ସମୟର କେମିତି କରିବେ ସଦୂପଯୋଗ… ଜଣାନ୍ତୁ

Spread the love

କାମରୁ ଫୁର୍‌ସତ୍‌ ପାଇଲେ ଅଧିକାଂଶ ମହିଳା ଗପର ପେଡ଼ି ଖୋଲିବସନ୍ତି, ଯାହାଦ୍ୱାରା କେବଳ ସମୟର ଅପଚୟ ହୁଏ। କିନ୍ତୁ ସେମାନେ ଚାହିଁଲେ ଫାଙ୍କା ସମୟକୁ ବିଭିନ୍ନ ଢଙ୍ଗରେ ଉପଯୋଗ କରିପାରିବେ।

କାମରୁ ଟିକିଏ ଫୁର୍‌ସତ ମିଳିଲେ ନିଜ ମନ ପସନ୍ଦରେ କିଛି କରିବାକୁ ଇଚ୍ଛା ହୁଏ। କିଏ ମନୋରଞ୍ଜନ କରିବାକୁ ପସନ୍ଦ କରନ୍ତି ତ କିଏ ଭବିଷ୍ୟତ ପାଇଁ କିଛି ଯୋଜନା କରନ୍ତି। ହେଲେ ଅଧିକାଂଶ ସମୟରେ ମହିଳାମାନେ ସୁଯୋଗ ପାଇବା ମାତ୍ରେ ଗପସପ କରି ସମୟ ନଷ୍ଟ କରନ୍ତି। ଏହିଭଳି ଗପିବା ଫଳରେ ଅନେକ ସମୟରେ ବହୁ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ।

କାହିଁକିନା ବେଳେବେଳେ କାହା ବିଷୟରେ ଚର୍ଚ୍ଚା କରିବା ସମୟରେ ଏଭଳି କିଛି କଥା ପାଟିରୁ ବାହାରିଯାଏ, ଯାହା ତାଙ୍କ ମନକୁ ଆଘାତ କରିଥାଏ। ଫଳରେ ସମ୍ପର୍କ ନଷ୍ଟହେବା ଆଶଙ୍କା ଥାଏ। ତେଣୁ ଏହି ସମୟରେ ଚାହିଁଲେ ସେମାନେ ଅନ୍ୟ ଉପାୟରେ ସମୟର ଉପଯୋଗ କରିପାରିବେ।ମହିଳାମାନେ କାମ ସରିବା ପରେ ଫାଙ୍କା ସମୟ ପାଇଲେ ବିଭିନ୍ନ ପ୍ରକାର ମାଗାଜିନ୍‌, ଖବରକାଗଜ କିମ୍ବା ଅନ୍ୟାନ୍ୟ ଗପ ଅବା ଶିକ୍ଷଣୀୟ ବହି ସବୁ ପଢ଼ିପାରିବେ।

ଏହି ଅଭ୍ୟାସ ସେମାନଙ୍କ ମନକୁ ଶାନ୍ତିଦେବା ସହ ଅନେକ ବିଷୟରେ ଜାଣିବାର ସୁଯୋଗ ଦେଇପାରିବ। ଏହା ବାଦ୍‌ ଘର ସଜାଡ଼ିବା, ସଫା କରିବା ଓ ମନୋରଞ୍ଜନ ପାଇଁ କିଛି ସମୟ ଟିଭି ଦେଖିବା କିମ୍ବା ମ୍ୟୁଜିକ୍‌ ଶୁଣିବା ଭଳି କାମ ବି କରିପାରିବେ।କର୍ମଜୀବୀ ମହିଳା ମଧ୍ୟ ଅଫିସ୍‌ରେ ଟିକେ ସମୟ ପାଇଲେ ସହକର୍ମୀମାନଙ୍କ ସହ ବିଭିନ୍ନ ପ୍ରକାର ଗପ କରନ୍ତି। ପରସ୍ପର ସହ କଥାବାର୍ତ୍ତା ହେବା କିଛି ଖରାପ କଥା ନୁହେଁ। ହେଲେ ଅଯଥାରେ ଅଧିକ ସମୟ ଗପର ଆସର ଜମେଇରଖିବା ଭଲ ନୁହେଁ।

ଏହି ଅଭ୍ୟାସ ବି ଅନେକ ସମୟରେ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ। କେବେ କାହା ବିଷୟରେ ଗପିବା ଫଳରେ ହେଉ କିମ୍ବା ଗପିବା ସମୟରେ ଅନ୍ୟ କେହି ବସ୍‌ଙ୍କ ଆଗରେ ଅଭିଯୋଗ କରିବା ଫଳରେ ନିଜ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ। ତେଣୁ ଏଭଳି ପରିସ୍ଥିତିକୁ ଏଡ଼ାଇବାପାଇଁ ହେଲେ ଅଫିସ୍‌ରେ ମଧ୍ୟ ନିଜ ସମୟକୁ ଠିକ୍‌ ଭାବରେ ଉପଯୋଗ କରିବା ପାଇଁ ବିଭିନ୍ନ ମାଧ୍ୟମ ଆପଣାଇପାରିବେ। ଅଫିସ୍‌ରେ ଚାହିଁଲେ ଆପଣ ନିଜ କାମ ପାଇଁ ଆଗୁଆ କିଛି ଯୋଜନା କରିପାରିବେ। ବିଭିନ୍ନ ପ୍ରକାର ବହି ପଢ଼ିପାରିବେ, ଯଦି ବହି କିଛି ପାଖରେ ନ ଥାଏ ତେବେ କମ୍ପ୍ୟୁଟର ହେଉ ଅବା ଫୋନ୍‌ରେ ମଧ୍ୟ ଇଣ୍ଟରନେଟ୍‌ରେ ବିଭିନ୍ନ ପ୍ରକାର ପାଠ ପଢ଼ିପାରିବେ।

ଏହା ଆପଣଙ୍କ କ୍ୟାରିୟର ପାଇଁ ମଧ୍ୟ ଭଲ ହୋଇପାରିବ। ତେଣୁ ନିଜ ନିଜ ପରିବେଶ ଓ ପରିସ୍ଥିତି ଅନୁସାରେ ସମୟର ସଦୁପଯୋଗ କରିବା ନିମନ୍ତେ ଆପଣ ଉପାୟ ସବୁ ଚିନ୍ତା କରିପାରିବେ। ଅର୍ଥାତ୍‌ ସଚେତନ ରହିବାକୁ ହେବ ଯେପରି ଅଯଥା ଗପକରି ଅଧିକ ସମୟ ନଷ୍ଟ ନ ହେବ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading