ଦେଶ ପାଇଁ ଭାଇ ଲଢ଼ିଥିଲେ ଯୁଦ୍ଧ, ଏବେ ପରିବାରକୁ ମଗାଯାଉଛି ନାଗରିକତାର ପ୍ରମାଣ

Spread the love

ଉତ୍ତର ପ୍ରଦେଶର ପ୍ରତାପଗଡ଼ରେ ଜନ୍ମ ଗ୍ରହଣ କରିଥିବା ହକିମୁଦ୍ଦିନ ଶେଖ ଦେଶ ପାଇଁ କାର୍ଗିଲରେ ଲଢ଼େଇ କରିଥିଲେ। ଦେଶ ପାଇଁ ଜୀବନ ଦେବାକୁ ପଛ ଘୁଞ୍ଚା ଦେଇ ନଥିଲେ। ତାଙ୍କ ପାଇଁ ଦେଶ ଥିଲା ସର୍ବୋପରି। କିନ୍ତୁ ହକିମୁଦ୍ଦିନ ଶେଖଙ୍କ ଭାଇଙ୍କୁ ମଗା ଯାଉଛି ଭାରତୀୟତାର ପ୍ରମାଣ। ସେ ଭାରତର ନାଗରିକ କି ନୁହେଁ, ତା’ର ପ୍ରମାଣ ଦେବାକୁ ତାଙ୍କୁ ବାଧ୍ୟ କରାଯାଇଛି।

ଶନିବାର ମଧ୍ୟରାତ୍ରରେ ତଥାକଥିତ ହିନ୍ଦୁ ସଂଗଠନର ୮୦ ଜଣ ଲୋକ ସାଦା ପୋଷାକରେ ଥିବା ଦୁଇ ଜଣ ପୁଲିସ କର୍ମଚାରୀଙ୍କ ସହ ପୁଣେରେ ରହୁଥିବା ହକିମୁଦ୍ଦିନଙ୍କ ଭାଇ ଈର୍ଶାଦ ଶେଖଙ୍କ ଘରେ ବଳପୂର୍ବକ ଧସେଇ ପଶିଥିଲେ। ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ବାଂଲାଦେଶର ନାଗରିକ କହି ଅପମାନିତ ଏବଂ ଆତଙ୍କିତ କରିଛନ୍ତି।

ସେମାନେ ଈର୍ଶାଦ ଶେଖଙ୍କ ପରିବାର ଭାରତୀୟ ଥିଲେ କି ନାହିଁ, ତା’ର କାଗଜ ଦେଖାଇବାକୁ କହିଥିଲେ। ଏହି ଗ୍ରୁପ ସହ ଜଡ଼ିତ ତଥାକଥିତ ପୁଲିସ୍‌ କର୍ମଚାରୀ ମଧ୍ୟ ଈର୍ଶାଦ ଶେଖ ଓ ତାଙ୍କ ପରିବାର ଲୋକଙ୍କୁ ଧମକ ଦେଇଥିଲେ।

ଶେଖ କହିଛନ୍ତି, ପରିବାର ଲୋକଙ୍କ ଆଧାର କାର୍ଡକୁ ଘରେ ଧସେଇ ପଶିଥିବା ଲୋକମାନେ ତନତନ କରି ଯାଞ୍ଚ କରିଥିଲେ। ଏ ସମ୍ପର୍କରେ ଶେଖଙ୍କୁ ଅଭିଯୋଗ କରିବାକୁ ବାରଣ କରାଯାଇଥିଲା। ପୁଲିସ୍‌ ମଧ୍ୟ ଶେଖ ଓ ତାଙ୍କ ପରିବାର ଲୋକଙ୍କ ଉପରେ ଚାପ ପକାଇଥିଲା। ତଥାପି ଈର୍ଶାଦ ଶେଖ ଶନିବାର ରାତିରେ ସାମ୍ନା କରିଥିବା ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। କିନ୍ତୁ ଏଯାଏ ପୁଲିସ୍‌ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ସେ ଅଭିଯୋଗ କରିଛନ୍ତି।

ଈର୍ଶାଦ ଶେଖ କହିଛନ୍ତି, “ମୋ ବଡ଼ ଭାଇ ଉତ୍ତର ପ୍ରଦେଶରେ ରୁହନ୍ତି। ଅନ୍ୟ ଦୁଇ ଭାଇ ଓ ମୁଁ ପୁଣେର ଚନ୍ଦନ ନଗର ନିକଟରେ ଦୀର୍ଘ ଦଶନ୍ଧି ହେଲା ପରିବାର ନେଇ ରହି ଆସୁଛୁ। ଶନିବାର ମଧ୍ୟରାତ୍ରରେ ପ୍ରାୟ ୮୦ରୁ ୧୦ ଜଣ ଲୋକ କବାଟ ବାଡ଼େଇଥିଲେ। ଆମେ ଯେତେବେଳେ କବାଟ ଖୋଲିଲୁ ସେତେବେଳେ ସେମାନଙ୍କ ମଧ୍ୟରୁ କିଛି ଲୋକ ଭିତରକୁ ଧସେଇ ପଶିଥିଲେ। ସେମାନେ ଆମକୁ ଆଧାର କାର୍ଡ ମାଗିଥିଲା। ଆମେ ସେମାନଙ୍କୁ ସବୁ ଦସ୍ତାବିଜ ଦେଖାଇଥିଲୁ। କିନ୍ତୁ ସେମାନେ ଏହାକୁ ନକଲି ବୋଲି କହିଥିଲେ। ଘରେ ଥିବା ମହିଳା ଓ ଛୋଟ ପିଲାଙ୍କୁ ମଧ୍ୟ ଆଧାର କାର୍ଡ ଦେବାକୁ କହିଥିଲେ।”

ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି ଯେ ଈର୍ଶାଦ ଶେଖଙ୍କ ଘର ବାହାରେ କେମିତି ଅନେକ ଲୋକ ଭିଡ଼ ଜମାଇଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ମୁହଁକୁ ଘୋଡ଼ାଇ ରଖିଥିଲେ। ଘଟଣା ଦିନ ଈର୍ଶାଦ ଶେଖଙ୍କ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ଯେ ଏହି ଅଞ୍ଚଳରେ ତାଙ୍କ ପରିବାର ୬୦ ବର୍ଷ ହେଲା ରହି ଆସୁଛନ୍ତି ଓ ତାଙ୍କ ବଡ଼ ଭାଇଙ୍କ ସମେତ ୨ ଦାଦା ଭାରତୀୟ ସେନାରେ କାମ କରୁଥିଲେ। ତଥାପି ସେମାନେ କିଛି ନ ବୁଝି ଈର୍ଶାଦ ଶେଖଙ୍କୁ ଭାରତୀୟର ପ୍ରମାଣ ଦେଖାଇବାକୁ ବାଧ୍ୟ କରିଥିଲେ।

ହକିମୁଦ୍ଦିନ ଶେଖ ୨୦୦୦ ମସିହାରେ ଜଣେ ହାବିଲଦାର ଭାବେ ଅବସର ନେଇଥିଲେ। ସେ ଇଞ୍ଜିନିୟର୍ସ କ୍ରପରେ ହାବିଦାଲ ଭାବେ ଭାରତର ସେବା କରୁଥିଲେ। ଈର୍ଶାଦ ଶେଖଙ୍କ କହିବା କଥା ଯେ ତାଙ୍କର ଦାଦା ମଧ୍ୟ ୧୯୭୧ ପାକିସ୍ତାନ ବିପକ୍ଷ ଯୁଦ୍ଧରେ ଦେଶ ପାଇଁ ଲଢ଼େଇ କରି ଆହତ ହୋଇଥିଲେ। ତାଙ୍କର ଆଉ ଜଣେ ଦାଦା ମଧ୍ୟ ୧୯୬୫ ଯୁଦ୍ଧରେ ଲଢ଼େଇ କରିଥିଲେ ବୋଲି ଈର୍ଶାଦ ଶେଖ କହିଛନ୍ତି।


Discover more from Emerging Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Discover more from Emerging Odisha

Subscribe now to keep reading and get access to the full archive.

Continue reading