ପାର୍କିଂକୁ ନେଇ ଲଙ୍କାକାଣ୍ଡ: ଅଭିନେତ୍ରୀଙ୍କ ଭାଇଙ୍କୁ ପିଟିଲେ, ଛୁରୀ ଭୁଷି ମାରିଦେଲେ

Spread the love

ବଲିଉଡ ଅଭିନେତ୍ରୀ ହୁମା କ୍ୟୁରେଶୀଙ୍କ ଭାଇ ଆସିଫଙ୍କୁ ଗୁରୁବାର ରାତିରେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ପାର୍କିଂ ସ୍ଥାନକୁ ନେଇ ଦେଖାଯାଇଥିବା ବିବାଦକୁ କେନ୍ଦ୍ର କରି ଆସିଫଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଆସିଫଙ୍କୁ ହତ୍ୟା କରିବା ପୂର୍ବରୁ ୨ ଜଣ ଯୁବକ ତାଙ୍କୁ କେଉଁ ଭଳି ବିଧା ଗୋଇଠା ମାରୁଥିଲେ, ତା’ର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି।

ସିସିଟିଭିରେ ଦେଖିବାକୁ ମିଳୁଛି ଯେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ବେଶ ଆକ୍ରମଣାତ୍ମକ ଢଙ୍ଗରେ ଆସିଫଙ୍କ ଆଡ଼କୁ ମାଡ଼ି ଯାଉଛି। ଏହି ସମୟରେ ଆସିଫଙ୍କ ପତ୍ନୀ ତା’କୁ ରୋକିବାକୁ ଚେଷ୍ଟା କରିଥିଲେ ହେଁ ସେ ତାଙ୍କୁ ଧକ୍କା ଦେଇଥିଲେ। କିଛି କ୍ଷଣ ପରେ ଆଉ ଜଣେ ଯୁବକ ଘଟଣାରେ ସାମିଲ ହୋଇଥିଲା। ଉଭୟ ମିଳିତ ଭାବେ ଆସିଫଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ପିଟି ଚାଲି ଥିଲେ।

ପଡ଼ୋଶୀମାନେ ବିବାଦରେ ମଧ୍ୟସ୍ଥତା କରିବା ସହ ବୁଝାମଣା କରିବାକୁ ଚେଷ୍ଟା କରିଥିଲେ। ତଥାପି ଦୁଇ ଅଭିଯୁକ୍ତ ଓ ଆସିଫ ମଧ୍ୟରେ ଧସ୍ତାଧସ୍ତି ଜାରି ରହିଥିଲା। ପଡ଼ୋଶୀମାନେ ଦୁଇ ପକ୍ଷଙ୍କୁ ଅଲଗା କରିବା ପରେ ମଧ୍ୟ ସେମାନେ ପରସ୍ପରକୁ ଗାଳିଗୁଲଜ କରି ଚାଲିଥିଲେ। ରେକର୍ଡିର ଶେଷ ଭାଗରେ ଦେଖିବାକୁ ମିଳୁଛି ଯେ ଦୁଇ ଯୁବକ ପୁଣି ଆକ୍ରମଣ କରିବାକୁ ଉଦ୍ୟମ କରୁଛନ୍ତି। ହେଲେ ତା’ ପରେ କ’ଣ ଘଟିଲା, ସେସବୁ କ୍ୟାମେରାରେ କଏଦ ହୋଇନାହିଁ।

ପୂରା ଘଟଣା ଗୁରୁବାର ରାତି ପ୍ରାୟ ୧୧ଟାରେ ଘଟିଛି। ଦୁଇ ଜଣ ଯୁବକ ରାତିରେ ସମୟରେ ଆସିଫଙ୍କ ଘର ସାମ୍ନାରେ ସ୍କୁଟି ପାର୍କ କରିଥିଲେ। ଏହାକୁ ସେ ବାରଣ କରିବାରୁ ପାଟିତୁଣ୍ଡ ହୋଇଥିଲା। ପାଟିତୁଣ୍ଡ ପରେ ଦୁଇ ଯୁବକ ଚାଲି ଯାଇଥିଲେ। କିନ୍ତୁ ସେମାନେ ଆସିଫଙ୍କୁ ଧମକ ଦେଇଥିଲେ। କିଛି ମିନିଟ ପରେ ସେମାନେ ପୁଣି ଆସିଥିଲେ ଓ ଆସିଫଙ୍କୁ ମାଡ଼ ମାରିଥିଲେ।

ମାଡ଼ ମାରିବା ସମୟରେ ସେମାନେ ଛୁରୀ ଦ୍ୱାରା ତାଙ୍କୁ ବାରମ୍ବାର ଆକ୍ରମଣ କରିଥିଲେ। ଏହାକୁ ଆସିଫଙ୍କ ପତ୍ନୀ ବିରୋଧ କରିବା ସହ ତାଙ୍କ ଭାଇ ଜାଭେଦଙ୍କୁ ଡାକିଥିଲେ। କିନ୍ତୁ ଜାଭେଦ ପହଞ୍ଚିଲା ବେଳକୁ ଆସିଫଙ୍କ ପ୍ରବଳ ରକ୍ତସ୍ରାବ ହୋଇ ସାରିଥିଲା। ତାଙ୍କୁ ତୁରନ୍ତ ଇଷ୍ଟ ଅଫ କୈଳାସରେ ଥିବା ନ୍ୟାଶନାଲ ହାର୍ଟ ଇନଷ୍ଟିଚ୍ୟୁଟକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୁଲିସ୍‌ ଏହି ଘଟଣାରେ ୧୯ ବର୍ଷୀୟ ଉଜ୍ଜ୍ୱଳ ଓ ୧୮ ବର୍ଷୀୟ ଗୌତମକୁ ଗିରଫ କରିଛି। ତାଙ୍କ ଠାରୁ ହତ୍ୟାରେ ବ୍ୟବହୃତ ଛୁରୀକୁ ଜବତ କରାଯାଇଛି।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading