ବାଦଲ ଫଟା ବର୍ଷା ପରେ ଧସିଲା ପାହାଡ଼: ଭାସିଗଲେ ଲୋକେ, ମାଟିଲେ ମିଶିଲା ଘର ଓ ହୋଟେଲ୍‌

Spread the love

ପ୍ରକୃତିର ତାଣ୍ଡବ। ଛାରଖାର ହୋଇଛି ଉତ୍ତରକାଶୀ। ଧରାଶାୟୀ ହୋଇଛି ଧରାଲି ଗାଁ। ଭୁଶୁଡ଼ି ଯାଇଛି ହୋଟେଲେ ଓ ପୋତି ହୋଇଯାଇଛି ମାର୍କେଟ। ବାଦଲ ଫଟା ବର୍ଷା ସାଙ୍ଗକୁ ଭୂସ୍ଖଳନ ସୃଷ୍ଟି କରିଛି ସାଂଘାତିକ ସ୍ଥିତି। ପାହାଡ଼ ଧସିବାରୁ ଜନବସତିକୁ ମାଡ଼ି ଯାଇଛି ମାଟି ମିଶା ପାଣି। ଅଚାନକ ବନ୍ୟାରେ ଭୁଶୁଡ଼ି ପଡ଼ିଛି ଶହଶହ ଘର। ଭାସି ଯାଇଛନ୍ତି ଶତାଧିକ ଲୋକ। ପ୍ରକୃତି ରଚିଛି ଧ୍ୱଂସଲୀଳା। ଏଥିରେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ମାଟି ତଳୁ ଖୋଜା ଚାଲିଛି ଜୀବନ। 

ଉତ୍ତରାଖଣ୍ଡର ହର୍ସିଲ ଠାରୁ ୪ କିମି ଦୂର ଧରାଲି ଗାଁରେ ପ୍ରକୃତିର ଭୟଙ୍କର ତାଣ୍ଡବ ପୂରା ଦେଶକୁ ସ୍ତବ୍ଧ କରି ଦେଇଛି। ସେଠାରୁ ଆସୁଥିବା ଗୋଟିଏ ପରେ ଗୋଟିଏ ଭିଡିଓକୁ ସମସ୍ତଙ୍କୁ ବିଚଳିତ କରିଛି। ଆଜି ଅପରାହ୍ନ ୧.୪୫ରେ ଭୂସ୍ଖଳ ହେବା ପରେ ମାଟି ମିଶା ପାଣି ଜନବସତି ଆଡ଼କୁ ଘୁଘୁ କରି ମାଡ଼ି ଆସିଥିଲା। ଭୂସ୍ଖଳନ ଯୋଗୁ ପବିତ୍ର ଗଙ୍ଗୋତ୍ରୀ ଧାମ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ଏହି ବିପର୍ଯ୍ୟୟରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ ଠାରୁ ସେନା ଯବାନମାନେ ଲାଗି ପଡ଼ିଛନ୍ତି। ପ୍ରଭାବିତ ଅଞ୍ଚଳଟି ମୁଖବା ଓ ଗଙ୍ଗୋତ୍ରୀ ଧାମର ଅତ୍ୟନ୍ତ ନିକଟବର୍ତ୍ତୀ। ପାହାଡ଼ର ଧ୍ୱଂସାବଶେଷ ସହ ପାଣି କେମିତି ଭୟଙ୍କର ଢଙ୍ଗରେ ତଳିଆ ଅଞ୍ଚଳକୁ ଆସୁଛି ଓ ଶତାଧିକ ଘର, ହୋଟେଲ, ହୋମ ଷ୍ଟେ ଓ ରେଷ୍ଟୁରାଣ୍ଟକୁ ଭସାଇ ନେଉଛି, ତା’ର ଭିଡିଓ ସାମ୍ନାକୁ ଆସିଛି।

ଉକ୍ତ ଅଞ୍ଚଳରେ ଥିବା ଏକାଧିକ ହୋଟେଲ ଠାରୁ ଆରମ୍ଭ କରି ସବୁ କିଛି ଧ୍ୱଂସ ହୋଇଯାଇଛି। ପୂର୍ବରୁ ମୁଁ ଏମିତି ଭୟଙ୍କର ବିପର୍ଯ୍ୟୟ କେବେ ଦେଖି ନଥିଲି ବୋଲି ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି।

ହର୍ସିଲର ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ନିକଟରେ ଧରାଲି ରହିଛି। ଘଟଣା ବେଳେ ଏଠାରେ ଶତାଧିକ ପର୍ଯ୍ୟଟକ ରହିଥିଲେ। ଅଚାନକ ବନ୍ୟା ଯୋଗୁ ସେମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି। ହୋଟେଲ ଓ ଘରଦ୍ୱାର ଭୁଶୁଡ଼ି ପଡ଼ିବାରୁ ଏହା ତଳେ ଲୋକମାନେ ଫସି ରହିଥିବା ଆଶଙ୍କା କରାଯାଉଛି। ସେହିପରି କିଛି ଲୋକ ମଧ୍ୟ ବନ୍ୟାର ସ୍ରୋତରେ ଭାସି ଯାଇଛନ୍ତି। ପ୍ରକୃତିର ତାଣ୍ଡବରୁ ହୋଟେଲ ଠାରୁ ଆରମ୍ଭ କରି ହୋମ ଷ୍ଟେ ଭଳି ବଡ଼ବଡ଼ କୋଠା ମଧ୍ୟ ବର୍ତ୍ତି ନାହାନ୍ତି। ୨୦ରୁ ୨୫ଟି ହୋଟେଲ ଏବଂ ହୋମ ଷ୍ଟେ ପାଣିର ସ୍ରୋତରେ ଭାସି ଯାଇଛି। କ୍ଷୀର ଗଙ୍ଗା ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଧରାଲି ମାର୍କେଟ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading