ଭୁବନେଶ୍ୱର, ୧୭।୮: ଭାଜପା ଭୋଟ ଚୋରିକରି ୨୦୨୪ ସାଧାରଣ ନିର୍ବାଚନରେ ବିଜୟୀ ହୋଇଥିବା କଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ତଥ୍ୟ ରଖିଥିଲେ। ଏଥିରେ ନିର୍ବାଚନ କମିଶନଙ୍କ ଭୂମିକା ବାବଦରେ ସେ ପ୍ରଘଟ କରିଥିଲେ। ଯେତେବେଳେ ନିର୍ବାଚନ କମିଶନରଙ୍କଠାରୁ ବିରୋଧୀ ଦଳ ନେତା ଜବାବ ମାଗୁଛନ୍ତି, ସେତେବେଳେ ଭାଜପା ସରକାରଙ୍କୁ କାହିଁକି ବାଧୁଛି ବୋଲି ଯୁବ କଂଗ୍ରେସ ପ୍ରଶ୍ନ କରିଛି। ଭାଜପା ଭୋଟ ହଡ଼ପକରି ନେଇଛି। ଭୋଟ ଚୋରି ପ୍ରସଙ୍ଗ ନେଇ ରବିବାରଠାରୁ ରାହୁଲ ଭୋଟ ଅଧିକାର ଯାତ୍ରା ଆରମ୍ଭ କରୁଛନ୍ତି। ଏଥିରେ ଯୁବ କଂଗ୍ରେସ ସାମିଲ ହେଉଛି। ଯୁବ କଂଗ୍ରେସ ଲୋକଙ୍କୁ ସଚେତନ କରିବ। ଏନେଇ ଶନିବାରଠାରୁ ଏକ କ୍ୟାମ୍ପେନ ଆରମ୍ଭ ହୋଇଛି। ସାରା ଓଡ଼ିଶାରେ ଯୁବ କଂଗ୍ରେସ ପଦଯାତ୍ରା କରିବ। ଏହାସହ ଲୋକଙ୍କୁ ଲିଫ୍ଲେଟ୍ ବାଣ୍ଟି ଯୁବ କଂଗ୍ରେସ ସଚେତନ କରିବ। ଆସନ୍ତା ୩ ମାସ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲିବ ବୋଲି ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର କହିଛନ୍ତି। କଂଗ୍ରେସ ଭବନଠାରେ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ରଞ୍ଜିତ କହିଛନ୍ତି, ଜଣାପଡୁଛି ଭୋଟ ଚୋରିରେ ଭାଜପା ଓ ନିର୍ବାଚନ କମିଶନଙ୍କ ଭିତରେ ମଧୁଚନ୍ଦ୍ରିକା ହୋଇଥିଲା। ଭାଜପା ସରକାରରେ ଆମର ଅଧିକାର ଛଡ଼ାଇ ନିଆଯାଉଛି। ହେଲେ ବିରୋଧୀ ଦଳ ନେତା ମାଗୁଥିବା ତଥ୍ୟ ନିର୍ବାଚନ କମିଶନ ଦେଉନାହାନ୍ତି। ମହାରାଷ୍ଟ୍ରରେ ହଠାତ୍ ୬ ଲକ୍ଷ ଭୋଟର ବଢ଼ିଗଲେ। ଓଡ଼ିଶାରେ ସା ୫ଟାରୁ ୮ ଟା ମଧ୍ୟରେ ୪୨ ଲକ୍ଷ ଲୋକ ଭୋଟ ଦେଲେ। ତେଣୁ ନିର୍ବାଚନ ସ୍ବଚ୍ଛ ହୋଇନାହିଁ। ଭୋଟ ଚୋରି ନେଇ ଯୁବ କଂଗ୍ରେସ ଲୋକଙ୍କୁ ସଚେତନ କରିବ ବୋଲି ସେ କହିଛନ୍ତି।
Discover more from Emerging Odisha
Subscribe to get the latest posts sent to your email.