ଖୋର୍ଦ୍ଧା ବିଜେଡି ଜିଲ୍ଲା ସଭାପତି କସରତ: ଆଶାୟୀ ଦୌଡ଼ରେ ପ୍ରଦୀପ, ମନ୍ମଥ !

Spread the love

ଖୋର୍ଦ୍ଧା,୧୯/୦୮: ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ । ତେଣୁ  ତୃଣମୂଳସ୍ତରରେ ଦଳୀୟ ସଙ୍ଗଠନକୁ ମଜବୁତ୍‌ କରିବାକୁ ଏବେଠୁ ୩ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଅଣ୍ଟା  ଭିଡିଲେଣି । କଂଗ୍ରେସ ଓ ବିଜେପି ଜିଲ୍ଲା ସାଙ୍ଗଠନିକ ସଭାପତିଙ୍କ ନାଁ ଘୋଷଣା କରିଥିବାବେଳେ ବିଜେଡ଼ି ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିନାହିଁ । ଦଳୀୟ ଗୋଷ୍ଠୀକନ୍ଦଳ ହେଉ ନଚେତ  ଏକାଧିକ ଆଶାୟୀ ସଭାପତି ଦୌଡ଼ରେ ଥିବା ଫଳରେ ବିଜେଡ଼ି ଜିଲ୍ଲା ସଭାପତି ଘୋଷଣା ବିଳମ୍ବ ହେଉଛି । ଏପଟେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ  ପୁରୁଣା ନା’ ନୂଆ ନେତାଙ୍କ ମୁଣ୍ଡରେ ସୁନା କଳସ ଢାଳିବେ ସେ ପ୍ରଶ୍ନ ଏବେ ଦଳୀୟ  କର୍ମୀଙ୍କ ମଧ୍ୟରେ ଗୁଞ୍ଜରଣ ସୃଷ୍ଟି କରିଛି । ଏପରି ଦେଖିବାକୁ ଗଲେ ଖୋର୍ଦ୍ଧା ବିଜେଡି  ଜିଲ୍ଲା ସଭାପତି ଆଶାୟୀ ଦୌଡ଼ରେ ବେଗୁନିଆ ବିଧାୟକ ପ୍ରଦୀପ ସାହୁ,  ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ, ଜଟଣୀ ବିଧାୟକ ବିଭୂତି ବଳବନ୍ତରାୟ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା ଓ କୈଳାସ ପରିଜାଙ୍କ ଭଳି ଡଜନେ ନେତାଙ୍କ ନାଁ ଥିବା ଦଳୀୟ ମହଲରେ ଆଲୋଚନା ହେଉଛି ।  

ଏଭଳି ସ୍ଥିତିରେ ପୂର୍ବତନ ଜିଲ୍ଲା  ସଭାପତି ତଥା ଚିଲିକା ପ୍ରାକ୍ତନ ବିଧାୟକ ରଘୁନାଥ ସାହୁ ଏହି ଦୌଡ଼ରେ ନ ଥିବା ସ୍ପଷ୍ଟ କରିବା ପରେ ବିଜେଡ଼ି ଆମଦାନୀ ନେତାଙ୍କ ଉପରେ ଭରସା କରିବ ନା’  ପୁରୁଣା ଚେହେରାକୁ ଦାୟିତ୍ୱ ଦେବେ ତାହା ଦେଖିବାକୁ ରହିଛି । ଦଳ ଯଦି ବିଜେଡି ଜଟଣୀ ବିଧାୟକ ତଥା ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟଙ୍କ ଉପରେ ଭରସା କରେ ତାହାଲେ ଦଳରେ ଅସନ୍ତୋଷ ବଢିବା ରାଜନୈତିକ ମହଲରେ ଆଲୋଚନା ହେଉଛି । ବିଧାୟକ ବିଭୂତିଙ୍କ ନିର୍ବାଚନ ମଣ୍ଡଳୀର  ଜଣେ ଜିଲ୍ଲା ପରିଷଦ ସଭ୍ୟ ଏବଂ ଉପାଧ୍ୟକ୍ଷ ବିଜେପିରେ ମିଶିବା ଏବଂ  ବରିଷ୍ଠ ନେତା ସୁରେଶ ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ ଏବଂ ବିଭୂତି ସମର୍ଥକଙ୍କ ମଧ୍ୟରେ କିଛିଦିନ ହେବ କନ୍ଦଳ ଦେଖାଯାଉଥିବାରୁ ବିଜେଡ଼ି ତାଙ୍କ ଉପରେ ଭରସା କରିବା ଆଶା କମ୍‌ ରହିଥିବା ରାଜନୈତିକ ଶିବିରରେ ଆଲୋଚନା ହେଉଛି । ଚିଲିକା ପୂର୍ବତନ ବିଧାୟକ ରଘୁନାଥ ସାହୁ ଓ ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁଙ୍କ ସମର୍ଥକମାନେ ମଧ୍ୟ ବିଧାୟକ ବିଭୂତିଙ୍କ ସ୍ଥାନରେ ନୂଆ ଚେହେରାକୁ ଗୁରୁତ୍ୱ ଦେବାକୁ  ବିଜେଡ଼ିର ଏକ ପାୱାରଫୁଲ ଗୋଷ୍ଠୀ  ନିକଟରେ ଲବି କରୁଥିବା କୁହାଯାଉଛି ।  

ଏଭଳି ସ୍ଥଳରେ ଗତ ସାଧାରଣ ନିର୍ବାଚନ ଆଗରୁ କଂଗ୍ରେସ ଛାଡ଼ି ବେଗୁନିଆରୁ ବିଜେଡ଼ି ଟିକେଟରେ ବିଧାୟକ ହୋଇଥିବା ପ୍ରଦୀପ ସାହୁ ଗତ  ୧୬ ତାରିଖରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବା ସମୟରେ ଜିଲ୍ଲା ସଭାପତି ପଦକୁ ନେଇ ଆଲୋଚନା ହୋଇଥିବା ଦଳୀୟ ମହଲରେ ଚର୍ଚ୍ଚା  ହେଉଛି । ସେହିପରି ଆଉ ଜଣେ ନେତା ହେଉଛନ୍ତି ବିଜେଡ଼ି ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ। ସେ ମଧ୍ୟ ଗତ ସାଧାରଣ ନିର୍ବାଚନ ସମୟରେ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବା ଏବଂ ତାଙ୍କ ପାଇଁ ବାପା  ତଥା ବରିଷ୍ଠ ନେତା ସୁରେଶ ରାଉତରାୟ ଭୋଟ୍ ମାଗିବା ଘଟଣା ରାଜନୈତିକ ମହଲରେ ବେଶ ଆଲୋଡ଼ନ ସୃଷ୍ଟି  କରିଥିଲେ । ତେବେ ବିଧାୟକ ପ୍ରଦୀପ ସାହୁ ବିଜେଡ଼ି ସୁପ୍ରିମୋଙ୍କୁ ଭେଟିବା  ତାଙ୍କର ବ୍ୟକ୍ତିଗତ କହିଥିବାବେଳେ  ସୁପ୍ରିମୋ ତାଙ୍କୁ ଯେଉଁ ଦାୟିତ୍ୱ ଦେବେ  ତାକୁ ସେ ସୂଚାରୁ ଭାବେ ତୁଲାଇବେ  ବୋଲି କହିଛନ୍ତି । ଏପଟେ ମନ୍ମଥ  ରାଉତରାୟ ମଧ୍ୟ ଆଶାୟୀ ଦୌଡ଼ରେ  ଥିବା କହିବା ସହ ତାଙ୍କୁ ଦଳ ସୁଯୋଗ  ଦେଲେ ତୃଣମୂଳସ୍ତରରେ କର୍ମୀଙ୍କ ସହ  ମିଶି କାମ କରିବି ବୋଲି କହିଛନ୍ତି ।  ସୁପ୍ରିମୋ ନବୀନ ପଟ୍ଟନାୟକ ଆମଦାନୀ  ନେତା ପ୍ରଦୀପ ଓ ନବାଗତ ମନ୍ମଥଙ୍କ  ଉପରେ ଭରସା କରିବେ ନା’ ଆଉ କାହା  ମୁଣ୍ଡରେ ସୁନା କଳସ ଢାଳିବେ ତାହା  ଦେଖିବାକୁ ବାକି ରହିଲା ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading