odisha
Subscribe to get the latest posts sent to your email.