ଦନ୍ତା ଆତଙ୍କରେ ଅତିଷ୍ଠ ଜି.ଉଦୟଗିରି ଓ କଳିଙ୍ଗାବାସୀ । ଗୋଠଛଡ଼ା ଦନ୍ତାକୁ ଘଉଡ଼ାଇବା ଦାବିରେ ୨୦ ଖଣ୍ଡ ଗାଁ ଲୋକଙ୍କ ମେଳି । ସଞ୍ଜ ନଇଁଲେ ସହର ମଧ୍ୟକୁ ହାତୀ ପଶି ଆସୁଥିବାରୁ ଭୟରେ କେହି ବାହାରକୁ ଯାଇପାରୁନାହାନ୍ତି । ଗତ ତିନିମାସ ହେଲା ହାତୀ ଜି. ଉଦୟଗିରି ଅଞ୍ଚଳବାସୀଙ୍କୁ ନୟାନ୍ତ କରି ରଖିଛି । ହାତୀ ଘଉଡ଼ାଇବାକୁ ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ବନବିଭାଗ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ପରେ କିଛି ସୁଫଳ ମିଳିନାହିଁ । ଫଳରେ ଆସନ୍ତା ଶନିବାର ଜି.ଉଦୟଗିରି ଓ କଳିଙ୍ଗାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅନ୍ୟପଟେ ଦନ୍ତାକୁ ଏହି ଅଞ୍ଚଳରୁ ସ୍ଥାନାନ୍ତର କରିବାକୁ ଦାବି ହେବା ପରେ ଫୁଲବାଣୀ ଡିଏଫଓ ପ୍ରତାପ କାଟାପାଲି ସପ୍ତାହ ଭିତରେ ହାତୀକୁ ସ୍ଥାନାନ୍ତର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ସପ୍ତାହେ ଯାଇ ୧୫ଦିନ ବିତିଗଲାଣି କିନ୍ତୁ ହାତୀକୁ ବନ ବିଭାଗ ଘଉଡ଼ାଇ ପାରୁନି । ତେଣୁ ଏହାର ସ୍ଥାୟୀ ସମାଧାନ ଦାବିରେ କଳିଙ୍ଗା ପଞ୍ଚାୟତର ମାଲାନସୁଗା ଛକରେ ପ୍ରାୟ ୨୦ରୁ ଅଧିକ ଗ୍ରାମର ଜନସାଧାରଣ ଏକତ୍ରିତ ହୋଇ ବୈଠକ କରିଛନ୍ତି । ହାତୀ ପାଇଁ ଧାନଚାଷ ଠପ ହୋଇପଡ଼ିଥିବା ବେଳେ ପରିବା ଚାଷ ଉଜୁଡ଼ି ଯାଇଛି ।
Discover more from Emerging Odisha
Subscribe to get the latest posts sent to your email.