ଗୁଜରାଟ ଅହମଦାବାଦରେ ଥିବା ଗୋଟିଏ ଘରୋଇ ସ୍କୁଲ ବାହାରେ ପ୍ରବଳ ଉତ୍ତେଜନା ଦେଖାଯାଇଛି। ବିକ୍ଷୋଭକାରୀମାନେ ସ୍କୁଲରେ ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ମାଡ଼ ମାରିଛନ୍ତି। ସ୍ଥିତି ଅଣାୟତ ହେବାରୁ ପୁଲିସ୍ ପକ୍ଷରୁ ଲାଠିଚାର୍ଜ କରାଯାଇଛି। ତଥାପି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।
ଏହି ଘରୋଇ ସ୍କୁଲରେ ପଢ଼ୁଥିବା ୧୫ ବର୍ଷୀୟ ୧୦ମ ଶ୍ରେଣୀର ଜଣେ ଛାତ୍ରଙ୍କୁ ଛୁରୀ ଭୁଷି ହତ୍ୟା କରାଯିବା ପରେ ଏପରି ସ୍ଥିତି ଦେଖିବାକୁ ମିଳିଛି। ୯ମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର ୧୦ମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଙ୍କୁ ଛୁରୀ ଭୁଷି ଦେଇଥିଲା। ଏହାପରେ ତୁରନ୍ତ ୧୦ମ ଶ୍ରେଣୀର ଛାତ୍ରଙ୍କୁ ହସ୍ପିଟାଲ ନିଆଯାଇଥିଲା। ହେଲେ ମଙ୍ଗଳବାର ରାତିରେ ତାଙ୍କର ମୃତ୍ୟୁ ହେବା ପରେ ବୁଧବାର ସ୍ଥିତି ଭୟଙ୍କର ରୂପ ନେଇଛି।
ପ୍ରାଣ ହରାଇଥିବା ଛାତ୍ର ଜଣଙ୍କ ସିନ୍ଧି ସଂପ୍ରଦାୟର। ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ଆଜି ସକାଳୁ ସକାଳୁ ସିନ୍ଧି ଓ ହିନ୍ଦୁ ସଂପ୍ରଦାୟର ଲୋକମାନେ ସ୍କୁଲ ଆଗରେ ଏକାଠି ହୋଇଥିଲେ। ଆକ୍ରମକାରୀ ଜଣଙ୍କ ମୁସଲିମ ସଂପ୍ରଦାୟର ହୋଇଥିବାରୁ ଏହାକୁ କିଛି ଲୋକ ସାଂପ୍ରଦାୟିକ ରଙ୍ଗ ମଧ୍ୟ ଦେଇଛନ୍ତି।
ସ୍କୁଲର ଅଭିଭାବକ, ହିନ୍ଦୁ ସଂଗଠନ ଓ ଅଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଦସ୍ୟମାନେ ଆଜି ସ୍କୁଲରେ ଲଙ୍କାକାଣ୍ଡ ଘଟାଇଛନ୍ତି। ସେମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସ୍କୁଲରେ ଭଙ୍ଗାରୁଜା କରିଛନ୍ତି। ଏପରି କିଛି ସ୍କୁଲ କର୍ମଚାରୀଙ୍କୁ ମାଡ଼ ମଧ୍ୟ ମାରିଛନ୍ତି।
ଆଇନଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ୍ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ପୁଲିସ୍ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଅଭିଯୁକ୍ତ ୯ମ ଶ୍ରେଣୀ ଛାତ୍ରକୁ ପୁଲିସ୍ ହେପାଜତକୁ ନେଇଥିବା ବେଳେ ଜୁଭେନାଇଲ ଆଇନ ଅନୁସାରେ ତା’ର ବିଚାର କରାଯିବ।
ଅଭିଭାବକ ଓ ହିନ୍ଦୁ ଗ୍ରୁପ ପକ୍ଷରୁ ସ୍କୁଲର ପ୍ରିନ୍ସିପାଲ ଓ ମ୍ୟାନେଜମେଣ୍ଟ ବିରୋଧରେ ଏଫଆଇଆର କରାଯାଇଛି। ପୁଲିସ୍ ଏବେ ଘଟଣାର ଅଧିକ ତଦନ୍ତ କରୁଛି।
Discover more from Emerging Odisha
Subscribe to get the latest posts sent to your email.