ଆଳି/ରାଜନଗର,୧୮ା୮ କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଏକମାଣିଆ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ୩ ଗୋପାଳକଙ୍କ ୭୩ ମଇଁଷିଙ୍କ ବ୍ରାହ୍ମଣୀ ନଦୀ ଶାଖା ଦକ୍ଷିଣଡିହା ଗଳିଆ ପାଣି ନାଳିରେ ମୃତ୍ୟୁ ଘଟିଛି। କୁମ୍ଭୀର ଆକ୍ରମଣ ନା ଚିଙ୍ଗୁଡ଼ିଘେରିର ରାସାୟନିକ ପାଣି ଯୋଗୁ ବିଷକ୍ରିୟାରେ ମୃତ୍ୟୁ ଘଟିଛି ତାହାକୁ ନେଇ ଅଞ୍ଚଳବାସୀଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି।
ରବିବାର ସକାଳ ପ୍ରାୟ ୮ଟାରେ ଏକମାଣିଆ ଗାଁର ଗଣେଶ ଦାସ, ଜଗନ୍ନାଥ ଦାସ ଓ ପରମାନନ୍ଦ ବିଶ୍ୱାଳଙ୍କ ୮୮ ମଇଁଷି ଗଳିଆ ନାଳି ପାଖରେ ବନ୍ଧା ହୋଇଥିଲେ। ମଇଁଷିମାନଙ୍କୁ ଖାଇବାକୁ ଦିଆଯିବା ସହ କ୍ଷୀରଦୁହାଁ ଯିବା ପରେ ଚରିବା ପାଇଁ ପଘା ଖୋଲା ଯାଇଥିଲା। ଗଳିଆ ନାଳି ପାର ହୋଇ ଚରି ଚରି ଆଗକୁ ମଇଁଷି ସବୁ ଯାଉଥିଲେ। ନାଳିଟି ଗହୀରିଆ ଓ ଅଣଓସାରିଆ ଥିବାରୁ କୁମ୍ଭୀର ଆକ୍ରମଣ ନା ବିଷକ୍ରିୟା ଯୋଗୁ ମଇଁଷିମାନେ ଛନ୍ଦାଛନ୍ଦି ହୋଇ ପାଣିରେ ବୁଡ଼ି ଯାଇଥିଲେ। ଗୋପାଳକ ଏହା ଦେଖି ଗ୍ରାମବାସୀଙ୍କୁ ଖବର ଦେବା ପରେ ୨ଟି ଡଙ୍ଗା ନେଇ ନାଳି ମଧ୍ୟରେ ଖୋଜାଖୋଜି କରି ୭୩ ମଇଁଷିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗଣେଶ ଦାସଙ୍କ ୪୦, ଜଗନ୍ନାଥ ଦାସଙ୍କ ୧୭ ଓ ପରମାନନ୍ଦ ବିଶ୍ୱାଳଙ୍କ ୧୬ ମଇଁଷିଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଅପରପକ୍ଷେ ଜଗନ୍ନାଥଙ୍କ ୩ଟି ଓ ପରମାନନ୍ଦଙ୍କର ୧୨ ମଇଁଷି ସୌଭାଗ୍ୟବଶତଃ ବଞ୍ଚତ୍ ଯାଇଛନ୍ତି। ରାଜ୍ୟରେ ଏଭଳି ଅଘଟଣ ପ୍ରଥମ ଥର ଘଟିଛି ବୋଲି ମଧ୍ୟ କୁହାଯାଉଛି।
ଅନ୍ୟପକ୍ଷରେ ମଇଁଷି ନଦୀରେ ପହଁରି ଯାତାୟାତ କରିବା ସହ ଦୀର୍ଘ ସମୟ ପାଣିରେ ପଡ଼ି ରହିଥାନ୍ତି। କିନ୍ତୁ ଯେଉଁ ନାଳି ଦେଇ ସବୁଦିନ ମଇଁଷିମାନେ ଯାତାୟାତ କରନ୍ତି, ସେହି ନାଳିରେ ବୁଡ଼ି ମରିବା ଘଟଣା ଗୋପାଳକଙ୍କୁ ଆଶ୍ଚର୍ଯ୍ୟ କରିଛି। ମଇଁଷି ରଖି ପରିବାରର ଗୁଜୁରାଣ ମେଣ୍ଟାଉଥିବା ଏହି ପରିବାର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି। କ୍ଷୀର ବିକ୍ରି କରି ପରିବାର ପ୍ରତିପୋଷଣ କରନ୍ତି। ଜୀବନ ବଞ୍ଚତ୍ୟାଇଛି ସତ, କିନ୍ତୁ ଜୀବିକା ସମ୍ପୂର୍ଣ୍ଣ ଭାବେ ଉଜୁଡି ଯାଇଛି। ଏ ନେଇ ୩ ଗୋପାଳକ ଓ ସରପଞ୍ଚ ଅହଲ୍ୟା ବିଶ୍ୱାଳ ରାଜନଗର ବନ ବିଭାଗ ନିକଟରେ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରି ଏକ ଲିଖିତ ଅଭିଯୋଗ ପତ୍ର ଦେଇଛନ୍ତି। ଏଥିସହ ଆଳି ତହସିଲ, ଥାନା ଓ ପ୍ରାଣୀ ଚିକିତ୍ସାଳୟରେ ମଧ୍ୟ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ରାଜନଗର ବନପାଳ ବିଜୟ ପାତ୍ରଙ୍କୁ ପଚାରିବାରେ ଖବର ପାଇଛି। ସନ୍ଧ୍ୟାରେ ଘଟଣାସ୍ଥଳ ଯାଇ ତଦନ୍ତ ଆରମ୍ଭ କରିଛୁ। ଆଳି ତହସିଲଦାର ଶାନ୍ତି ସ୍ବରୂପ ମିଶ୍ର, କେନ୍ଦ୍ରାପଡ଼ା ଜିଲା ପ୍ରାଣୀ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମନୋଜ ପଟ୍ଟନାୟକ, ରାଜନଗର ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରକାଶ ଚନ୍ଦ୍ର ଜେନା ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସୋମବାର ମୃତଦେହ ବ୍ୟବଚ୍ଛେଦ କରାଯିବ। ମୃତ୍ୟୁର କାରଣ ଜଣାପଡ଼ିବା ପରେ ଡିଏଫ୍ଓଙ୍କୁ ରିପୋର୍ଟ ପ୍ରଦାନ କରାଯିବ। ତାଙ୍କ ନିର୍ଦ୍ଦେଶକ୍ରମେ କ୍ଷତିଗ୍ରସ୍ତ ଗୋପାଳକଙ୍କୁ ସରକାରଙ୍କ ନିୟମ ଅନୁସାରେ ସହାୟତା ଦିଆଯିବ ବୋଲି ବନପାଳ ପାତ୍ର କହିଛନ୍ତି।
Discover more from Emerging Odisha
Subscribe to get the latest posts sent to your email.