ରାଜ୍ୟରେ ଚାଲିବ ୧୦୦୦ ଇ-ବସ୍‌

Spread the love

ଭୁବନେଶ୍ୱର,୨୯ା୮: ଓଡ଼ିଶା ଇଲେକ୍ଟ୍ରିକ୍‌ ବସ୍‌ (ଇ-ବସ୍‌) ଚଳାଚଳରେ ଦେଶରେ ପଞ୍ଚମ ସ୍ଥାନ ହାସଲ କରି ସହରାଞ୍ଚଳ ପରିବହନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହାସଲ କରିଛି। ରାଜ୍ୟରେ ଏବେ ୪୫୦ଟି ଇ-ବସ୍‌ ଚଳାଚଳ କରୁଥିବାବେଳେ ଆଗାମୀ ବର୍ଷଗୁଡ଼ିକରେ ଏହି ସଂଖ୍ୟା ୧୦୦୦ ଅତିକ୍ରମ କରିବାକୁ ଯୋଜନା କରାଯାଇଛି। ସହରଗୁଡିକୁ ସ୍ବଚ୍ଛ, ସ୍ମାର୍ଟ ଏବଂ ଅଧିକ ଯାତ୍ରୀ ଅନୁକୂଳ କରିବା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଭାଗର ସୂଚନାନୁସାରେ, ଦେଶରେ ଏବେ ୧୪୩୨୯ଟି ଇ-ବସ୍‌ ଚଳାଚଳ କରୁଛି। ଦିଲ୍ଲୀରେ ସର୍ବାଧିକ ୩୫୬୪ ଇ-ବସ୍‌ ଚଳାଚଳ କରୁଥିବାବେଳେ ମହାରାଷ୍ଟ୍ରରେ ୩୨୯୬, କର୍ନାଟକରେ ୨୨୩୬ ଏବଂ ଉତ୍ତର ପ୍ରଦେଶରେ ୮୫୦ଟି ଇ-ବସ୍‌ ଚାଲୁଛି। ତେବେ ଓଡ଼ିଶା ସହରାଞ୍ଚଳରେ ପରିବେଶ ଅନୁକୂଳ ଗମନାଗମନ କ୍ଷେତ୍ରରେ ନିର୍ଣ୍ଣାୟକ ପଦକ୍ଷେପ ନେଇ ପଡ଼ୋଶୀ ପଶ୍ଚିମବଙ୍ଗ (୩୯୧), ଆନ୍ଧ୍ର ପ୍ରଦେଶ (୨୩୮), ଛତିଶଗଡ଼ (୨୧୫) ଏବଂ ଝାଡ଼ଖଣ୍ଡ (୪୬)କୁ ଏ କ୍ଷେତ୍ରରେ ପଛରେ ପକାଇଛି। କେନ୍ଦ୍ର ସରକାର ପିଏମ୍‌-ଇ ବସ୍‌ ସେବା ଏବଂ ପିଏମ୍‌-ଇ-ଡ୍ରାଇଭ୍‌ ଭଳି ଯୋଜନା ଅଧୀନରେ ରାଜ୍ୟଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଓଡ଼ିଶାରେ ଆମ ବସ୍‌ ସେବା ପରିଚାଳନା କରୁଥିବା କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ଏହି ସହାୟତାର ଲାଭ ଉଠାଇବାରେ ସକ୍ରିୟ ରହିଛି ଏବଂ ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ବ୍ରହ୍ମପୁର ଓ ଅନୁଗୋଳକୁ ଆମ ବସ୍‌ ସେବା ସମ୍ପ୍ରସାରଣ ପାଇଁ ପ୍ରସ୍ତୁତି ଚଳାଇଛି। ଆମ ବସ୍‌ ସେବାର ନିରବଚ୍ଛିନ୍ନ ପରିଚାଳନା ସୁନିଶ୍ଚିତ କରିବା ପାଇଁ କ୍ରୁଟ ଡିପୋ ଏବଂ ଟର୍ମିନାଲରେ ଚାର୍ଜିଂ ଷ୍ଟେଶନ ସ୍ଥାପନ କରାଯାଉଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ଓଡ଼ିଶାର ସବୁଜ ଦୃଷ୍ଟିକୋଣ ଉପରେ ଆଲୋକପାତ କରି ଇ-ପରିବହନରେ ଓଡ଼ିଶାର ଦ୍ରୁତ ଅଗ୍ରଗତି ଉଭୟ ପରିବେଶ ଏବଂ ଲୋକଙ୍କ ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଥିବା କହିଛନ୍ତି। ଏବେ ଓଡ଼ିଶାରେ ଇ-ବସ୍‌ ମୁଖ୍ୟତଃ ଭୁବନେଶ୍ୱର, କଟକ ଏବଂ ପୁରୀର ଯାତ୍ରୀମାନଙ୍କୁ ସେବା ପ୍ରଦାନ କରୁଥିବା ସୂଚନା ଦିଆଯାଇଛି।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading