ଭୁବନେଶ୍ବର: ଗୋଟିଏ ପରେ ଗୋଟିଏ ରାଜ୍ୟକୁ ନିଜର ଟାର୍ଗେଟ୍ କରୁଥିଲେ। ଟ୍ରେନ୍ରେ ଆସି କିଛିଦିନ ଡେରା ପକାଇ ଲୁଟ୍ ପାଇଁ ଯୋଜନା କରୁଥିଲେ। ଲୁଟିବା ପରେ ଫ୍ଲାଇଟ୍ରେ ଅନ୍ୟ ରାଜ୍ୟକୁ ଚାଲିଯାଉଥିଲେ। ଏଭଳି ଏକ ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍କୁ ଭୁବନେଶ୍ବର କମିସନରେଟ୍ ପୁଲିସ ଠାବ କରିଛି। ତେବେ ଦିଲ୍ଲୀରୁ ଗ୍ୟାଙ୍ଗର ୨ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନେ ହେଲେ ଦିଲ୍ଲୀ ସୁନ୍ଦରନଗରୀ ଅଞ୍ଚଳର ଖୁର୍ସିଦ ଖାନ୍(୪୮) ଓ ସୀମାପୁରୀ ଅଞ୍ଚଳର ମହମ୍ମଦ ଆରିଫ(୨୮)। ପୁଲିସ ସେମାନଙ୍କ ନିକଟରୁ ନଗଦ ୧୮ଲକ୍ଷ ଟଙ୍କା ଓ ଲୁଟ୍ରେ ବ୍ୟବହୃତ ଯନ୍ତ୍ରପାତି ଜବତ କରିଛି। ତେବେ ଏହି ଗ୍ୟାଙ୍ଗ୍ କେବେଠାରୁ ଭୁବନେଶ୍ବରରେ ସକ୍ରିୟ ଥିଲା ଓ ସେମାନେ କିଭଳି ଲୁଟ୍ପାଟ କରି ପୁଲିସକୁ ଚକ୍ମା ଦେଇ ଖସିଯାଉଥିଲେ, ସେ ରହସ୍ୟ ଉନ୍ମୋଚିତ ହୋଇଛି। ଆଜି ପୁଲିସ ସେବାଭବନରେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ ଓ ଡିସିପି ଜଗମୋହନ ମୀନା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଲୁଟେରା ଗ୍ୟାଙ୍ଗ୍ର ଗୁମର ଖୋଲିଛନ୍ତି।
ଓଡ଼ିଶା ଲିଙ୍କର ହେବ ଖୋଳତାଡ଼, ଅନ୍ୟ ରାଜ୍ୟ ପୁଲିସ ସହ ଯୋଗାଯୋଗ
ତଦନ୍ତରୁ ଜଣାପଡ଼ିଛି ଯେ ଏହି ଗ୍ୟାଙ୍ଗ ପୂର୍ବରୁ ବିହାର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଦିଲ୍ଲୀରେ ସକ୍ରିୟ ରହିଛି। ଏହାଛଡ଼ା ଅନ୍ୟ ରାଜ୍ୟରୁ ମଧ୍ୟ ଏମାନେ ଲୁଟ୍ପାଟ କରିଥିବା ସନ୍ଦେହ କରାଯାଉଛି। ଏମାନଙ୍କର କିଛି ସଦସ୍ୟ ପ୍ରଥମେ ଫ୍ଲାଇଟ୍ରେ ସହରକୁ ଯାଇ ସେଠାରେ କିଛିଦିନ ରହି ବଡ଼ବଡ଼ିଆ, ଧନୀଶ୍ରେଣୀ, ଉଚ୍ଚପଦସ୍ତ ଅଫିସର ଭଳି ହାଇପ୍ରୋଫାଇଲ୍ଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରନ୍ତି। ଏହପରେ ରେକି କରନ୍ତି। ଲୁଟ୍ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବା ପରେ ଯେଉଁଦିନ ଲୁଟ୍କରନ୍ତି ସେହିଦିନ ହିଁ ଫ୍ଲାଇଟ୍ ବା ଟ୍ରେନ୍ରେ ସେଠାରୁ ଅନ୍ୟ ରାଜ୍ୟକୁ ଚାଲିଯାଆନ୍ତି। ଚୋରି ଜିନିଷକୁ ଏଜେଣ୍ଟଙ୍କ ମାଧ୍ୟରେ ଦେଇ ମୋଟା ଅଙ୍କର ଅର୍ଥ ହାତେଇଥା’ନ୍ତି। ଲୁଟ୍ ଟଙ୍କାରେ ତାରକା ହୋଟେଲ୍ରେ ଅୟସ କରନ୍ତି। ପୁଲିସଠାରୁ ବର୍ତ୍ତିବା ପାଇଁ ଚୋରି ଟଙ୍କାଙ୍କୁ ଅନ୍ୟତ୍ର ନିବେଶ କରନ୍ତି। ତେବେ ଏମାନେ ଓଡ଼ିଶା ଅସି ଲୁଟ୍ ପରେ ପୁଲିସ ସେମାନଙ୍କ ଓଡ଼ିଶା ଲିଙ୍କ୍ ନେଇ ଖୋଳତାଡ଼ ଆରମ୍ଭ କରିଛି। କେଉଁମାନଙ୍କ ଏହି ଗ୍ୟାଙ୍ଗକୁ ସହଯୋଗ କରିଥିଲେ, ପୁଲିସ ସେମାନଙ୍କୁ ଚିହ୍ନଟ ପାଇଁ ଉଦ୍ୟମ ଆରମ୍ଭ କରିଛି। ସେହିପରି ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଓ ଏଜେଣ୍ଟଙ୍କ ସମ୍ପର୍କରେ ମଧ୍ୟ ଖୋଳତାଡ଼ ଚଳାଇଛି। ଏଥିପାଇଁ ପୁଲିସ ଅନ୍ୟ ରାଜ୍ୟ ପୁଲିସ ସହ ଯୋଗାଯୋଗ କରି ଗ୍ୟାଙ୍ଗର ଅପରାଧିକ ଇତିହାସ ଯାଞ୍ଚ କରୁଛି। ତଥ୍ୟ ହାତେଇବା ପରେ ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି।
ସରକାରୀ କ୍ବାର୍ଟର୍ସରୁ ଚୋରି ଖୋଲିଲା ଗୁମର
ଗତ ୨୧ ତାରିଖ ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେୟୁନିଟ୍ ୯ ସରକାରୀ କ୍ବାର୍ଟର୍ସରେ ରହୁଥିବା ଭବଶ୍ରୀ ଭବେଶ ବଳ ଓ ତାଙ୍କ ପରିବାର ଲୋକେ ମନ୍ଦିରକୁ ଯାଇଥିଲେ। ସାଢ଼େ ୧୧ଟା ସମୟରେ ଘରକୁ ଫେରିବା ବେଳକୁ ଗେଟ୍ ଖୋଲାଥାଏ। ଘରର ମୁଖ୍ୟ ଫାଟକ ଖୋଲା ଥିବା ବେଳେ ଘର ଭିତରେ ଜିନିଷ ଏପଟ ସେପଟ ହୋଇ ପଡ଼ିଥାଏ। ଆଲ୍ମିରାରୁ ପାଖାପାଖି ୨୩୦ ଗ୍ରାମ ଓଜନର ଗହଣା ଓ ନଗଦ ଟଙ୍କା ଚୋରି ହୋଇସାରିଥାଏ। ଶ୍ରୀ ବଳ ଏନେଇ ପୁଲିସକୁ ଜଣାଇବାରୁ ସହିଦନଗର ଥାନା ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ ଆରମ୍ଭ କରିଥିଲେ। ମାତ୍ର ଘଣ୍ଟାଏ ମଧ୍ୟରେ ଦୁର୍ବୃତ୍ତ କଳାକନା ବୁଲାଇଥିବାରୁ ଗୋଟିଏ କଥା ସ୍ପଷ୍ଟ ହୋଇଥିଲା ଯେ ସେମାନେ ପୂର୍ବରୁ ଯୋଜନା କରି ସୁଯୋଗକୁ ଅପେକ୍ଷା କରିରହିଥିଲେ। ତେଣୁ ଏହା କୌଣସି ଛୋଟମୋଟ ଚୋରର କାମ ନୁହେଁ। ଏହ ପଛରେ ଅନ୍ତଃରାଜ୍ୟ ଲୁଟେରା ଲିଙ୍କ୍ ରହିଛି ବୋଲି ପୁଲିସ ସନ୍ଦେହ କରି ସିସିଟିଭି ଫୁଟେଜ୍ ସଂଗ୍ରହ କରି ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ପୁଲିସ ଜାଣିବାକୁ ପାଇଥିଲା ଯେ ଲୁଟେରାମାନେ ଲୁଟ୍ ପରେ ଟ୍ରେନ୍ରେ ଯାଇଛନ୍ତି। ରେଲୱେଷ୍ଟେସନ୍ର ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ପୁଲିସ ଦୁଇ ଲୁଟେରାଙ୍କୁ ଚିହ୍ନଟ କରିଥିଲା। ସେମାନେ ଦିଲ୍ଲୀ ଯାଉଥିବା ଜଣାପଡ଼ିବା ପରେ ପୁଲିସ ଟିମ୍ ବିଭିନ୍ନ ଷ୍ଟେସନ୍ର ସିସିଟିଭି ଫୁଟେଜ୍ ଯାଞ୍ଚକରି ପିଛା କରିଥିଲା। ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇଥିବା ବେଳେ କିଛିଦିନ ପରେ ପୁଣି ୨ଜଣ ଲୁଟେରା ଫ୍ଲାଇଟ୍ରେ ଓଡ଼ିଶା ଅସିଥିବା ଜଣାପଡ଼ିଥିଲା। ସେମାନେ କଟକରୁ ଏକ ଲୁଟ୍ ପାଇଁ ଯୋଜନା ବେଳେ ପୁଲିସ ଆରିଫ୍କୁ କାବୁ କରିଇଥିଲା। ତାକୁ ପଚାରଉଚରା ପରେ ସେ ସବୁ ସତ ଓଗାଳିଥିଲା। ଏହାପରେ ପୁଲିସର ଏକ ଟିମ୍ ତାକୁ ଦିଲ୍ଲୀ ନେଇ ସେଠାରେ ଥିବା ଖୁର୍ସିଦ ଘରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ସେମାନଙ୍କଠାରୁ ସୁନା ନୁହେଁ ବରଂ ନଗଦ ୧୮ଲକ୍ଷ ଟଙ୍କା ଜବତ କରିଥିଲ। ସୁନାକୁ ତରଳାଇ ଛୋଟଛୋଟ ବ୍ୟବସାୟୀଙ୍କୁ ବିକ୍ରିକରି ଏହି ୧୮ଲକ୍ଷ ଟଙ୍କା ଆଣିଥିଲେ। ଟଙ୍କା ଜବତ କରି ପୁଲିସ ଉଭୟଙ୍କୁ ଭୁବନେଶ୍ବର ଆଣି ମାରାଥନ ଜେରା ପରେ ଆଜି ଉଭୟଙ୍କୁ କୋର୍ଟଚାଲାଣ କରିଛି।
Discover more from Emerging Odisha
Subscribe to get the latest posts sent to your email.