ଜଗତସିଂହପୁର ଜିଲ୍ଲା ବନ୍ଦର ମେରାଇନ ଥାନାରେ ଥାର୍ଡ ଡିଗ୍ରି ଅଭିଯୋଗ । ଥାନାକୁ ଅଭିଯୋଗ ନେଇ ଯାଇଥିବା ବେଳେ ଯୁବକଙ୍କୁ ମାଡ଼ ମାରି ପରିସ୍ରା ପିଆଇବାକୁ ଥାନା ଅଧିକାରୀ ଧମକ ଦେଇଥିବା ନେଇ ହୋଇଛି ଅଭିଯୋଗ । ଦୁଇ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଅସଭ୍ୟ ଭାଷାରେ ଗାଳି ଗୁଳଜ ସହିତ ବିଧା, ଗୋଇଠା, ଧକା ମାରିଥିଲେ । ଏହା ସହିତ ପାଇପ୍ରେ ମାଡ଼ ମାରି ଅକଥନୀୟ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତ । ଘଟଣା ନେଇ ସେ ମଧ୍ୟ ଜଗତସିଂହପୁର ଏସ୍ପିଙ୍କୁ ଭେଟିଛନ୍ତି । ଥାନା ଅଧିକାରୀ ନିଶା ସେବନ କରି ଏପରି କାଣ୍ଡ ଘଟାଇଥିବା ପୁଲିସ ନାଁରେ ଆସିଛି ସଂଘାତିକ ଅଭିଯୋଗ । ଏଭଳି ଅଭିଯୋଗ ଆଣିଛନ୍ତି ଧନୁରବେଲାରୀ ଗାଁର ବିଜୁରାମ ଦଳାଇ । ଦୋଷ ନଥାଇ ଥାନାରେ ତାଙ୍କୁ ମାଡ ମାରିଥିବା ନେଇ ହୋଇଛି ଅଭିଯୋଗ ।
ଏହାପୂର୍ବରୁ ଯାଜପୁର ଜିଲ୍ଲାରୁ ମଧ୍ୟ ସମାନ ଧରଣର ଅଭିଯୋଗ ହୋଇଥିଲା । ପାରିବାରିକ କଳହକୁ କେନ୍ଦ୍ରକରି ବାଲିଚନ୍ଦ୍ରପୁର ଥାନା ପୁଲିସ ଅଣକା ପଞ୍ଚାୟତ ମହିପୁର ଗାଁର ରବୀନ୍ଦ୍ର ମଲ୍ଲିକ ନାମକ ଯୁବକକୁ ଗତ ରବିବାର ଥାନାକୁ ଉଠାଇ ଆଣି ପ୍ରବଳ ମାଡ଼ ମାରି ଥିଲେ । ଥାନା ହାଜତରେ ମାଡ଼ ମାରି ଉଲଗ୍ନ ହେବାକୁ ବାଧ୍ୟ କରିବାରୁ ସେ ବିଷ ପିଇଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲରେ ପୁଲିସ ଭର୍ତ୍ତି କରିଥିଲା । ହେଲେ ଘଟଣା ସଂପର୍କରେ ତିନି ଦିନ ପରେ ଜାଣିବାକୁ ପାଇଥିଲେ ପରିବାର ଲୋକ । ପରିବାର ଲୋକ ଥାନାକୁ ଆସି ପୁଅକୁ ଦେଖା କରିବାକୁ ଚାହିବାରୁ ପୁଲିସ ସେମାନଙ୍କୁ କଟକ ମେଡିକାଲକୁ ଡାକି ନେଇଥିଲା । ଥାନା ହାଜତରେ ରବୀନ୍ଦ୍ର ବିଷ ପିଇ ଦେଇଥିବା ପୁଲିସ ପରିବାର ଲୋକଙ୍କ ସୂଚନା ଦେଇଛିସା । ହେଲେ ପରିବାର ଲୋକ ଥାନା ହାଜତରେ ବିଷ କୁଆଡୁ ଆସିବ ବୋଲି ପ୍ରଶ୍ନ କରିଛନ୍ତି । ପୁଲିସ ମାଡ଼ମାରି ରବୀନ୍ଦ୍ରକୁ ଦରମରା କରିଦେଇଥିବା ଅଭିଯୋଗ ଆଣିିଥିଲେ ।
ବାଲିଚନ୍ଦ୍ରପୁର ଥାନା ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତଦନ୍ତକାରୀ ଅଧିକାରୀ ସମେତ ତିନି ପୁଲିସ କର୍ମଚାରୀଙ୍କୁ ନିଲମ୍ୱିତ କରାଯାଇଛି । ବାଲିଚନ୍ଦ୍ରପୁର ଥାନାର ତଦନ୍ତକାରୀ ଅଧିକାରୀ ଚିନ୍ମୟ ପୃଷ୍ଟି, ଡିସିଓ ଦୁର୍ଗେଶ ନନ୍ଦିନୀ ଦେ, ସେଣ୍ଟ୍ରି ଦେବେନ୍ଦ୍ର ବାନରାଙ୍କୁ ନିଲମ୍ୱିତ କରାଯାଇଛି ।
Discover more from Emerging Odisha
Subscribe to get the latest posts sent to your email.