ଭାରତ-ଚୀନ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା
SCO ସମିଟ ପୂର୍ବରୁ ମୋଦି-ଜିନପିଙ୍ଗ ବୈଠକ
ପାରସ୍ପରିକ ବିଶ୍ବାସ ଓ ସମ୍ମାନ ଆଧାରରେ ସମ୍ପର୍କକୁ ଆଗକୁ ନେବାକୁ ପ୍ରତିବଦ୍ଧ
ପ୍ରଧାନମନ୍ତ୍ରୀ ମୋଦି-ଚୀନ ରାଷ୍ଟ୍ରପତି ଜିନପିଙ୍ଗ ମଧ୍ୟରେ ବୈଠକ । ଭାରତ-ଚୀନ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି । SCO ସମିଟ ପୂର୍ବରୁ ମୋଦି-ଜିନପିଙ୍ଗ ବୈଠକ କରିଛନ୍ତି । ଏ ଦ୍ବିପାକ୍ଷିକ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସୀମା ପରିଚାଳନା ସମ୍ପର୍କରେ ଆମର ବିଶେଷ ପ୍ରତିନିଧିଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଛି । କୈଳାସ ମାନସରୋବର ଯାତ୍ରା ପୁନଃ ଆରମ୍ଭ ହୋଇଛି । ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ମଧ୍ୟ ପୁନଃ ଆରମ୍ଭ ହେଉଛି । ଉଭୟ ଦେଶର 2.8 ବିଲିୟନ ଲୋକଙ୍କ ସ୍ବାର୍ଥ ଆମର ସହଯୋଗ ସହିତ ଜଡିତ ।
ଏହା ସମଗ୍ର ମାନବତାର କଲ୍ୟାଣ ପାଇଁ ମଧ୍ୟ ପଥ ପ୍ରଶସ୍ତ କରିବ । ଆମେ ପାରସ୍ପରିକ ବିଶ୍ବାସ, ସମ୍ମାନ ଏବଂ ସମ୍ବେଦନଶୀଳତା ଆଧାରରେ ଆମର ସମ୍ପର୍କକୁ ଆଗକୁ ନେବାକୁ ପ୍ରତିବଦ୍ଧ । ଏହାସହ ଚୀନର ସଫଳ ଏସସିଓ ଅଧ୍ୟକ୍ଷତା ପାଇଁ ଅଭିନନ୍ଦନ ଜଣାଇଛନ୍ତି ପିଏମ୍ ମୋଦି । ଚୀନ୍ ଗସ୍ତ ପାଇଁ ନିମନ୍ତ୍ରଣ ଏବଂ ଆଜିର ବୈଠକ ପାଇଁ ମୋଦି ଧନ୍ୟବାଦ ଜଣାଇଛନ୍ତି । ଏ ବୈଠକ ୪୦ ମିନିଟ ଧରି ଚାଲିଥିଲା ।
ଏହି ବୈଠକରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ କହିଛନ୍ତି ଯେ ବିଶ୍ୱ ବହୁତ ଦ୍ରୁତ ଗତିରେ ପରିବର୍ତ୍ତନ ଆଡକୁ ଗତି କରୁଛି । ଚୀନ୍ ଏବଂ ଭାରତ ବିଶ୍ୱର ମହାନ ସଭ୍ୟତା । ଆମେ ବିଶ୍ୱର ସବୁଠାରୁ ଜନସଂଖ୍ୟା ବିଶିଷ୍ଟ ଦେଶ ଏବଂ ଗ୍ଲୋବାଲ୍ ସାଉଥ୍ ର ଅଂଶ । ଆମ ପାଇଁ ଭଲ ବନ୍ଧୁ ଏବଂ ଭଲ ପଡ଼ୋଶୀ ହେବା ଗୁରୁତ୍ୱପୂର୍ଣ୍ଣ । ଡ୍ରାଗନ୍ ଏବଂ ହାତୀ ଏକାଠି ହେବା ଉଚିତ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ବର୍ଷ ଭାରତ-ଚୀନ୍ କୂଟନୈତିକ ସମ୍ପର୍କ ପ୍ରତିଷ୍ଠାର 75ତମ ବର୍ଷ। ଉଭୟ ଦେଶକୁ ସେମାନଙ୍କର ସମ୍ପର୍କକୁ ରଣନୈତିକ ଏବଂ ଦୀର୍ଘକାଳୀନ ଦୃଷ୍ଟିକୋଣରୁ ଦେଖିବାକୁ ପଡିବ। ବିଶ୍ୱ ଏବଂ ଅନ୍ତର୍ଜାତୀୟ ପ୍ରତିଷ୍ଠାନଗୁଡ଼ିକୁ ଗଣତାନ୍ତ୍ରିକ ରୂପ ପାଇଁ ସେମାନଙ୍କର ଦାୟିତ୍ୱ ନିର୍ବାହ କରିବାକୁ ପଡିବ । ଏସିଆ ଏବଂ ବିଶ୍ୱରେ ଶାନ୍ତି ପାଇଁ ଆମକୁ ଏକାଠି କାମ କରିବାକୁ ପଡିବ।
ଏସସିଓ ସମ୍ମିଳନୀ ଆଜି ଠାରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଚାଲିବ । ୨୦ରୁ ଅଧିକ ଦେଶର ନେତା ଏବଂ ୧୦ଟି ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ ସମ୍ମିଳନୀ ଏବଂ ସମ୍ବନ୍ଧିତ କାର୍ଯ୍ୟକ୍ରମରେ ଯୋଗଦେବାର ରହିଛି କାର୍ଯ୍ୟକ୍ରମ । ବେଜିଂ ଦ୍ୱାରା ଆୟୋଜିତ ଏହି ଶିଖର ସମ୍ମିଳନୀ ଉପରେ ସାରା ବିଶ୍ୱ ନଜର ରଖିଛି। ଏହାର କାରଣ ହେଉଛି ଚୀନ୍ ଏବଂ ଭାରତର ନେତାମାନଙ୍କ ବ୍ୟତୀତ ଏହି ମଞ୍ଚରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପସ୍ଥିତି । ରୁଷ, ଚୀନ୍ ଏବଂ ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ଏହି ତିନି ଦେଶକୁ ନିକଟତର କରିପାରେ । ରୁଷ ସହିତ ରଣନୈତିକ ସହଭାଗିତାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜିଦଖୋର ମନୋଭାବ ଏସିଆର ଦୁଇ ମହାଶକ୍ତିକୁ କରିଛି ଅଧିକ ଘନିଷ୍ଠ ।
Discover more from Emerging Odisha
Subscribe to get the latest posts sent to your email.