ଜୀବନ ଥାଉ ଥାଉ ଅନେକ ସମୟରେ ମୌଳିକ ସୁବିଧାରୁ ବଞ୍ଚିତ ହେବାକୁ ପଡ଼େ । କେତେବେଳେ ପ୍ରଶାସନିକ ଉଦାରତା ତ କେତେବେଳେ ପରିସ୍ଥିତି ମଣିଷକୁ ବ୍ୟବସ୍ଥାର ବିକଳତାକୁ ସାମ୍ନା କରିବାକୁ ବାଧ୍ୟ କରେ । ଏହିଭଳି ଏକ ଖବର ଆସିଛି କୋରାପୁଟ ଦଶମନ୍ତପୁରରୁ । ଜୀବନ ଥିବାବେଳେ ଯେ କେବଳ ରାସ୍ତା ନଥିବା ଯୋଗୁଁ ଲୋକ ହନ୍ତସନ୍ତ ହେଉଛନ୍ତି ତା ନୁହଁ ବରଂ ମୃତ୍ୟୁ ପରେ ବି ଶାନ୍ତିରେ ଶ୍ମଶାନ ଯିବାକୁ ବାଟ ନାହିଁ । ଗାଁର କୌଣସି ଲୋକଙ୍କ ମୃତ୍ୟୁ ହେଲେ ପରିବାର ଲୋକଙ୍କୁ ବି ଜୀବନ ବାଜିରେ ଲଗାଇବାକୁ ହୁଏ । ଭରାନଈ ପାର ହୋଇ ମଶାଣି ଯିବାକୁ ପଡ଼େ । ଏଭଳି ଅଭାବନୀୟ ଖବର ଆସିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ବଗେଇପଦର ଗାଁରୁ ।
ଗାଁର ଜନୈକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାରୁ ତାଙ୍କ ଅନ୍ତିମ ସଂସ୍କାର ପାଇଁ ପରିବାର, ସମ୍ପର୍କୀୟ ବାହାରିଥିଲେ ଗାଁ ମଶାଣୀକୁ । ଶ୍ମଶାନ ଯିବା ଆଗରୁ ବାଟ ଓଗାଳେ ମୁରାନ ନଦୀ । ଆଉ ବିଡ଼ମ୍ବନାର କଥା ଯେ, ସ୍ଥାୟୀ ପୋଲ ନ ଥିବାରୁ ଭରା ନଈରେ ଜୀବନକୁ ବାଜିରେ ଲଗାଇ କକେଇରେ ଶବ ଧରି ମଶାଣି ନେବାକୁ ବାଧ୍ୟ ହେଲେ ପରିବାର। କିନ୍ତୁ ଏଭଳି ଘଟଣା ଦିନେ କି ଦୁଇଦିନର ନୁହେଁ। ବର୍ଷ ବର୍ଷ ଧରି ଏଭଳି ଦୁର୍ଦ୍ଦଶା ଭୋଗୁଛନ୍ତି ଏହି ଗୋଟିଏ ମଶାଣୀ ଉପରେ ଭରସା କରୁଥିବା ବଗେଇପଦର, ତଳଗଦ୍ରି, ପରଜାଗଦ୍ରି ଗାଁ ଲୋକ । ବର୍ଷା ଦିନରେ ନଈରେ ପାଣିସ୍ତର ବଢୁଥିବାରୁ ଗାଁଲୋକ ହନ୍ତସନ୍ତ ହେଉଛନ୍ତି । ତୁରନ୍ତ ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ଦାବି ହୋଇଛି ।
Discover more from Emerging Odisha
Subscribe to get the latest posts sent to your email.