NDAର ଉପ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବାଛିବେ ମୋଦି ଓ ନଡ୍ଡା

Spread the love

ବିଜେପି ନେତୃତ୍ୱାଧୀନ ଏନଡିଏର ଉପ ରାଷ୍ଟ୍ରପତି ପ୍ରାର୍ଥୀ କିଏ ହେବେ, ତା’କୁ ନେଇ ଚାଲିଛି ଚର୍ଚ୍ଚା। ଆଜି ସଂସଦ ବିଲଡିଂରେ ଏନଡିଏର ବରିଷ୍ଠ ନେତାଙ୍କ ବୈଠକ ହୋଇଥିଲା। କିନ୍ତୁ ବୈଠକରେ ଉପ ରାଷ୍ଟ୍ରପତି ପ୍ରାର୍ଥୀ କିଏ ହେବେ, ତା’ର ନିଷ୍ପତ୍ତି ହୋଇପାରି ନାହିଁ। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏନଡିଏର ଉପ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବାଛିବେ। ଏନେଇ ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି। ଅଗଷ୍ଟ ୧୨ରେ ଏନଡିଏ ପକ୍ଷରୁ ଉପ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ।

ସ୍ୱାସ୍ଥ୍ୟଗତ କାରଣରୁ ଉପ ରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ ହଠାତ୍‌ ଇସ୍ତଫା ଦେଇଥିଲେ। ଏବେ ଉପ ରାଷ୍ଟ୍ରପତି ପଦ ପାଇଁ ସେପ୍ଟେମ୍ବର ୯ରେ ଭୋଟିଂ ହେବ। ଏହାପୂର୍ବରୁ ପ୍ରାର୍ଥୀ ଚୟନ ପାଇଁ ଆଜି ଏନଡିଏର ବୈଠକ ବସିଥିଲା।

ବୈଠକରେ ଜେପି ନଡ୍ଡାଙ୍କ ସମେତ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଶିବସେନେ ନେତା ଶ୍ରୀକାନ୍ତ ସିନ୍ଦେ, ମିଲିନ୍ଦ ଦେଓରା, ଏନସିପିର ପ୍ରଫୁଲ ପଟେଲ, ଏଲଜେପିର ଚିରାଗ ପଶୱାନ, ଟିଡିପିର ରାମ ମୋହନ, ଜେଡିୟୁର ଲଲନ ସିଂହ, ଆପନା ଦଳ(ଏସ)ର ଅନୁପ୍ରିୟା ପଟେଲ ଓ ରାମ ଦାସ ଅଠାୱାଲେ ପ୍ରମୁଖ ସାମିଲ ହୋଇଥିଲେ।

ସେପ୍ଟେମ୍ବର ୯ରେ ଉପ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଆଜି ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ନାମାଙ୍କନ ଦାଖଲର ଶେଷ ତାରିଖ ଅଗଷ୍ଟ ୨୧ ରହିଥିବା ବେଳେ ୨୨ ତାରିଖରେ ଏହାକୁ ଯାଞ୍ଚ କରାଯିବ। ଅଗଷ୍ଟ ୨୫ ହେଉଛି ନାମାଙ୍କନ ପ୍ରତ୍ୟାହାର କରିବା ଶେଷ ତାରିଖ। ଶେଷରେ ସେପ୍ଟମ୍ବର ୯ରେ ଉପ ରାଷ୍ଟ୍ରପତି ପଦ ପାଇଁ ଭୋଟିଂ ହେବ। 

ମତଦାନର ସମୟ ସକାଳ ୧୦ରୁ ଅପରାହ୍ନ ୫ଟା ଯାଏ ନିର୍ବାଚନ କମିଶନ ଧାର୍ଯ୍ୟ କରିଛନ୍ତି। ଭୋଟିଂ ଶେଷ ହେବା ପରେ ସେହିଦିନ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଅର୍ଥାତ ସେପ୍ଟେମ୍ବର ୯ ତାରିଖରେ ଦେଶକୁ ନୂଆ ଉପ ରାଷ୍ଟ୍ରପତି ମିଳିବେ।

ଜୁଲାଇ ୨୧ରେ ରାତିରେ ଭାରତର ଉପ ରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ ଅପ୍ରତ୍ୟାଶିତ ଢଙ୍ଗରେ ଇସ୍ତଫା ଦେଇଥିଲେ। ଏଥିଯୋଗୁ ଉପ ରାଷ୍ଟ୍ରପତି ପଦ ଖାଲି ପଡ଼ିଛି। ତେଣୁ ଭାରତୀୟ ନିର୍ବାଚନ କମିଶନ ଏହି ପଦ ପୂରଣ ପାଇଁ ସେପ୍ଟେମ୍ବର ୯ରେ ଭୋଟିଂ ହେବ ବୋଲି ଘୋଷଣା କରିଛନ୍ତି। ଧନଖଡ଼ ଜୁଲାଇ ୨୧ରେ ଇସ୍ତଫା ଦେଇଥିବା ବେଳେ ପରଦିନ ସକାଳେ ଏହାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧିବଦ୍ଧ ଭାବେ ଗ୍ରହଣ କରି ନେଇଥିଲେ। ଧନଖଡ଼ଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଆହୁରି ୨ ବର୍ଷ ବାକି ରହିଥିଲା।

ଭାରତୀୟ ସମ୍ବିଧାନର ଧାରା ୬୮(୨) ଅନୁସାରେ ଉପ ରାଷ୍ଟ୍ରପତିଙ୍କ ଇସ୍ତଫାର ନିର୍ଦ୍ଦିଷ୍ଟ ସମୟ ସୀମା ପଦରେ ଏହି ପଦ ପୂରଣ ପାଇଁ ନିର୍ବାଚନ ଶେଷ କରିବାର କୌଣସି ପ୍ରାବଧାନ ନାହିଁ। କେବଳ ନିର୍ବାଚନ ଯଥା ଶୀଘ୍ର ଶେଷ କରିବାକୁ ଏହି ଧାରାରେ ଉଲ୍ଲେଖ କରାଯାଇଛି।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading