ରାଜସ୍ଥାନର ଭରତପୁରର ଅଟଳ ବନ୍ଧ ଅଞ୍ଚଳର କଙ୍କଡ଼ ୱାଲି କୁଇୟା ଅଞ୍ଚଳର ବାସିନ୍ଦା ଗୋବିନ୍ଦ କୁମାର , ରାସ୍ତା କଡ଼ରେ ଏକ ଠେଲା ଗାଡ଼ିରେ ପକୁଡ଼ି ବିକ୍ରି କରନ୍ତି । ସେ ୨୫ ବର୍ଷ ଧରି ଏହି କାମ କରି ନିଜର ୭ ଜଣିଆ ପରିବାରର ଭରଣପୋଷଣ କରିଆସୁଛନ୍ତି । ତାଙ୍କର ୫ଟି ସନ୍ତାନ ପାଠ ପଢୁଥିବା ବେଳେ ସେ ଘରେ ଏକମାତ୍ର ରୋଜଗାରିଆ ସଦସ୍ୟ ଥିଲେ । ଗୋଟିଏ ଛୋଟିଆ ଘରେ ରହି ସେ ପିଲାମାନଙ୍କ ପାଠପଢ଼ାରେ କୌଣସି ଅଭାବ ରଖିନଥିଲେ । ଆଉ ସେହି ବାପାଙ୍କ ପରିଶ୍ରମର ଫଳ ସ୍ୱରପ ତାଙ୍କର ଦୁଇ ଝିଅ ଆଜି ଜଣେ ଆଇଏଏସ୍ ଏବଂ ଅନ୍ୟଜଣେ ଡାକ୍ତର ।
୨୦୨୧ରେ UPSC ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଦୀପେଶ କୁମାରୀ ନିଜର ସାନ ଭାଇଭଉଣୀମାନଙ୍କ ପାଇଁ ଏକ ଉଦାହରଣ ପାଲଟିଗଲେ । ଏହା ତାଙ୍କର ଉତ୍ତମ ବ୍ୟକ୍ତିତ୍ୱର ପ୍ରଭାବ ଥିଲା ଯେ ତାଙ୍କୁ ଦେଖି ତାଙ୍କ ଭାଇଭଉଣୀମାନେ ମଧ୍ୟ ନିଜ କ୍ୟାରିୟର୍ ପାଇଁ ବଡ଼ ସ୍ୱପ୍ନ ଦେଖିଲେ ଏବଂ ତାହାକୁ ହାସଲ କଲେ । ଦୀପେଶ କୁମାରୀ ନିଜେ IAS ଅଫିସର ହେଲେ, ତାଙ୍କର ଜଣେ ଭଉଣୀ ଡାକ୍ତର ହେଲେ ଏବଂ ଦୁଇ ଭାଇଭଉଣୀ MBBS ପାଠ ପଢୁଛନ୍ତି । ଏହି ସମ୍ପୂର୍ଣ୍ଣ ପରିବାର ପ୍ରମାଣିତ କରିଦେଇଛନ୍ତି ଯେ ଯଦି ଇଚ୍ଛାଶକ୍ତି ଦୃଢ଼ ଥାଏ, ତେବେ କୌଣସି ବାଧାବିଘ୍ନ ଆପଣଙ୍କ ମନୋବଳକୁ ଦୋହଲାଇ ପାରିବ ନାହିଁ ।
ଦୀପେଶ କୁମାରୀ ୫ ଭାଇଭଉଣୀଙ୍କ ମଧ୍ୟରେ ସବୁଠାରୁ ବଡ଼ । ସେ ପିଲାଦିନୁ ପାଠପଢ଼ାରେ ବହୁତ ହୁସିଆର ଥିଲେ । ସେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁ ଆଦର୍ଶ ବିଦ୍ୟା ମନ୍ଦିରରେ ପଢ଼ିଥିଲେ । ଦୀପେଶ କୁମାରୀ ଦଶମରେ ୯୮% ଏବଂ ଦ୍ୱାଦଶରେ ୮୯% ନମ୍ବର ରଖିଥିଲେ । ଏହାପରେ ସେ ଯୋଧପୁରର MBM ଇଞ୍ଜିନିୟରିଂ କଲେଜରୁ ସିଭିଲ୍ ଇଞ୍ଜିନିୟରିଂରେ B.Tech ଏବଂ ପରେ IIT ମୁମ୍ବାଇରୁ M.Tech କରିଥିଲେ । ତା’ପରେ ଏକ ବେସରକାରୀ କମ୍ପାନିରେ ବର୍ଷେ ଚାକିରି କରିବା ପରେ UPSC ପରୀକ୍ଷା ପାଇଁ ପ୍ରସ୍ତୁତି କରିବାକୁ ଚାକିରି ଛାଡ଼ି ଦେଇଥିଲେ । ଦୀପେଶ କୁମାରୀ ୨୦୨୦ ମସିହାରେ UPSC CSE ର ପ୍ରଥମ ପ୍ରୟାସରେ ବିଫଳ ହୋଇଥିଲେ । କିନ୍ତୁ ସେ ହାର ମାନିନଥିଲେ ଏବଂ ଦ୍ୱିଗୁଣିତ ଉତ୍ସାହ ସହିତ ପ୍ରସ୍ତୁତିରେ ଲାଗିପଡ଼ିଲେ । ନିଜର ବର୍ଷକର ଚାକିରିରୁ ସଞ୍ଚୟ କରିଥିବା ଟଙ୍କାରେ ଦୀପେଶ କୁମାରୀ ଦିଲ୍ଲୀରେ ରହି UPSC ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଲେ । ଏଥର ତାଙ୍କର ପରିଶ୍ରମ ସଫଳ ହେଲା । ବର୍ଷ ୨୦୨୧ ରେ UPSC ପରୀକ୍ଷାର ଦ୍ୱିତୀୟ ପ୍ରୟାସରେ ସେ ସର୍ବଭାରତୀୟ ସ୍ତରରେ ୯୩ ତମ ରାଙ୍କ୍ ହାସଲ କଲେ । IAS ଟ୍ରେନିଂ ସମାପ୍ତ କରିବା ପରେ ଦୀପେଶ କୁମାରୀ ସଡ଼କ ପରିବହନ ଓ ରାଜପଥ ବିଭାଗରେ ସହକାରୀ ସଚିବ ପଦରେ କାର୍ଯ୍ୟରତ ଅଛନ୍ତି ।
ତେବେ ପରିସ୍ଥିତି ଯେତେ ଖରାପ ଥାଉନା କାହିଁ ଦୃଢ଼ ଇଚ୍ଛାଶକ୍ତି ଆଗରେ ସବୁ କିଛି ହାର ମାନିବାକୁ ବାଧ୍ୟ ହୁଏ । ଯାହାର ଉଦାହରଣ , ରାସ୍ତା କଡ଼ରେ ପକୁଡ଼ି ବିକୁଥିବା ଜଣେ ବାପା ଆଉ ତାଙ୍କ ପିଲାମାନଙ୍କ କାହାଣୀ ।
Discover more from Emerging Odisha
Subscribe to get the latest posts sent to your email.