ରାଜ୍ୟରେ ଗୋ ହତ୍ୟା ସଂପୂର୍ଣ୍ଣ ନିଷେଧ

Spread the love

ଢେଙ୍କାନାଳ,୮।୮: ଓଡ଼ିଶାରେ ଗୋ ହତ୍ୟା ସଂପୂର୍ଣ୍ଣ ନିଷେଧ ହୋଇଥିବା ରାଜ୍ୟ ସରକାର ଓଡ଼ିଶା ହାଇକୋର୍ଟଙ୍କୁ ଅବଗତ କରିଛନ୍ତି। ଓଡ଼ିଶା ଗୋ ହତ୍ୟା ନିରୋଧ ଆଇନ, ୧୯୬୦ର ଧାରା ୩ ଏବଂ ଓଡ଼ିଶା ପୌର ନିଗମ ଆଇନ, ୨୦୦୩ର ଧାରା ୫୬୨ ଅନୁସାରେ ରାଜ୍ୟରେ ଗୋ ହତ୍ୟା ପୂର୍ଣ୍ଣତଃ ବାରଣ ହୋଇଥିବା ସରକାର ତରଫରୁ ହାଇକୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ମୁଖ୍ୟ ବିଚାରପତି ଜଷ୍ଟିସ୍ ହରୀଶ ଟଣ୍ଡନ ଏବଂ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଗୌ ଜ୍ଞାନ ଫାଉଣ୍ଡେସନ୍ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ଏହି ସୂଚନା ପ୍ରଦାନ କରାଯାଇଥିଲା। ସରକାରଙ୍କ ତରଫରୁ ଅତିରିକ୍ତ ଆଡଭୋକେଟ୍ ଜେନେରାଲ୍ (ଏଜିଏ) ଦେବାଶିଷ ତ୍ରିପାଠୀ ଜଣାଇଛନ୍ତି ଯେ, ଏହି ପ୍ରସଙ୍ଗରେ ଆଇନ ବିଭାଗରୁ ମତାମତ ନିଆଯାଇଥିଲା। ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗର ଅନୁସଚିବ ତରଫରୁ ଦାଖଲ କରାଯାଇଥିବା ସତ୍ୟପାଠରେ ଆଇନ ବିଭାଗର ମତାମତର ଏକ କପି ମଧ୍ୟ ସଂଲଗ୍ନ କରାଯାଇଛି।

ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ, ୧୯୬୦ର ଓଡ଼ିଶା ଗୋ ହତ୍ୟା ନିରୋଧ ଆଇନର ଧାରା ୩ ଅନୁସାରେ ଗୋ ହତ୍ୟା ସଂପୂର୍ଣ୍ଣ ନିଷିଦ୍ଧ ହୋଇଥିବା ସତ୍ତ୍ୱେ, ଏହି ଆଇନର ଧାରା ୨ ଅନୁସାରେ ପ୍ରାଧିକୃତ କର୍ତ୍ତୃପକ୍ଷଙ୍କୁ ଏ ପର୍ଯ୍ୟନ୍ତ ନିଯୁକ୍ତ କରାଯାଇ ନାହିଁ। ଏହାକୁ ଗୁରୁତର ଭାବେ ଗ୍ରହଣ କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପ୍ରାଧିକୃତ କର୍ତ୍ତୃପକ୍ଷ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଙ୍ଗରେ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ପରବର୍ତ୍ତୀ ଶୁଣାଣିରେ ସୂଚନା ପ୍ରଦାନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧ ପାଇଁ ଧାର୍ଯ୍ୟ ହୋଇଛି।

ଏହି ଜନସ୍ବାର୍ଥ ମାମଲା କଟକ ସହରର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ବେଆଇନ ଗୋ ହତ୍ୟା ହେଉଥିବା ଅଭିଯୋଗକୁ ନେଇ ଦାୟର ହୋଇଥିଲା। ଏହାକୁ ରୋକିବା ପାଇଁ ଟାସ୍କଫୋର୍ସ ଗଠନ କରିବା ନିମନ୍ତେ ଆବେଦନରେ ନିବେଦନ କରାଯାଇଥିଲା। ଜୁଲାଇ ୩ରେ ହାଇକୋର୍ଟ ଗୋ ହତ୍ୟା ସଂପୂର୍ଣ୍ଣ ନିଷେଧ ବୋଲି ସ୍ପଷ୍ଟ କରି ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ମୃଣାଳିନୀ ପାଢ଼ୀ ଏବଂ ସରକାରଙ୍କ ତରଫରୁ ଏଜିଏ ଦେବାଶିଷ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading