ବୈଜ୍ଞାନିକଙ୍କ ନୂଆ ଅଧ୍ୟୟନ, ଦ୍ରୁତ ଗତିରେ ତରଳୁଛି ଶିଶୁ ବାହ୍ୟଗ୍ରହ

Spread the love

ନୂଆଦିଲ୍ଲୀ ୨୦/୦୭: ମହାକାଶଚାରୀମାନେ ଏକ ବିରଳ ମହାଜାଗତିକ ପରିବର୍ତ୍ତନ ଲକ୍ଷ୍ୟ କରିଛନ୍ତି । ଏକ  ଶିଶୁ ବାହ୍ୟଗ୍ରହକୁ ସେମାନେ ଆଖି ସାମ୍ନାରେ ସଙ୍କୁଚିତ ହେଉଥିବା ଦେଖୁଛନ୍ତି ।  ବୈଜ୍ଞାନିକମାନେ ନାସାର ଚନ୍ଦ୍ର ଏକ୍ସ-ରେ ଅବ୍‌ଜର୍ଭେଟୋରୀ ଜରିଆରେ ଏହି  ଅଧ୍ୟୟନ କରିଛନ୍ତି । ଅଧ୍ୟୟନ ଅନୁସାରେ, ‘ଟିଓଆଇ ୧୨୨୭ ବି’ ନାମକ ନୂଆ ଗ୍ରହ  ନିଜର ସଂଚାଳକ ନକ୍ଷତ୍ରର ତୀବ୍ର ଏକ୍ସ-ରେରୁ ଉତ୍ପନ୍ନ ନିରନ୍ତର ବିସ୍ଫୋରଣ ଯୋଗୁ   ନିଜ ବାୟୁମଣ୍ଡଳର ଘନତ୍ୱକୁ ହରାଉଛି । 

ପୃଥିବୀଠୁ ପ୍ରାୟ ୩୩୦ ଆଲୋକ ବର୍ଷ  ଦୂରରେ ଅବସ୍ଥିତ ‘ଟିଓଆଇ ୧୨୨୭ ବି’ ଏକ ଲାଲ୍‌ କ୍ଷୁଦ୍ର ନକ୍ଷତ୍ର ଚତୁଃପାଶ୍ୱର୍ରେ  ଅତି ନିକଟରେ ପରିକ୍ରମା କରୁଛି । ଯେମିତି ସୂର୍ଯ୍ୟଠୁ ମାତ୍ର ଏକ ପଞ୍ଚମାଂଶ ଦୂରରେ  ବୁଧ ଗ୍ରହ ପରିକ୍ରମା କରୁଛି । ନିଜ ନକ୍ଷତ୍ରର ଅତି ନିକଟରେ ପରିକ୍ରମା ଯୋଗୁ  ଏହା ନକ୍ଷତ୍ରର ଉଚ୍ଚ-ଉର୍ଜ୍ଜା ବିକିରଣର ସମ୍ମୁଖୀନ ହେଉଛି । ବୈଜ୍ଞାନିକମାନେ  ‘ଟିଓଆଇ ୧୨୨୭ ବି’ର ବୟସ ମାତ୍ର ୮୦ ଲକ୍ଷ ବର୍ଷ ବୋଲି ଆକଳନ କରିଛନ୍ତି ।   ଅଦ୍ୟାବଧି ଆବିଷ୍କୃତ ବାହ୍ୟଗ୍ରହଙ୍କ ମଧ୍ୟରେ ଏହା ସବୁଠୁ କମ୍‌ ବୟସ୍କ । ପୃଥିବୀର  ୫୦୦ କୋଟି ବର୍ଷ ବୟସ ତୁଳନାରେ ଏହା ବାସ୍ତବରେ ଶିଶୁ ।  

ଅଧ୍ୟୟନର ମୁଖ୍ୟ ଲେଖକ ରୋଚେଷ୍ଟର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ଆଟ୍ଟିଲା  ଭାର୍ଗା କହିଛନ୍ତି, ନିଜ ସଂଚାଳକ ନକ୍ଷତ୍ରରୁ ନିର୍ଗତ ଏକ୍ସ-ରେ ବିସ୍ଫୋରଣରେ ଗ୍ରହର  ବାୟୁମଣ୍ଡଳ ତିଷ୍ଠିପାରୁ ନାହିଁ । ଏତେ ଦ୍ରୁତ ଏହା ନିଜର ବାୟୁମଣ୍ଡଳ ହରାଉଛି ଯେ  ଆଗାମି ୧୦୦ କୋଟି ବର୍ଷ ମଧ୍ୟରେ ଏହା ପ୍ରାୟ ଦୁଇଟି ପୃଥିବୀର ଘନତ୍ୱ ସମାନ   ବାୟୁମଣ୍ଡଳ ଏହା ହରାଇପାରେ । ଆକାର ହ୍ରାସ ଯୋଗୁ ଏହା ଏକ ଶୁଷ୍କ ଓ ପଥୁରିଆ କେନ୍ଦ୍ରରେ ରୂପାନ୍ତରିତ ହେବ । ‘ଟିଓଆଇ ୧୨୨୭’ର ଘନତ୍ୱ ନେପ୍‌ଚୁନ୍‌ ଭଳି ଅଛି,  କିନ୍ତୁ ବ୍ୟାସରେ ଏହା ୩ ଗୁଣ ବିଶାଳ । ସେଥିପାଇଁ ଏହାର ଗଠନ ବୃହସ୍ପତି ଭଳି ।  ଗ୍ରହର ଆକାର ଏଭଳି ଫୁଲିବାର କାରଣ ତା’ର କ୍ଷୁଦ୍ର ନକ୍ଷତ୍ରରୁ ଉତ୍ପନ୍ନ ହେଉଥିବା  ନିରନ୍ତର ଏକ୍ସ-ରେ ବୋଲି ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି । 

ଆକାର ଛୋଟ  ହେଲେ ମଧ୍ୟ ଆମ ସୂର୍ଯ୍ୟଠୁ ଏହା ଅଧିକ ତୀବ୍ର ଏକ୍ସ-ରେ ବିକିରଣ ଛାଡୁଛି । ପ୍ରତି  ୨୦୦ ବର୍ଷରେ ଏହା ଗୋଟିଏ ପୃଥିବୀ ବାୟୁମଣ୍ଡଳର ଘନତ୍ୱ ଭଳି ନିଜର ବାୟୁମଣ୍ଡଳ  ହରାଇବ ବୋଲି ଆକଳନ କରାଯାଇଛି । ବାସଯୋଗ୍ୟ ଜୋନ୍‌ରୁ ଏହା ଖୁବ୍‌ ଦୂରରେ ଅବସ୍ଥାନ କରୁଥିବାରୁ ଏହି ଚରମ ସ୍ଥିତି ‘ଟିଓଆଇ ୧୨୨୭’କୁ ବାସଅଯୋଗ୍ୟ କରିଛି ।  ଆଷ୍ଟ୍ରୋଫିଜିକାଲ ପତ୍ରିକାରେ ଅଧ୍ୟୟନଟି ପ୍ରକାଶ ପାଇଛି । ନକ୍ଷତ୍ରମାନଙ୍କର ଚରମ   ପରିବେଶ କିଭଳି ଭାବେ ଯୁବା ବାହ୍ୟଗ୍ରହଗୁଡିକର ଉତ୍ପତ୍ତି ଲାଗି ମାର୍ଗ ପ୍ରଶସ୍ତ  କରେ, ଏହି ଶିଶୁ ବାହ୍ୟଗ୍ରହ ତା’ଉପରେ ଆଲୋକପାତ କରିଛି । ସେତିକି  ନୁହେଁ, କିଛି ଗ୍ରହ କିଭଳି ପ୍ରାରମ୍ଭିକ ଜୀବନରେ ନିଜର ବାୟୁମଣ୍ଡଳନ ହରାଇ  ଦିଅନ୍ତି, ତାହା ମଧ୍ୟ ବର୍ଣ୍ଣନା କରିବାରେ ସାହାଯ୍ୟ କରିଛି ।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading