ମହାନଦୀ ଜଳ ବିବାଦର ଆପୋଷ ସମାଧାନ ଦିଗରେ ଓଡ଼ିଶା ଓ ଛତିଶଗଡ଼ ସରକାର ଆଜି ଆଉ ଦୁଇପାଦ ଆଗକୁ ଯାଇଛନ୍ତି । ଉଭୟ ରାଜ୍ୟର ମୁଖ୍ୟ ସଚିବଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ଆଲୋଚନା ନୂଆ ମୋଡ଼ ନେଇଛି । ଆସନ୍ତା ୬ତାରିଖରେ ମହାନଦୀ ଜଳ ଟ୍ରିବ୍ୟୁନାଲରେ ଶୁଣାଣି ପୂର୍ବରୁ ଦୁଇ ରାଜ୍ୟର ମୁଖ୍ୟ ସଚିବସ୍ତରୀୟ ଆଲୋଚନା ବେଶ୍ ଗୁରୁତ୍ୱ ବହନ କରୁଛି ।
ମୁଖ୍ୟ ସଚିବଙ୍କ ବୈଠକ, ଆପୋଷ ସମାଧାନ ପାଇଁ ବାଟ ଫିଟିଲା:
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟ ସଚିବ ଏକ ଉଚ୍ଚସ୍ତରୀୟ ବୈଠକରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ସୌହାର୍ଦ୍ଧ୍ୟପୂର୍ଣ୍ଣ ଆଲୋଚନା ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ବୈଠକରେ ଉଭୟ ରାଜ୍ୟର ଜଳସଂପଦ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଉଚ୍ଚସ୍ତରୀୟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ସେପ୍ଟେମ୍ବର ମାସରେ ଉଭୟ ରାଜ୍ୟର ସର୍ବୋଚ୍ଚ ଯନ୍ତ୍ରୀ (ଇଆଇସି)ଙ୍କ ନେତୃତ୍ୱରେ ଗଠିତ ଟେକ୍ନିକାଲ କମିଟି ସାପ୍ତାହିକ ବୈଠକ କରି ଜଳ ବଣ୍ଟନ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସମସ୍ୟାଗୁଡ଼ିକୁ ଚିହ୍ନଟ ଓ ସମାଧାନ କରିବ । ଦୁଇ ରାଜ୍ୟ ମଧ୍ୟରେ ମହାନଦୀ ଜଳ ବଣ୍ଟନ ପାଇଁ ଏକ ଶକ୍ତିଶାଳୀ ‘ସଂସ୍ଥାଗତ ଆଧାର’ ପ୍ରସ୍ତୁତ ପାଇଁ ମଧ୍ୟ ଆଲୋଚନା ହେବ । ଅକ୍ଟୋବର ମାସରେ ଉଭୟ ରାଜ୍ୟର ମୁଖ୍ୟ ସଚିବ ଓ ଜଳ ସମ୍ପଦ ସଚିବଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ, ଯେଉଁଥିରେ ଏ ଦିଗରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରାଯିବ ।
ଡିସେମ୍ବରରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ:
ମହାନଦୀ ଜଳ ବିବାଦର ଦୀର୍ଘମିଆଦୀ ସମାଧାନ ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏଙ୍କ ମଧ୍ୟରେ ସୁବିଧା ଅନୁସାରେ ଡିସେମ୍ବରରେ ଏକ ବୈଠକ ହେବାର ସମ୍ଭାବନା ରହିଛି । ଏହି ପ୍ରସ୍ତାବିତ ବୈଠକରେ ଆଲୋଚନାର ଅଗ୍ରଗତି ସହ ଉଭୟ ରାଜ୍ୟର ଜନସାଧାରଣଙ୍କ ସ୍ୱାଥର୍କୁ ଦୃଷ୍ଟିରେ ମହାନଦୀ ଜଳବିବାଦର ଦୀର୍ଘକାଳୀନ ଓ ସହମତିଭିତ୍ତିକ ସମାଧାନ ପାଇଁ ଏକ ସୌହାର୍ଦ୍ଧ୍ୟପୂର୍ଣ୍ଣ ଓ ସ୍ଥାୟୀ ସମାଧାନ ମାର୍ଗ ଅନ୍ୱେଷଣ କରିବେ । ଓଡ଼ିଶାରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ବିବାଦର ଆପୋଷ ସମାଧାନ କରାଯିବ ବୋଲି ଗତ ଜୁନ୍ ମାସରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ସୂଚନା ଦେଇଥିଲେ । ଏହାପରେ ସେ ଜୁଲାଇ ୨୫ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶ୍ରୀ ସାଏଙ୍କୁ ଏକ ଚିଠି ଲେଖି ଆପୋଷ ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ । ଯାହାକୁ ସ୍ୱାଗତ କରି ଶ୍ରୀ ସାଏ ଏହି ପ୍ରସ୍ତାବ ତାଙ୍କ ସରକାରଙ୍କ ବିଚାରାଧୀନ ଥିବା କହି ଅଗଷ୍ଟ ୧ ତାରିଖରେ ଚିଠି ମାଧ୍ୟମରେ ଜଣାଇଥିଲେ । ଆଜି ଦୁଇ ରାଜ୍ୟର ମୁଖ୍ୟ ସଚିବଙ୍କ ବୈଠକ ଏହି ଚିଠି ଆଦାନପ୍ରଦାନ ପରେ ଆଲୋଚନାକୁ ଆହୁରି ଦୁଇ ପାଦ ଆଗକୁ ବଢ଼ାଇଛି ।
ସେପ୍ଟେମ୍ବର ୬ରେ ଟ୍ରିବ୍ୟୁନାଲକୁ ଅବଗତ କରାଇବେ ଉଭୟ ରାଜ୍ୟ
ମହାନଦୀ ଟ୍ରିବ୍ୟୁନାଲରେ ଗତ ଶୁଣାଣିବେଳେ ଉଭୟ ରାଜ୍ୟର ଓକିଲଙ୍କ ମହାନଦୀ ଜଳ ବିବାଦର ଆପୋଷ ସମାଧାନ ଦିଗରେ ଦୁଇ ରାଜ୍ୟ ସରକାର ନେଇଥିବା ସକାରାତ୍ମକ ପଦକ୍ଷେପ ସଂପର୍କରେ ଅବଗତ କରାଇଥିଲେ । ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ ବିଏମ. ତ୍ରିବେଦୀଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ପଦକ୍ଷେପକୁ ସ୍ୱାଗତ କରି ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୬ତାରିଖକୁ ସ୍ଥିର କରିଛନ୍ତି । ଏହିଦିନ ଉଭୟ ରାଜ୍ୟର ଜଳସଂପଦ ସଚିବମାନେ ଉପସ୍ଥିତ ରହି ଆଲୋଚନାର ଅଗ୍ରଗତି ସଂପର୍କରେ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇବେ । ଗତ ଶୁଣାଣିବେଳେ ରାଜ୍ୟ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଆପୋଷ ଆଲୋଚନାରେ ସମାଧାନ ସପକ୍ଷରେ ଯୁକ୍ତି ବାଢ଼ି ବିଗତ ୬ ବର୍ଷରେ ଟ୍ରିବ୍ୟୁନାଲ ମାଧ୍ୟମରେ କୌଣସି ଗୁରୁତ୍ୱପୂର୍ଣ୍ଣ ସମାଧାନ ହାସଲ ହୋଇପାରିନାହିଁ । ତେଣୁ ରାଜନୈତିକ ଓ ଆଲୋଚନା ମାଧ୍ୟମରେ ସମାଧାନ ହିଁ ସର୍ବୋତ୍ତମ ଉପାୟ ବୋଲି କହିଥିଲେ ।
ମହାନଦୀ ବିବାଦର ପୃଷ୍ଠଭୂମି:
ମହାନଦୀ ହେଉଛି ଉଭୟ ଓଡ଼ିଶା ଓ ଛତିଶଗଡ଼ବାସୀଙ୍କ ଲାଇଫଲାଇନ୍ । ଛତିଶଗଡ଼ ସରକାର ମହାନଦୀର ଉପରଭାଗରେବ୍ୟାରେଜ ଓ ବନ୍ଧ ନିର୍ମାଣ କରିବା ଯୋଗୁ ଓଡ଼ିଶାରେ ମହାନଦୀର ଜଳପ୍ରବାହ ହ୍ରାସ ପାଇଥିଲା । ଯାହାକୁ ବିରୋଧ କରି ୨୦୧୬ ମସିହାରେ ରାଜ୍ୟର ତତ୍କାଳୀନ ବିଜେଡି ସରକାର ସୁପ୍ରିମକୋର୍ଟଙ୍କ ନିକଟରେ ଟ୍ରିବ୍ୟୁନାଲ ଗଠନ ପାଇଁ ଆବେଦନ କରିଥିଲେ । ୨୦୧୮ ମାର୍ଚ୍ଚରେ ମହାନଦୀ ଜଳ ଟ୍ରିବ୍ୟୁନାଲ ଗଠନ ହୋଇଥିଲା । ୨୦୧୮ରୁ ୨୦୨୩ ମଧ୍ୟରେ ଉଭୟ ରାଜ୍ୟରୁ ଜଳ ପ୍ରବାହ, ବ୍ୟବହାର ଓ ଆବଶ୍ୟକତା ସଂର୍ପକିତ ତଥ୍ୟ ସଂଗ୍ରହ କରାଯାଇଛି । ୨୦୨୬ ଏପ୍ରିଲ ୧୩ ସୁଦ୍ଧା ଟ୍ରିବ୍ୟୁନାଲ ନିଜର ରିପୋର୍ଟ ଦାଖଲ କରିବାର ସମୟସୀମା ଧାର୍ଯ୍ୟ ହୋଇଛି । ଏବେ ଉଭୟ ଓଡ଼ିଶା ଓ ଛତିଶଗଡ଼ରେ ବିଜେପି ସରକାର ଥିବାବେଳେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ରହିଥିବାରୁ ଟ୍ରିପଲ ଇଞ୍ଜିନ ସରକାର ମିଳିତ ଭାବେ ମହାନଦୀ ଜଳ ବିବାଦର ସ୍ଥାୟୀ ସମାଧାନ କରିପାରିବେ ବୋଲି ଆଶା ସଂଚାର ହୋଇଛି ।
Discover more from Emerging Odisha
Subscribe to get the latest posts sent to your email.