ପିଓକେ ପାଇଁ ନେହରୁଙ୍କୁ ଦାୟୀ କଲେ ଅମିତ ଶାହ

Spread the love

ଅପରେସନ ସିନ୍ଦୂର ସମୟରେ ଭାରତର ଆଟାକରେ ଘାଇଲା ହୋଇଥିବା ପାକିସ୍ତାନ ଯୁଦ୍ଧ ବିରତି ପାଇଁ ନେହୁରା ହୋଇଥିଲା। ପାକିସ୍ତାନ ଉପରେ ଦୟା କରି ଭାରତ ଯୁଦ୍ଧ ବିରତି ଲାଗୁ କରିଥିଲା ବୋଲି ସରକାର କହି ଆସୁଛନ୍ତି।  କିନ୍ତୁ ପାକିସ୍ତାନ ନେହୁରା ହେଉଥିବା ବେଳେ ବିନା ସର୍ତ୍ତରେ ଭାରତ ସରକାର କାହିଁକି ଯୁଦ୍ଧ ବିରତି ଲାଗୁ କଲେ? ସେହିପରି ପାକିସ୍ତାନ ଅଧିକୃତ ଜମ୍ମୁ-କଶ୍ମୀର ବା ପିଓକେ ଫେରାଇ ଆଣିବାର ସୁଯୋଗ ଭାରତ କାହିଁକି ହାତ ଛଡ଼ା କଲା ବୋଲି ବିରୋଧୀ ପ୍ରଶ୍ନ କରିବାରେ ଲାଗିଛନ୍ତି।

ସୋମବାର ଠାରୁ ଲୋକସଭାରେ ଓ ଆଜି ଠାରୁ ରାଜ୍ୟସଭାରେ ଅପରେସନ ସିନ୍ଦୂରକୁ ନେଇ ବିତର୍କ ଆରମ୍ଭ ହୋଇଥିବା ବେଳେ ବିରୋଧୀ ପୁଣି ପିଓକେ ପ୍ରସଙ୍ଗ ଉଠାଇଛନ୍ତି। ଆଜି ଲୋକସଭାରେ ଏହାର ଜବାବ ଦେବା ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପିଓକେ ସୃଷ୍ଟି ପାଇଁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଦିବଂଗତ ପଣ୍ଡିତ ଜବାହର ଲାଲ ନେହରୁଙ୍କୁ ସବୁ ଦୋଷ ଦେଇଛନ୍ତି। ପିଓକେ ପାଇଁ ନେହରୁଙ୍କ ରାଜନୀତି ଦାୟୀ ବୋଲି ସେ କହିଛନ୍ତି। 

ସେ କହିଛନ୍ତି, “ଆଜି ଯଦି ପିଓକେ ରହିଛି, ତା’ହେଲେ ଏଥିପାଇଁ ଜବାହରଲାଲ ନେହରୁଙ୍କ ଯୁଦ୍ଧ ବିରତି ଦାୟୀ। ଏହାର ଦୋଷ ନେହରୁଙ୍କର ରାଜନୀତିକୁ ଦିଆଯିବା ଦରକାର।” ୧୯୪୯ ମସିହା ପ୍ରଥମ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ନେହରୁ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ବାରଣ କରିବାରୁ ଇସଲାମାବାଦ କଶ୍ମୀରର କିଛି ଅଂଶକୁ ଦଖଲ କରି ନେଇଥିଲା ବୋଲି ଶାହ ଏଠାରେ କହିବାକୁ ଚେଷ୍ଟା କରିଛନ୍ତି।

ସେ ଆହୁରି କହିଛନ୍ତି ଯେ ୧୯୬୦ରେ ସର୍ଦାର ବଲ୍ଲଭ ଭାଇ ପଟେଲ ଏହି ଆଭିମୁଖ୍ୟକୁ ବିରୋଧ କରିଥିଲେ। ସିନ୍ଧୁ ଜଳ ପ୍ରସଙ୍ଗରେ ଆମେ ବେଶ ଶକ୍ତିଶାଳୀ ଥିଲୁ। କିନ୍ତୁ ସିନ୍ଧୁ ଜଳ ଚୁକ୍ତି ପରେ ଆମକୁ ୮୦% ପାଣି ପାକିସ୍ତାନକୁ ଦେବାକୁ ପଡ଼ିଥିଲା। କଂଗ୍ରେସ ନେତୃତ୍ୱବୃନ୍ଦ ଭାରତର ରଣନୀତିକ ଶକ୍ତିକୁ ହାତ ଛଡ଼ା କରିଥିଲେ। ୧୯୭୧ରେ କଂଗ୍ରେସ ଆଉ ଏକ ସୁଯୋଗ ହାତ ଛଡ଼ା କରିଥିଲା ବୋଲି ଶାହ କହିଛନ୍ତି।

ସେ କହିଛନ୍ତି, “ସୋମବାର କଂଗ୍ରେସ ପ୍ରଶ୍ନ କରିଥିଲା ଯେ କାହିଁକି ଯୁଦ୍ଧ ହେଲାନି। ପାକିସ୍ତାନ ହେଉଛି ଆତଙ୍କବାଦର ଉତ୍ସ। କଂଗ୍ରେସ ତ୍ରୁଟିର ପ୍ରତିଫଳନ ହେଉଛି ପାକିସ୍ତାନ। ଯଦି ସେମାନେ ବିଭାଜନକୁ ପ୍ରତ୍ୟାଖ୍ୟାନ କରିଥାଆନ୍ତେ, ତା’ହେଲେ ଏପରି ସ୍ଥିତି ସୃଷ୍ଟି ହୋଇ ନଥଆନ୍ତା। ଜବାହର ଲାଲଙ୍କ ଭୁଲ ପାଇଁ ପାଇଁ ଆଜି ପିଓକେ ସୃଷ୍ଟି ହୋଇଛି। ଆମେ ୧୯୭୧ ବିଜୟକୁ ନେଇ ଗର୍ବିତ।

ଆମ ପାଖରେ ୯୩ ହଜାର ପାକିସ୍ତାନୀ ଯୁଦ୍ଧ କଏଦୀ ଥିଲେ। ଏହା ସେମାନଙ୍କ ଆର୍ମିର ୪୨%। ତଥାପି ଆମେ ସେତେବେଳେ ପାକିସ୍ତାନ ପାଖକୁ ପିଓକେ ମାଗି ନଥିଲୁ। ୧୯୬୦ରେ ସେମାନେ ପାକିସ୍ତାନକୁ ସିନ୍ଧୁ ନଦୀର ୮୦% ପାଣି ଦେବା ଆରମ୍ଭ କରିଥିଲେ। ୧୯୭୧ ଶିମଲା ବୁଝାମଣା ବେଳେ କଂଗ୍ରେସ ପିଓକେ କଥା ଭୁଲି ଯାଇଥିଲା। ଯଦି ସେତେବେଳେ ସେମାନେ ପିଓକେ ଆଣି ଦେଇଥାଆନ୍ତେ, ତା’ହେଲେ ଆମକୁ ସେଠାରେ ଥିବା କ୍ୟାମ୍ପଗୁଡ଼ିକ ଉପରେ ଏବେ ଆଟାକ କରିବାକୁ ପଡ଼ି ନଥାଆନ୍ତା।”

ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ସ୍ଥାନୀୟ ସଦସ୍ୟ ନ ହେବା ପଛରେ ନେହରୁ ରହିଥିବା ମଧ୍ୟ ଶାହ କହିଛନ୍ତି। ସେ କହିଛନ୍ତି, “ନେହରୁଙ୍କ ନିଷ୍ପତ୍ତି ଯୋଗୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ଆମେ ହରାଇଥିଲୁ। ଆଜି ଚାଇନା ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ। କିନ୍ତୁ ଭାରତ ନୁହେଁ। ମୋଦିଜୀ(ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି) ଭାରତକୁ ଜାତିସଂଘ ସୁରକ୍ଷା ପରିଷଦରେ ସାମିଲ କରିବା ପାଇଁ ସବୁ ପ୍ରକାରର ଚେଷ୍ଟା କରିଛନ୍ତି।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading