ମୌସୁମୀ ଅଧିବେଶନ: ଚତୁର୍ଥ ଦିବସ ବି ଧୋଇଗଲା

Spread the love

ନୂଆଦିଲ୍ଲୀ : ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ଆଜି ମଧ୍ୟ ଉଭୟ ଗୃହରେ କୌଣସି କାର୍ଯ୍ୟ ହୋଇପାରିନି।  ବିହାରରେ ଏସ୍‌ଆଇଆର୍‌ (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ) ପ୍ରତ୍ୟାହାର ପାଇଁ ଦାବି କରି ବିରୋଧୀ ସାଂସଦମାନେ  ଆଜି ଉଭୟ ଗୃହରେ ପ୍ରବଳ  ହଟ୍ଟଗୋଳ କରିଛନ୍ତି।  ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ କୌଣସି କାର୍ଯ୍ୟ ହୋଇ ନପାରିବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ଉଭୟ ଗୃହକୁ ମୁଲତବୀ ରଖାଯାଇଛି।  ବିଜେପି ସାଂସଦ ରବି ଶଙ୍କର ପ୍ରସାଦ ଅଭିଯୋଗ କରିଛନ୍ତି ଯେ ବିରୋଧୀ ଏବଂ ବିଶେଷ କରି କଂଗ୍ରେସ ଦଳ ଗୃହ କାର୍ଯ୍ୟ ହେବାପାଇଁ ଦେଉନାହିଁ। ପ୍ରସାଦ କହିଛନ୍ତି, ସେମାନେ ବାହାରକୁ ଆସି କହୁଛନ୍ତି ଯେ ଗୃହରେ ସେମାନଙ୍କୁ କିଛି କହିବାପାଇଁ ଅନୁମତି ମିଳୁନି। କିନ୍ତୁ ସେମାନେ ଗୃହର ଆଲୋଚନାରେ ଭାଗ ନେଉନାହାନ୍ତି। ଏହାର ଅର୍ଥ କ’ଣ ? ଆମେ ଚାହୁ ଯେ ବିରୋଧୀ ଦଳମାନେ ଆଲୋଚନାରେ ଭାଗ ନେବା ଉଚିତ। ଆମେ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ। କିନ୍ତୁ ସେମାନେ ଆଲୋଚନାରୁ ଦୂରେଇ ରହୁଛନ୍ତି ବୋଲି ପ୍ରସାଦ କହିଛନ୍ତି।
ଲୋକସଭାରେ ଆଜି କ୍ରୀଷ୍ଣା ପ୍ରସାଦ ତେନ୍ନେତି ଗୃହର ଅଧ୍ୟକ୍ଷତା କରିଥିଲେ।  ଏକ ପ୍ରସ୍ତାବିତ ବିଧେୟକ ଉପରେ ଆଲୋଚନା ପାଇଁ ସେ ଅନୁରୋଧ କରିଥିବା ବେଳେ ବିରୋଧୀ ସଦସ୍ୟମାନେ ଏଥିପ୍ରତି କର୍ଣ୍ଣପାତ କରିନଥିଲେ।  ଲୋକସଭାରେ ଆଜି ଗୋଆ ବିଧାନସଭାରେ ଅନୁସୂଚିତ ଜନଜାତି ପାଇଁ ଆସନ ସଂରକ୍ଷିତ କରିବା ସଂକ୍ରାନ୍ତ ଏକ ବିଲ୍‌ ତାଲିକାଭୁକ୍ତ କରାଯାଇଥିଲା। ଏହି ବିଲ୍‌ ଉପରେ ଆଲୋଚନା କରିବାପାଇଁ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ମନ୍ତ୍ରୀଙ୍କ କଥା କେହି ନଶୁଣି ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। 
ଅନ୍ୟପକ୍ଷେ ରାଜ୍ୟସଭାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଗୃହରେ ଆଜି ୬ ଜଣ  ସଦସ୍ୟଙ୍କୁ ବିଦାୟ ଦିଆ ଯାଇଛି।  ଏମ୍‌ଡିଏମ୍‌କେ ନେତା ଭାଇକୋ, ଡିଏମ୍‌କେ ସାଂସଦ ଏମ୍‌ ସନ୍‌ମୁଗମ ଏବଂ ପୁଡ଼ୁକ୍କୋଟ୍ଟାଇ ଏମଏମ ଅବଦୁଲ୍ଲା, ଏଆଇଏଡିଏମ୍‌କେ ସାଂସଦ ଏନ୍‌ ଚନ୍ଦ୍ରଶେଖରନ, ଡିଏମ୍‌କେ ନେତା ପି ୱିଲସନ୍‌, ପିଏମ୍‌କେର ଅନବୁମାନି ରାମଦାସଙ୍କର କାର୍ଯ୍ୟକାଳ ଆଜି ଶେଷ ହୋଇଛି। ତେବେ ୱିଲସନ୍‌ ରାଜ୍ୟସଭାକୁ  ପୁନଃନିର୍ବାଚିତ ହୋଇଛନ୍ତି।    ଅନ୍ୟପକ୍ଷେ ଆଜି ବିରୋଧୀ ସାଂସଦମାନେ ନିୟମ ୨୬୭ ଅଧୀନରେ ଆଲୋଚନା ପାଇଁ ଆଣିଥିବା ୩୦ଟି ମୁଲତବୀ ନୋଟିସ୍‌କୁ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading