ଦୁର୍ଗ,୧ା୯: ପ୍ରାୟ ୧୨ ବର୍ଷ ଧରି ଛତିଶଗଡ଼ର ଦୁର୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ମନ୍ଦିରଗୁଡ଼ିକର ଦାନବାକ୍ସରୁ ଟଙ୍କା ଗାଏବ ହୋଇଯାଉଥିଲା। ତାଲା ଭାଙ୍ଗି ଦାନ ବାକ୍ସଗୁଡିକରୁ ଟଙ୍କା ଚୋରି ହେଉଥିଲା। ଶନିବାର ଦୁର୍ଗ ପୋଲିସ ୟଶଓ୍ବନ୍ତ ଉପାଧ୍ୟାୟ (୪୫) ନାମକ ଜଣେ ଏଚ୍ଆଇଭି ପଜିଟିଭ ବ୍ୟକ୍ତିଙ୍କୁ ଗିରଫ କରିବା ପରେ ସେ ଦୋଷ ସ୍ବୀକାର କରିଛନ୍ତି। ତାଙ୍କୁ ଏଚ୍ଆଇଭି ସଂକ୍ରମଣ ହୋଇଥିବାରୁ ଏଥିପାଇଁ ସେ ଭଗବାନ୍ଙ୍କୁ ଦାୟୀ କରିଛନ୍ତି। ଭଗବାନଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ସେ ୧୨ ବର୍ଷ ହେବ ବିଭିନ୍ନ ମନ୍ଦିରର ଦାନବାକ୍ସରୁ ଟଙ୍କା ଚୋରାଉଥିଲେ ବୋଲି ୟଶଓ୍ବନ୍ତ କହିଛନ୍ତି। ୨୦୧୨ରେ ଏକ ମାର୍ପିଟ ମାମଲାରେ ଜେଲରେ ଥିବା ସମୟରେ ସେ ଏଚ୍ଆଇଭି ଆକ୍ରାନ୍ତ ହୋଇଥିଲେ। ଏହାପରେ ଧର୍ମ ଏବଂ ଈଶ୍ୱରଙ୍କ ଉପରୁ ତାଙ୍କର ଭରସା ଉଠିଯାଇଥିଲା। ଏଚ୍ଆଇଭି ସଂକ୍ରମଣକୁ ସେ ଭଗବାନଙ୍କ ଖେଳ ବୋଲି ବିବେଚନା କରି ଈଶ୍ୱରଙ୍କ ବିରୋଧରେ ପ୍ରତିଶୋଧ ନେବାକୁ ସ୍ଥିର କରିଥିଲେ ଏବଂ ୨୦୧୩ରେ ପ୍ରଥମ ଥର ପାଇଁ ମନ୍ଦିରରେ ଚୋରି କରିଥିଲେ। ପୋଲିସ ସୂଚନା ଅନୁଯାୟୀ, ୟଶଓ୍ବନ୍ତ ଦୁର୍ଗ ଓ ଏହାର ଆଖପାଖ ମନ୍ଦିରରେ ଅତି କମ୍ରେ ୧୦ଟି ଚୋରି କରିଥିବାର ସ୍ବୀକାର କରିଛନ୍ତି। ତେବେ ସେ ଆହୁରି ଅଧିକ ଚୋରି କରିଥାଇପାରନ୍ତି ବୋଲି ପୋଲିସ ଆଶଙ୍କା କରୁଛି। ପ୍ରତ୍ୟେକ ଥର ସେ ସମାନ ଶୈଳୀରେ ଚୋରି କରୁଥିଲେ। ସେ ଦାନବାକ୍ସ ମଧ୍ୟରୁ କେବଳ ନଗଦ ଟଙ୍କା ଚୋରି କରୁଥିଲେ ଏବଂ ଅଳଙ୍କାରଗୁଡ଼ିକୁ ହାତ ମାରୁ ନ ଥିଲେ। ପ୍ରତ୍ୟେକ ଥର ଚୋରି ପୂର୍ବରୁ ଏବଂ ପରେ ସେ ପୋଷାକ ପରିବର୍ତ୍ତନ କରୁଥିଲେ, ଯାହାଦ୍ୱାରା ସିସିଟିଭି କ୍ୟାମେରାରେ ତାଙ୍କୁ ଚିହ୍ନିଟ କରାଯାଇ ପାରୁ ନ ଥିଲା। ସେହିପରି ସେ ସବୁବେଳେ ନିଜ ସ୍କୁଟିକୁ ମନ୍ଦିରଠାରୁ ବହୁ ଦୂରରେ ପାର୍କିଂ କରୁଥିଲେ।
Discover more from Emerging Odisha
Subscribe to get the latest posts sent to your email.