ନୋବେଲ ଶାନ୍ତି ପାଇଁ ବ୍ୟାକୁଳ ଟ୍ରମ୍ପ

Spread the love

ୱାସିଂଟନ: ଆମେରିକାରେ ଲବି କରିବା ହେଉଛି ୫ ବିଲିୟନ ଡଲାରର ଏକ ଶିଳ୍ପ। ଫାର୍ମା ହେଉ, ବୀମା ହେଉ କିମ୍ବା ପ୍ରତିରକ୍ଷା ଚୁକ୍ତି, ଲବିଷ୍ଟମାନେ ଏହି ଖେଳରେ ନିଜର ଦମ୍ ଲଗାଇ ଦେଇଥାନ୍ତି। ଏହା ସହିତ ୨୦୨୫ର ନୋବେଲ ଶାନ୍ତି ପୁରସ୍କାର ପାଇଁ ଲବି ମଧ୍ୟ ଏହି ତାଲିକାରେ ସାମିଲ ହୋଇଛି ଏବଂ ଏଥିପାଇଁ ଯୁଦ୍ଧସ୍ତରରେ ପ୍ରୟାସ ଚାଲିଛି। ଅକ୍ଟୋବର ମାସରେ ବିଜେତା ଘୋଷଣା ପାଇଁ ନୋବେଲ ପୁରସ୍କାର କମିଟି ଅଣ୍ଟା ଭିଡ଼ୁଥିବା ବେଳେ ଟ୍ରମ୍ପ କ୍ୟାବିନେଟ୍ ଏକ ଲବି ଗ୍ରୁପ୍‌ର ରୂପ ନେଇଛି। ଆଉ ଏତେ ଖୋଲାଖୋଲି ଲବି ହେଉଛି ଯେ, ଚାପ ସୃଷ୍ଟି କରିବା ପାଇଁ କ୍ୟାବିନେଟ୍ ସଦସ୍ୟମାନେ ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରଶଂସା କରୁଥିବାର ଏକ ଭିଡିଓ ପ୍ରସାରଣ କରାଯାଇଛି। ଏଭଳି ପଦକ୍ଷେପ ପୁରସ୍କାର କମିଟି ଉପରେ ଭୀଷଣ ଚାପ ସୃଷ୍ଟି କରିଛି।

ଟ୍ରମ୍ପଙ୍କ ସ୍ବତନ୍ତ୍ର ଦୂତ ଷ୍ଟିଭ୍ ୱିଟ୍‌କଫ୍ କହିଛନ୍ତି, ‘ମୁଁ କେବଳ ଗୋଟିଏ ଜିନିଷ ଚାହୁଛି ଯେ, ନୋବେଲ କମିଟି ଆପଣ (ଟ୍ରମ୍ପ)ଙ୍କୁ ଏକମାତ୍ର ଶ୍ରେଷ୍ଠ ପ୍ରାର୍ଥୀ ବୋଲି ଅନୁଭବ କରୁ। ଏହି କ୍ଲିପ୍ ଏବେ ଭାଇରାଲ ହେବାରେ ଲାଗିଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତିଙ୍କ ସମସ୍ତ ଲୋକ ତାଙ୍କୁ ପ୍ରଶଂସା କରିଥିଲେ। ରାଷ୍ଟ୍ରପତିଙ୍କ ଲୋକମାନଙ୍କ କଥା ଛାଡ଼ନ୍ତୁ, ରାଷ୍ଟ୍ରପତି ସ୍ବୟଂ ନୋବେଲ ଶାନ୍ତି ପୁରସ୍କାର ପାଇଁ ଏତେ ବ୍ୟାକୁଳ ଯେ, ଖୋଲାଖୋଲି ଭାବେ ଏହା ପ୍ରକାଶ କରୁଛନ୍ତି। ନରୱେ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ଟ୍ରମ୍ପ ଗତ ମାସରେ ନରୱେର ଅର୍ଥମନ୍ତ୍ରୀଙ୍କୁ ଫୋନ୍ କରି ନାମାଙ୍କନ ବିଷୟରେ ପଚାରିଥିଲେ ଏବଂ ଶୁଳ୍କ ବିଷୟରେ ଆଲୋଚନା କରିଥିଲେ।

ଟ୍ରମ୍ପ କେବଳ କୌଣସି ଅଞ୍ଚଳରେ ସ୍ଥାୟୀ ଶାନ୍ତି ଆଣିବାରେ ବିଫଳ ହୋଇନାହାନ୍ତି ବରଂ ଇରାନ ଉପରେ ବୋମାମାଡ଼ରେ ଭାଗ ନେଇଛନ୍ତି। ଆମେରିକୀୟ ନାଗରିକଙ୍କ ବିରୋଧରେ ସୈନ୍ୟ ମୁତୟନ କରି ସେ ରାଜ୍ୟମାନଙ୍କ ପାଇଁ ଯୁଦ୍ଧ ଆଣିଛନ୍ତି ଏବଂ ଆମେରିକାର ପ୍ରତିରକ୍ଷା ବିଭାଗକୁ ଯୁଦ୍ଧ ବିଭାଗ ନାମରେ ନାମିତ କରିବାକୁ ଯୋଜନା କରିଛନ୍ତି।  ରୁଷ୍‌-ୟୁକ୍ରେନ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କ ଅନର୍ଥକାରୀ ନୀତି ଏବେ ପଦାରେ ପଡ଼ିଯାଇଛି। ଭାରତ-ପାକିସ୍ତାନ ଯୁଦ୍ଧବିରତିର ଶ୍ରେୟ ଦାବି କରି ଟ୍ରମ୍ପ ଗୋଟିଏ ପରେ ଗୋଟିଏ ଡାହା ମିଛ କହିଚାଲିଛନ୍ତି। ଶାନ୍ତି, କୂଟନୀତି କିମ୍ବା ସଂଘର୍ଷ ସମାଧାନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଥିବା ବ୍ୟକ୍ତି ବିଶେଷ କିମ୍ବା ସଂଗଠନକୁ ନୋବେଲ ଶାନ୍ତି ପୁରସ୍କାର ଦିଆଯାଏ। କିନ୍ତୁ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପ ଯୋଗ୍ୟ କି ବୋଲି ସମାଲୋଚକମାନେ ପ୍ରଶ୍ନ କରିଛନ୍ତି। କାଲିଫର୍ଣ୍ଣିଆ ଗଭର୍ଣ୍ଣର ଗାଭିନ୍ ନ୍ୟୁସମ୍ କହିଛନ୍ତି, ଟ୍ରମ୍ପ ନିଜ ଲୋକଙ୍କ ବିରୋଧରେ ସୈନ୍ୟ ମୁତୟନ କରି ନୋବେଲ ଶାନ୍ତି ପୁରସ୍କାର ଚାହୁଛନ୍ତି। ସେ ଶାନ୍ତି ଆଣିନାହାନ୍ତି, ଯୁଦ୍ଧକ୍ଷେତ୍ରକୁ ଘରକୁ ଆଣିଛନ୍ତି  ବୋଲି ସେ କହିଛନ୍ତି। ନୋବେଲ ଶାନ୍ତି ପୁରସ୍କାର ପାଇଁ  ବିଶ୍ବର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିଙ୍କ ଏଭଳି ନିର୍ଲଜ୍ଜ ପ୍ରୟାସ ବିଶ୍ବବ୍ୟାପୀ ପ୍ରତିକ୍ରିୟା ସୃଷ୍ଟି କରିଛି।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading