ପୁଣି ନବୀନ-ପାଣ୍ଡିଆନଙ୍କ ଉପରେ ବର୍ଷିଲେ ସୌମ୍ୟ ପଟ୍ଟନାୟକ । ପାଣ୍ଡିଆନ ବାବୁ ଏତେ କ୍ଷମତା ପାଇଲେ କେଉଁଠୁ ? ପାଣ୍ଡିଆନ କ୍ଷମତାଶାଳୀ ହେବା ପାଇଁ ନବୀନ ହିଁ ଦାୟୀ।
ଗତକାଲି ଭୁବନେଶ୍ବର ଗୀତ ଗୋବିନ୍ଦ ସଦନରେ ଉନ୍ମୋଚିତ ହୋଇଛି ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ଲିଖିତ “ନବୀନ ପଟ୍ଟନାୟକ” ପୁସ୍ତକର ଓଡ଼ିଆ ସଂସ୍କରଣ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ ଉଭୟ ନବୀନ ଓ ପାଣ୍ଡିଆନଙ୍କ ସହ ବିଜେଡିର ବଡ଼ ନେତାଙ୍କୁ ପରୋକ୍ଷରେ ଆକ୍ରମଣ କରିଛନ୍ତି ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ।
ସେ କହିଛନ୍ତି, ପ୍ରାରମ୍ଭିକ ରାଜନୈତିକ ଜୀବନରେ ନବୀନ ନିଜର ଏକ ଏଭଳି ଛବି ତିଆରି କରିବାକୁ ଚେଷ୍ଟା କରୁଥିଲେ, ଯେମିତି ଛବି କାହାରି ନଥିବ । କୌଣସି ଦାଗ ନ ଥିବା ଛବି ତିଆରି କରିବାକୁ ଚେଷ୍ଟା କରୁଥିଲେ ନବୀନ । ସବୁ ଜାଣି ନ ଜାଣିଲା ଭଳି ଥିଲେ । ସେ ବହୁତ ଚାଲାକ ବି ଥିଲେ । କଳେ ବଳେ କୌଶଳେ ଭୋଟ୍ ହାସଲ କରିବା ହିଁ ନବୀନ ବାବୁଙ୍କ ଏକ ମାତ୍ର ଲକ୍ଷ୍ୟ ଥିଲା । ନବୀନ ତାଙ୍କ କ୍ଷମତାକୁ ନିରଙ୍କୁଶ ରଖିଲେ ସତ, କିନ୍ତୁ ବ୍ୟବହାର ବେଳକୁ ଡେଲିଗେଟ କରିଦେଲେ । ପ୍ରଥମେ ପ୍ୟାରୀ ବାବୁଙ୍କୁ ଏବଂ ପରେ ପାଣ୍ଡିଆନଙ୍କୁ । ପାଣ୍ଡିଆନ ବାବୁ ଏତେ କ୍ଷମତା ପାଇଲେ କେଉଁଠୁ ? ଏଥିପାଇଁ ପାଣ୍ଡିଆନ ଦାୟୀ ନୁହନ୍ତି । ନିଜେ ନବୀନ ହିଁ ଦୋଷୀ ବୋଲି ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ।
ସେହିପରି ସେ ଆହୁରି କହିଛନ୍ତି, ପାଣ୍ଡିଆନ ଅନ୍ୟ ସଚିବଙ୍କ ଭଳି ଜଣେ ସଚିବ । ଯେଉଁମାନେ ପାଣ୍ଡିଆନଙ୍କୁ ଗ୍ରହଣ କରି କ୍ରୀତଦାସ ସାଜିଥିଲେ, ଭଗବାନ ଭାବୁଥିଲେ । ସେମାନେ ଏବେ ପରଦା ପଛରେ ଲୁଚୁଛନ୍ତି । ପାଣ୍ଡିଆନଙ୍କୁ ଯେତେ ଯିଏ ଯାହା କହିଲେ ବି ନବୀନ ତାଙ୍କୁ ସମର୍ଥନ କରିଥିଲେ । 5T ନାଁରେ ବିଦ୍ୟାଳୟ ଗୁଡ଼ିକୁ ଶୌଚାଳୟ କରିଦେଲେ ପାଣ୍ଡିଆନ । ୨୪ ବର୍ଷ ଭିତରେ ନବୀନ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ପାଣ୍ଡିଆନଙ୍କ ନେତୃତ୍ୱରେ ଓଡ଼ିଶାର ବିଦ୍ୟାଳୟ ଗୁଡ଼ିକ ଶୌଚାଳୟରେ ପରିଣତ ହୋଇଛି । ବିଦ୍ୟାଳୟକୁ ଶୌଚାଳୟରେ ପରିଣତ କରିଥିବା ପାପକୁ ମୁଣ୍ଡେଇବା ପାଇଁ ବିଜେଡିକୁ ଆଉ ୫ ବର୍ଷ ଲାଗିବ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ।
‘ଯେଉଁମାନେ ପାଣ୍ଡିଆନଙ୍କୁ ଭଗବାନ ଭାବୁଥିଲେ, ସେମାନେ ଏବେ ଲୁଚୁଛନ୍ତି’
Discover more from Emerging Odisha
Subscribe to get the latest posts sent to your email.