କଟକ,୮।୮: ଓଡ଼ିଶା ପୋଲିସ ମୋଟର ଟ୍ରାନ୍ସପୋର୍ଟ (ପିଏମ୍ଟି) ବିଭାଗରେ ଡ୍ରାଇଭର ନିଯୁକ୍ତି ପାଇଁ ଆଶାୟୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସରକାର ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୪ ବର୍ଷ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ସମ୍ପର୍କରେ ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ଓଡ଼ିଶା ହାଇକୋର୍ଟଙ୍କୁ ଅବଗତ କରିଛନ୍ତି।
୨୦୨୪ ଅକ୍ଟୋବର ୩ରେ ଓଡ଼ିଶା ପୋଲିସ ଷ୍ଟେଟ ସିଲେକ୍ସନ ବୋର୍ଡ ପକ୍ଷରୁ ପିଏମ୍ଟିରେ ୪୦୫ଟି ଡ୍ରାଇଭର ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତି ଅନୁଯାୟୀ, ୨୦୨୪ ଜାନୁଆରି ୧ ସୁଦ୍ଧା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ଓ ସର୍ବାଧିକ ୨୩ ବର୍ଷ ନିର୍ଦ୍ଧାରିତ ହୋଇଥିଲା। କିନ୍ତୁ, ୨୦୨୦ ପରେ ଏହି ପଦ ପାଇଁ କୌଣସି ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ନ ହେବା କାରଣରୁ, ଅନେକ ଆଶାୟୀ ପ୍ରାର୍ଥୀ ବୟସସୀମା କୋହଳ ପାଇଁ ଦାବି କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
୨୦୨୪ ଡିସେମ୍ବର ୧୭ରେ ହାଇକୋର୍ଟ ଏହି ମାମଲାର ରାୟ ପ୍ରକାଶ କରି ଗତ ୪ ବର୍ଷ ହେବ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ନ ହେବା ପ୍ରସଙ୍ଗକୁ ବିଚାରକୁ ନେଇ ସର୍ବାଧିକ ବୟସସୀମା ୪ ବର୍ଷ କୋହଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟ ବିରୋଧରେ ସରକାର ୨୦ରୁ ଅଧିକ ରିଟ୍ ଅପିଲ୍ ଦାୟର କରିଥିଲେ। କିନ୍ତୁ, ସରକାର ଏବେ ଏହି ଅପିଲ୍ଗୁଡ଼ିକୁ ପ୍ରତ୍ୟାହାର କରିଛନ୍ତି।
ମୁଖ୍ୟ ବିଚାରପତି ଜଷ୍ଟିସ୍ ହରୀଶ ଟଣ୍ଡନ ଓ ଜଷ୍ଟିସ ଏମ୍.ଏସ୍.ରମଣଙ୍କ ଦ୍ୱାରା ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ସରକାରଙ୍କୁ ରିଟ୍ ଅପିଲ୍ ପ୍ରତ୍ୟାହାର ପାଇଁ ଅନୁମତି ଦେଇଛନ୍ତି ଏବଂ ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। କୋରୋନା ମହାମାରୀ କାରଣରୁ ଏକକାଳୀନ ଭାବେ ସର୍ବାଧିକ ବୟସସୀମା ୪ ବର୍ଷ କୋହଳ କରାଯାଇଥିବା ହାଇକୋର୍ଟ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି।
ଓଡ଼ିଶା ପୋଲିସ ଷ୍ଟେଟ ସିଲେକ୍ସନ ବୋର୍ଡ ଏହି ବୟସସୀମା କୋହଳକୁ ଅନ୍ତର୍ଭୁକ୍ତ କରି ଏକ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିବ। ଏହା ଦ୍ୱାରା ସମସ୍ତ ବର୍ଗର ପ୍ରାର୍ଥୀଙ୍କୁ ୪ ବର୍ଷର ବୟସ କୋହଳ ସୁବିଧା ମିଳିବ। ମାମଲାରେ ପ୍ରାର୍ଥୀ ଅମୀୟପ୍ରସାଦ ବାରିକଙ୍କ ତରଫରୁ ଆଇନଜୀବୀ ବିପ୍ଳବ ପି.ବି.ବାହାଲି ପରିଚାଳନା କରୁଥିଲେ।
Discover more from Emerging Odisha
Subscribe to get the latest posts sent to your email.