ଭୁବନେଶ୍ୱର,୫।୮: ବାଲେଶ୍ବର FM ପୀଡ଼ିତା ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାରେ ଏକ ନୂଆ ସୁରାଗ ସୋମବାର ସାମ୍ନାକୁ ଆସିଛି। ପୀଡ଼ିତାଙ୍କ ଆତ୍ମାହୁତି ପୂର୍ବର ଏକ ସିସିଟିଭି ଫୁଟେଜ ପଦାକୁ ଆସିଛି। ଆତ୍ମାହୁତି ପୂର୍ବରୁ ପୀଡ଼ିତା ଏକ ସାଇକେଲରେ ଯାଉଥିବା ସିସିଟିଭିରେ କଏଦ ହୋଇଛି।
ପୀଡ଼ିତା ସାଇକେଲେରେ ପେଟ୍ରୋଲ ପମ୍ପ ଆଡ଼କୁ ଯାଉଥିବା କୁହାଯାଉଛି। ଜୁଲାଇ ୧୨ ତାରିଖର ପୂର୍ବାହ୍ନ ୧୦ଟା ୪୪ ମିନିଟରେ ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଅନ୍ୟପକ୍ଷେ ସିସିଟିଭି ଫୁଟେଜକୁ ନେଇ କ୍ରାଇମବ୍ରାଞ୍ଚ ତନାଘନା ଆରମ୍ଭ କରିଥିବା ବେଳେ କ୍ରାଇମବ୍ରାଞ୍ଚକୁ ଏକ ବଡ଼ ପ୍ରମାଣ ମିଳିଛି। ଏହି ଫୁଟେଜ FM କଲେଜରୁ ଚାନ୍ଦିପୁର ଆଡ଼କୁ ଯାଉଥିବା ରାସ୍ତାର ବୋଲି ଜଣାପଡିଛି।
କୁହାଯାଉଛି, ପୀଡ଼ିତା ଛାତ୍ରୀ ସାଇକଲେରେ ପେଟ୍ରୋଲ ପମ୍ପ ଯାଇ, ସେଠାରୁ ବୋତଲରେ ପେଟ୍ରୋଲ ନେଇ କଲେଜ ଯାଇଛନ୍ତି । ତେବେ ଏହି ଭିଡିଓ ସଂପର୍କରେ କ୍ରାଇମବ୍ରାଞ୍ଚ ପକ୍ଷରୁ କୌଣସି ସ୍ପଷ୍ଟ ତଥ୍ୟ ଦିଆଯାଇନାହିଁ । କିନ୍ତୁ ଦ୍ବନ୍ଦ୍ବର କଥା ହେଲା, ପୂର୍ବରୁ ପେଟ୍ରୋଲ ପମ୍ପ ମ୍ୟାନେଜର କହିଥିଲେ ଯେ ଘଟଣା ଦିନ ଗୋଟିଏ ଝିଅ ଇଭି ସ୍କୁଟିରେ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ନେଇଥିଲେ । ତେଣୁ ପୀଡ଼ିତା ସାଇକେଲରେ ଯାଉଥିବା ଭିଡିଓକୁ ଏବେ ଅନୁଧ୍ୟାନ କରୁଛି କ୍ରାଇମବ୍ରାଞ୍ଚ । ସେପଟେ ଛାତ୍ରୀ ଜଣଙ୍କୁ ଆତ୍ମାହୁତି ପାଇଁ ଉସୁକାଇଥିବାର ପ୍ରମାଣ ପାଇବା ପରେ କ୍ରାଇମବ୍ରାଞ୍ଚ ଦୁଇ ଛାତ୍ର ଶୁଭ୍ରସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ବିଶାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଅଭିଯୋଗ କ୍ରମେ ସୌମ୍ୟାଶ୍ରୀଙ୍କୁ ଦେହରେ ପେଟ୍ରୋଲ ପକାଇ ନିଆଁ ଲଗାଇ ଅଭିନୟ କରିବାକୁ କୁହାଯାଇଥିଲା। ହେଲେ କିଏ ଜାଣିଥିଲା ଅଭିନୟ କରୁ କରୁ ସତରେ ବଡ଼ ଅଘଟଣ ଘଟିଯିବ ବୋଲି। ଏହି ସମୟରେ ଏକ ମୋବାଇଲରୁ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ସୂଚନାନୁଯାୟୀ, ଶୁଭ୍ରସମ୍ବିତ ଓ ଜ୍ୟୋତିପ୍ରକାଶ ପୂରା ନାଟକର ରଚୟତା ଥିଲେ। ସେମାନେ ଦୁହେଁ ସୌମ୍ୟାଶ୍ରୀଙ୍କୁ କହିଥିଲେ ଯେ, ପ୍ରଥମେ ପ୍ରିନ୍ସପାଲଙ୍କ ରୁମ୍କୁ ଯିବାପାଇଁ ପଡିବ, ସେମାନେ ନ ମାନିଲେ, ନିଆଁ ଲଗାଇବାର ନାଟକ କରିବ। ପୀଡିତା ଜଣଙ୍କ ସିଧା ଚାଲିଯାଇଥିଲେ ପ୍ରିନ୍ସପାଲଙ୍କ ରୁମ୍କୁ। ହେଲେ ନାଟକ ନେଇଥିଲା ନୂଆ ମୋଡ। ପ୍ରି ପ୍ଲାନ୍ ଅନୁସାରେ ଶୁଭ୍ରସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ୫୦ କିମ୍ବା ୧୦୦ ମିଟର ଦୂରରେ ଛିଡା ହେବେ, ହାତରେ ମୋବାଇଲ ଧରି ଆତ୍ମାହୂତି ଭିଡିଓ ଶୁଟିଂ କରିବେ। ଏହା ସହିତ ପୀଡିତା ଦେହରେ ନିଆଁ ଲଗାଇବା ପରେ ପ୍ରିନ୍ସପାଲଙ୍କ ରୁମ୍କୁ ଯାଇ ଡରାଇବେ। ହେଲେ ନିଆଁ ଦେହ ସାରା ବ୍ୟାପିଯାଇଥିଲା, ଆଉ ୯୦ ପ୍ରତିଶତ ପୋଡି ଯାଇଥିଲେ ପୀଡିତା। ଅନ୍ୟପଟେ, ଘଟଣାର ପରଦିନ ପୀଡିତାଙ୍କ ପାଇଁ ଶିବ ମନ୍ଦିର ଯାଇଥିଲେ ଶୁଭ୍ରସମ୍ବିତ। ଯାହାର ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି।
Discover more from Emerging Odisha
Subscribe to get the latest posts sent to your email.